ଲୋନାୱାଲାରେ ଟ୍ରେକିଂ ସମୟରେ ବଡ଼ ଦୁର୍ଘଟଣା: ୩୯୦ ଫୁଟ ଗଭୀର ଘାଟିରେ ଖସି ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତ୍ୟୁ

୩୯୦ ଫୁଟ ଗଭୀର ଘାଟିରେ ଖସି ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଲୋନାୱାଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଟ୍ରେକିଂ ସମୟରେ ୩୯୦ ଫୁଟ ଗଭୀର ଘାଟିରେ ଖସି ପଡ଼ି ନବୀ ମୁମ୍ବାଇର ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶ୍ରେୟା ପତି ବୋଲି ଚିହ୍ନଟ କରାଯାଇଛି।

ସୂଚନା ଅନୁଯାୟୀ, ଜାନୁଆରୀ ୩୧ ତାରିଖରେ ଶ୍ରେୟା ମୁମ୍ବାଇରୁ ଲୋନାୱାଲା ଟ୍ରେକିଂ ପାଇଁ ଆସିଥିଲେ। ଲୋନାୱାଲାର ଟାଇଗର ପଏଣ୍ଟ ଭ୍ୟାଲିର ଡ୍ୟୁକ୍ସ ନୋଜ୍ ଅଞ୍ଚଳରେ ଟ୍ରେକିଂ କରୁଥିବା ସମୟରେ ସେ ଅକସ୍ମାତ୍ ୩୯୦ ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲେ।

ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ରାତିରେ ଲୋନାୱାଲା ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଲୋନାୱାଲା ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।

ପୋଲିସ ତଦନ୍ତ ସମୟରେ ଶ୍ରେୟାଙ୍କ ବ୍ୟାଗ୍ ମିଳିଥିଲା, ଯାହା ପରେ ଖୋଜାଖୋଜି ଅଭିଯାନକୁ ଆହୁରି ଜୋରଦାର କରାଯାଇଥିଲା। ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ଉଦ୍ଧାରକାରୀ ଦଳକୁ ସତର୍କ କରାଯାଇଥିଲା ଏବଂ ଶିବଦୁର୍ଗ ଉଦ୍ଧାରକାରୀ ଟିମ୍ ଦୁପର ୨ଟା ୩୦ ମିନିଟରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ସନ୍ଧାନ ଅଭିଯାନରେ ପୋଲିସ ଡ୍ରୋନ୍, ଡଗ୍ ସ୍କ୍ୱାଡ୍ ଆଦି ବ୍ୟବହାର କରାଯାଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଶ୍ରେୟାଙ୍କ ମୃତଦେହ ୩୯୦ ଫୁଟ ଗଭୀର ଘାଟିରୁ ଉଦ୍ଧାର କରାଯାଇଥିଲା।

ରାତି ପ୍ରାୟ ୯ଟା ୩୦ ମିନିଟରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା। ଏହି ଘଟଣାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଧରି ପୋଲିସ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚାଲୁ ରହିଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଓଡିଶାର । ସେ ମୁମ୍ବାଇରେ ରହି LLB ପଢୁଥିଲେ । ସେଠାରେ ତାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ରହୁଥିଲେ ।