ସରିଲା +୨ ପରୀକ୍ଷା, ୪୫ଦିନ ଭିତରେ ବାହାରିବ ରେଜଲ୍ଟ! ଖାତା ଦେଖିବେ ୧୬ ହଜାର ଅଧ୍ୟାପକ …

ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ

ଭୁବନେଶ୍ୱର: ଆଜି ଠାରୁ ଅର୍ଥାତ ଶନିବାର ଦିନ ସମ୍ପୂର୍ଣ୍ଣ ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେଇଛି। ପରୀକ୍ଷା ସରିବା ମାତ୍ରେ ଖାତା ଦେଖା ଆରମ୍ଭ ହେବ । ୪୫ଦିନ ଭିତରେ ଚଳିତ ବର୍ଷ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ସୂଚନାମୁତାବକ ଖାତା ମୂଲ୍ୟାୟନ ପାଇଁ ୧୫୧ ମୂଲ୍ୟାୟନ କେନ୍ଦ୍ର ସହିତ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି । ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ଦୁଇରେ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ ।

ଏନେଇ ସିଏଚ୍ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ବିଶେଷ କରି ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖା ହେବା ସହିତ ମାର୍ଚ୍ଚ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖା ହେବ । ତେବେ ଏନେଇ ମୋଟ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ପାଖାପାଖି ପ୍ରତ୍ୟେକ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଅର୍ଥାତ ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି କୁହାଯାଇଛି ।

ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନ୍‌ଲାଇନ୍‌ରେ ଦେଖା ହେବ। ତେବେ ମୋଟ ୨୫ ଲକ୍ଷ ଖାତା ମୂଲ୍ୟାୟନ କରାଯିବ। ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ ।

ଚଳିତ ବର୍ଷର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ କରି ମିଳିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା (Improvement Exam) ସୁବିଧା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେଇପାରିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା। ଯେକୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବ। ଫଳାଫଳ ବାହାରିବାର ଦୁଇ ମାସ ମଧ୍ୟରେ ଦେଇ ପାରିବେ ପରୀକ୍ଷା ।

ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲା ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । ଯେକୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ପରୀକ୍ଷା ଦେଇପାରିବେ । ପିଲାଟି ଫେଲ୍ ହୋଇଥିଲେ ଇମ୍ପ୍ରୁଭମେଣ୍ଟ ନୁହେଁ, ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ । ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ୬୦ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି ।