ବ୍ରିକ୍ସ ସମ୍ମିଳନୀ ୨୦୨୬ ଉପରେ ଟ୍ରମ୍ପଙ୍କ ସମେତ ଏବେ ପୁରା ବିଶ୍ଵର ନଜର, ଜାଣନ୍ତୁ ଭାରତ ପାଇଁ ଏହା କାହିଁକି ଜରୁରୀ
ବ୍ରିକ୍ସ ସମ୍ମିଳନୀ ୨୦୨୬ ଉପରେ ଟ୍ରମ୍ପଙ୍କ ସମେତ ଏବେ ପୁରା ବିଶ୍ଵର ନଜର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ସମିଟ୍ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆସନ୍ତା ସେପ୍ଟେମ୍ବର ୧୨-୧୩, ୨୦୨୬ରେ ରାଜଧାନୀର ‘ଭାରତ ମଣ୍ଡପମ୍’ରେ ହେବାକୁଥିବା ଏହି ସମିଟ୍ରେ ବ୍ରିକ୍ସର ସଦସ୍ୟ ଏବଂ ପାର୍ଟନର ଦେଶଗୁଡ଼ିକର ନେତାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।
ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଛି ଏବଂ ଏହାର ମୁଖ୍ୟ ବିଷୟବସ୍ତୁ ମଜବୁତ, ଇନୋଭେସନ୍, ସହଯୋଗ ଏବଂ ସଷ୍ଟେନେବିଲିଟି ଉପରେ ପର୍ଯ୍ୟବସିତ। ଦୁଇଦିନିଆ ଏହି ଶିଖର ସମ୍ମିଳନୀରେ ନେତାମାନେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିବେ।
ବ୍ରିକ୍ସ କ’ଣ: ବ୍ରିକ୍ସର ଗଠନ ୨୦୦୬ ମସିହାରେ ଏକ ଅନୌପଚାରିକ ଗୋଷ୍ଠୀ ଭାବେ ହୋଇଥିଲା ଏବଂ ପ୍ରଥମ ଆନୁଷ୍ଠାନିକ ଶିଖର ସମ୍ମିଳନୀ ୨୦୦୯ ଜୁନ୍ ୧୬ରେ ଅନୁଷ୍ଠିତ ହୋଇଥିଲା। ଏହି ଗୋଷ୍ଠୀ ବିଶ୍ୱର ୧୧ଟି ପ୍ରମୁଖ ବିକାଶଶୀଳ ଦେଶକୁ ଏକାଠି କରିଥାଏ, ଯେଉଁଥିରେ ବ୍ରାଜିଲ, ଚୀନ୍, ମିଶର, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସୌଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସାମିଲ ଅଛନ୍ତି।
ଭାରତ ଏହାର ଏକ ପ୍ରତିଷ୍ଠାତା ସଦସ୍ୟ ଏବଂ ପୂର୍ବରୁ ତିନିଥର (୨୦୧୨, ୨୦୧୬ ଏବଂ ୨୦୨୧) ଅଧ୍ୟକ୍ଷତା କରିସାରିଛି। ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ଭାରତ ଚତୁର୍ଥ ଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିଛି ଏବଂ ଏହି ବର୍ଷ ବ୍ରିକ୍ସ ନିଜର ପ୍ରତିଷ୍ଠାର ୨୦ ବର୍ଷ ପୂର୍ଣ କରୁଛି।
ଭାରତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ: ଏହି ମଞ୍ଚ ଭାରତ, ଚୀନ୍ ଏବଂ ରୁଷକୁ ଏକାଠି ଆଣିବା ସହିତ ବିଶ୍ୱର ପ୍ରମୁଖ ଅର୍ଥନୀତି ଏବଂ ଶକ୍ତି ଉତ୍ପାଦକ ଦେଶଗୁଡ଼ିକ ସହ ଯୋଡ଼ିଥାଏ। ଏହା ବିକାଶଶୀଳ ଦେଶମାନଙ୍କର ସ୍ୱରକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସାହାଯ୍ୟ କରେ।
ଆମେରିକା, ୟୁରୋପ, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ସମ୍ପର୍କ ବଜାୟ ରଖି ଭାରତ ଚୀନ୍ ଏବଂ ରୁଷ ସହିତ ମଧ୍ୟ ସହଯୋଗ ଜାରି ରଖିପାରିବ। ସମ୍ମିଳନୀ ପୂର୍ବରୁ ସେପ୍ଟେମ୍ବର ୯-୧୦ରେ ମୁମ୍ବାଇରେ ବ୍ରିକ୍ସର ଆର୍ଥିକ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନଙ୍କର ଅନ୍ତିମ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି।
ଏଥରର ସମିଟ୍ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ଯାହା ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆଣିବାରେ ସହାୟକ ହୋଇପାରେ।

