fbpx

ଦେଶଭକ୍ତି ଭରା ୨୦ଟି ହିନ୍ଦୀ ଗୀତ, ଶୁଣି ଶୁଣାନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଦେଶ ସ୍ୱାଧୀନତାର ଗାଥା ଓ ବ୍ୟଥାକୁ ନେଇ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେହିପରି ଅନେକ ଦେଶାତ୍ମବୋଧକ ଗୀତ-ସଂଗୀତ ମନପ୍ରାଣକୁ ଉଲ୍ଲସିତ କରିଥାଏ । ବ୍ରିଟିଶ୍ ଶାସନ କାଳର କରୁଣ ଦୃଶ୍ୟ ଓ ଦାରୁଣ ଦୁଃଖ ଏବଂ ସ୍ୱତନ୍ତ୍ରତାର ପୁଲକ ଭଳି କଥା-ସଂଗୀତ କୌଣସି ମଧ୍ୟ ଭାରତୀୟଙ୍କୁ ଜାତିପ୍ରାଣ ଚେତନାରେ ଉଦବୃଦ୍ଧ କରିଦେବ । ଆଗକୁ ଆସୁଛି ସେହି ସ୍ୱତନ୍ତ୍ରତା ଦିବସ ବା ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ରେ ଦେଶ ପାଳିବ ଆଉ ଏକ ମୁକ୍ତି ଦିବସର ଗାଥା । ଭାରତ ମାତା କି ଜୟ ଆଉ ବନ୍ଦେ ମାତରଂ ସ୍ୱରରେ ପ୍ରକମ୍ପିତ ହେବ ଚଉଦିଗ । ବାଜିବ ବୀର ଭାରତୀୟଙ୍କ ବିଜୟ ଧ୍ୱନି । ସେଭଳି ଶୁଭ ଅବସରରେ ଆସନ୍ତୁ ଜାଣିନେବା କିଛି ଚର୍ଚ୍ଚିତ ହିନ୍ଦୀ ଗୀତ ସମ୍ପର୍କରେ । ଗାନା ଡଟ୍ କମ୍ ସାଇଟ୍ ରେ ଏଭଳି ଦେଶାତ୍ମବୋଧକର ୨୦ଟି ଟ୍ରାକ୍ ଏକତ୍ର ରହିଛି । ନଜର ପକାନ୍ତିୁ ସମ୍ପୃକ୍ତ ଗୀତଗୁଡ଼ିକ କଣ କଣ?

  • ଡର୍ କେ ଆଗେ ଜୀତ୍ ହୈ: ସୁଖୱିନ୍ଦର ସିଂହଙ୍କ କଣ୍ଠରେ ଏହି ଗୀତଟି ବେଶ୍ ଶ୍ରୁତିମଧୁର ହୋଇଛି । ଗୋଟିଏ ମିନିଟ୍ ୩୪ ସେକେଣ୍ଡର ଗୀତଟି ଡର୍ କେ ଆଗେ ଜୀତ୍ ପାଇଁ ଜଣଙ୍କୁ ପ୍ରେରଣା ଦେବାକୁ ଯଥେଷ୍ଟ ।
  • ତେରା ଶୁକରିୟା: ସଚିନ୍-ଜିଗର୍ ଗାଇଥିବା ୨ ମିନିଟ୍ ୩୮ ସେକେଣ୍ଡର ଏହି ଗୀତଟିରେ ଦେଶ ମାତୃକା ନିକଟରେ ନିଜକୁ ଋଣୀ ବୋଲି ବାର୍ତ୍ତା ଦିଆଯାଉଥିବା ଏବଂ ଦେଶର ନାଗରିକ ଭାବେ କୃତଜ୍ଞତା ଜ୍ଞାପନ କରୁଥିବା ବାର୍ତ୍ତା ରହିଛି ।
  • ବନ୍ଦେ ମାତରଂ: ବନ୍ଦେ ମାତରଂ … ଏମିତି ଦୁଇଟି ଶବ୍ଦ, ଯେଉଁ ନାମ ଉଚ୍ଚାରଣ ମାତ୍ରେ ଦେହ ଶିହରିତ ହୋଇଉଠେ । ଦେଶମାତୃକାର ବନ୍ଦନା ଗାନ କରି ଅନେକ କଣ୍ଠଶିଳ୍ପୀ ଗୀତ ବୋଲି ଆସୁଛନ୍ତି । ତେବେ ଅଙ୍କିତ ତିୱାରି ଗାନ କରିଥିବା ୩ ମିନିଟ୍ ୧୦ ସେକେଣ୍ଡର ଏହି ଗୀତଟି ନିହାତି ଭାବେ ଜଣେ ଶୁଣିବା ଆବଶ୍ୟକ ।
  • ହିନ୍ଦୁସ୍ଥାନୀ: ଦସ୍- ଏ ଟ୍ରାଇବୁଟ୍ରେ ଚର୍ଚ୍ଚିତ ହୋଇଥିବା ହିନ୍ଦୁସ୍ଥାନୀ ଗୀତଟିକୁ ସମୂହକଣ୍ଠରେ ଗାନ କରାଯାଇଛି । ଖ୍ୟାତନାମା ଗାୟକ ଉଦିତ୍ ନାରାୟଣ, ଶଙ୍କର ମହାଦେବନ, ଡୋମିନକ୍ୟୁ ସେରେଜୋ ଓ ମହାଲକ୍ଷ୍ମୀ ଆୟାର୍ ପ୍ରମୁଖ କଣ୍ଠଦାନ କରିଥିବା ୪ ମିନିଟ୍ ୩୧ ସେକେଣ୍ଡ ଅବଧିର ଗୀତଟି ବେଶ୍ ଶ୍ରୁତିମଧୁର ଏବଂ ସାରାଗର୍ଭକ ।
  • ଜୟ ହୋ: ସ୍ଲମଡଗ୍ ମିଲିଓନାୟାର୍ ଫେମ୍ ଜୟ ହୋ ଗୀତକୁ ପ୍ରାୟ ସମସ୍ତେ ଗୁଣୁଗୁଣୁ ହୋଇ ଗାନ କରିଥାନ୍ତି । ଫ୍ରିଡା ପିଣ୍ଟୋ, ସୁଖୱିନ୍ଦର ସିଂହ, ତନଭି ଶାହ ଓ ମହାଲକ୍ଷୀ ଆୟାର୍ ପ୍ରମୁଖ ଗାନ କରିଥିବା ଏହି ଗୀତଟି ଖୁବ୍ ହିଟ୍ ହୋଇଥିଲା ।
  • ଚକ୍ ଦେ ଇଣ୍ଡିଆ: ହକି ଖେଳ ଓ ଏହାର ଜଣେ କୋଚଙ୍କ ଜୀବନୀ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଚକ୍ ଦେ ଇଣ୍ଡିଆ’ ଭାରତୀୟ ମହିଳା ହକି ଦଳ ସମେତ ଅନ୍ୟ କ୍ରୀଡ଼ାବିତଙ୍କୁ ନିଶ୍ଚିତ ସର୍ବଦା ପ୍ରେରଣା ଯୋଗାଇବ। ଆଉ ଏହାର ଟାଇଟଲ୍ ସଙ୍ଗ ଗାନ କରିଥିଲେ ସୁଖୱିନ୍ଦର ସିଂହ, ସଲିମ୍ ମର୍ଚ୍ଚାଣ୍ଟ୍, ମାରିଆନା ଡି-କ୍ରୁଜ୍ ପ୍ରମୁଖ ଗାଇଥିବା ଏହି ଗୀତ ଏକ ସର୍ବକାଳୀନ ରେକର୍ଡ କହିଲେ ଅତ୍ୟୁକ୍ତି ହେବନି ।
  • ଇଣ୍ଡିଆ ୱାଲେ: ଶଙ୍କର ମହାଦେବନ, କେକେ ବିଶାଲ ଓ ନୀତି ମୋହନ ପ୍ରମୁଖ କଣ୍ଠଦାନ କରିଥିବା ‘ହ୍ୟାପି ନିଉ ଇଅର୍’ ଚଳଚ୍ଚିତ୍ରର ଏହି ଗୀତଟି ସିଧାସଳଖ ଭାବେ ଦେଶବାସୀଙ୍କୁ ଆହ୍ୱାନମୂଳକ ଓ ସମ୍ବୋଧିତ ଭିତ୍ତିରେ ଗାନ କରାଯାଇଛି । ୩ ମିନିଟ୍ ୫୮ ସେକେଣ୍ଡର ଗୀତଟି ନିଶ୍ଚିତ ଲୋକଙ୍କ ମନକୁ ଛୁଇଁପାରିଛି ।
  • ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ଥାନୀ: ଶୀର୍ଷକ ସମ୍ବଳିତ ଚଳଚ୍ଚିତ୍ରରେ ଶୀର୍ଷକ ଗୀତ ବଡ଼ ଚର୍ଚ୍ଚାରେ ରହିଥିଲା । ଉଦିତ୍ ନାରାୟଣ ଓ ଲଳିତ ପଣ୍ଡିତ୍ ଗାଇଥିବା ୪ ମିନିଟ୍ ଅବଧିର ଏହି ଗୀତଟି ଭାରତୀୟଙ୍କ ହୃଦୟ ଜିଣି ନେଇଯିବାକୁ ସମର୍ଥ ରଖେ ।
  • ଚଲେ ଚଲୋ: ଆମୀର ଖାନ ଅଭିନୀତ ‘ଲଗାନ୍’ ଚଳଚ୍ଚିତ୍ରର ‘ଚଲେ ଚଲୋ’ ଗୀତକୁ ଗାନ କରିଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଏଆର୍ ରହମାନ ଓ ଶ୍ରୀନିବାସଙ୍କ ସୁଲଳିତ କଣ୍ଠରେ ୬ ମିନିଟ୍ ୨୪ ସେକେଣ୍ଡର ଏହି ଗୀତଟି ବେଶ୍ ସାରଗର୍ଭକ । ଥରେ ଶୁଣିଲେ ପୁଣି ଶୁଣିବାକୁ ଇଚ୍ଛା ହେବ ।
  • ଜିତ୍ ଜାୟେଙ୍ଗେ ହମ୍: ଶୀର୍ଷକ ସମ୍ବଳିତ ଆଲବମ୍ରେ ମୋହିତ୍ ଚହ୍ୱାନ ଗାନ କରିଥିବା ଏହି ଗୀତଟି ଆଶା ଓ ଆଙ୍କାକ୍ଷାକୁ ବଢ଼ାଇ ଦେଇଥାଏ । ସାଥୀ ହୋଇ ଦେଶ ପାଇଁ ଯୁଦ୍ଧ କରିବାକୁ ଏକ ପ୍ରକାର ଆହ୍ୱାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବନି ।
  • କାଧୋଁ ସେ: ଲକ୍ଷ୍ୟ ଚଳଚ୍ଚିତ୍ରର ଏହି ଗୀତଟି ନିଜ କାନ୍ଧରେ ଦେଶର ଭାର ବହନ କରିବାକୁ ଏକ ପ୍ରକାର ବାର୍ତ୍ତା ଦେଉଥିବାବେଳେ ଶଙ୍କର ମହାଦେବନଙ୍କ ଦ୍ୱାରା ଗାନ କରାଯାଇଛି । ଗୀତଟି ୫ ମନିଟ୍ ଓ ୪୦ ସେକେଣ୍ଡ ଅବଧିର ଏକଦମ୍ ମନଛୁଆଁ ।
  • ୟେ ଜୋ ଦେଶ୍: ଏଆର୍ ରହମାନ ଗାଇଥିବା ‘ସ୍ୱଦେଶ’ ଚଳଚ୍ଚିତ୍ରର ଏହି ଗୀତଟି ଦେଶାତ୍ମବୋଧରେ ପୂରା ଭରି ରହିଛି । ନିଜ ଦେଶକୁ ଭଲ ପାଉଥିବା ସମସ୍ତଙ୍କୁ ଏହି ଗୀତ ନିହାତି ଭଲ ଲାଗିବ ।
  • ଅପନି ମାଟି: ନିଜ ମାତୃଭୂମି ନିଜ ଜନ୍ମମାଟି ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର ଅପନି ମାଟିର ଶୀର୍ଷକ ଗୀତକୁ ଶ୍ରେୟା ଘୋଷାଲ୍ ଖୁବ୍ ଚମତ୍କାର ଭାବେ ଗାନ କରିଛନ୍ତି । ୩ ମିନିଟ୍ ୨୬ ସେକେଣ୍ଡର ଏହି ଗୀତଟି ବେଶ୍ ସାରଗର୍ଭକ ।
  • ବନ୍ଦେ ମାତରଂ: ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘ର’ (ରୋମିଓ, ଆକବର୍, ୱାଲଟର୍) ଫିଲ୍ମରେ ସୋନୁ ନିଗମ ଓ ଏକତା କପୁର ଗାନ କରିଥିବା ‘ବନ୍ଦେ ମାତରଂ’ ଗୀତକୁ ଯିଏ ଶୁଣିବ, ପୁଣିଥରେ ରିପ୍ଲେ କରିବାକୁ ଇଚ୍ଛା ପ୍ରକାଶ କରିବ ।
  • ୟେ ୱତନ୍ ତେରେ: ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’ରେ ମହମ୍ମଦ ଅଜିଜ୍ ଓ କବିତା କ୍ରୀଷ୍ଣମୂର୍ତ୍ତି ଗାଇଥିବା ୟେ ୱତନ୍ ତେରେ… ଗୀତଟି ଲମ୍ବା ଅବଧିର ସଂଗୀତ ମଧ୍ୟରେ ଅନ୍ୟତମ । ୮ ମିନିଟ୍ ୭ ସେକେଣ୍ଡର ଏହି ଗୀତ ସର୍ବକାଳୀନ ଏକ ରେକର୍ଡ କହିଲେ ଠିକ୍ । ପିଢ଼ି ପରେ ପିଢ଼ି ଗୀତଟିର ପ୍ରେମରେ ପଡ଼ିବା ଦେଖାଯାଉଛି ।
  • ଐସା ଦେଶ୍ ହୈ ମେରା: ଭୀର୍ ଜାରା ଚଳଚ୍ଚିତ୍ରରେ ସ୍ୱନାମଧନ୍ୟ ଗାୟିକା ଲତା ମଙ୍ଗେସକର୍ ଓ ଉଦିତ୍ ନାରାୟଣ ଗାଇଥିବା ଐସା ଦେଶ୍ ହୈ ମେରା… ଏକ ଅନନ୍ୟ ସୃଷ୍ଟି । ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ ।
  • ଭାରତ ହମକୋ ଜାନ୍ ସେ: ସୁପର୍ ହିଟ୍ ଫିଲ୍ମ ରୋଜାରେ ହରିହରନ୍ ଓ ଏଆର୍ ରହମାନଙ୍କ କଣ୍ଠରେ ସ୍ୱଳ୍ପ ଅବଧିର ଏହି ଗୀତରେ ଭାରତବର୍ଷକୁ ଜୀବନରୁ ଅଧିକ ଭଲପାଇବାର ବାର୍ତ୍ତା ମିଳେ । ଥରେ ଶୁଣିବା ଦରକାର ଏଭଳି ଗୀତ ।
  • ବନ୍ଦେ ମାତରଂ: ଏହି ଶୀର୍ଷକର ଆଲବମରେ ଟାଇଟଲ୍ ଗୀତ ଗାଇଛନ୍ତି ନୋରା ବର୍ମା ଓ ଅନୁଜ ଦନୈତ୍ । ବନ୍ଦେ ମାତରଂକୁ ନେଇ ଯେତେ ଗୀତ ହୋଇଛି, ସେ ମଧ୍ୟରେ ଏହା ବି ନିଜର ସ୍ଥାନ ସ୍ୱତନ୍ତ୍ରରେ ରଖିବାକୁ ବେଶ୍ ସକ୍ଷମ ।
  • ସତ୍ୟମେବ ଜୟତେ: ଏହି ଫିଲ୍ମର ଟାଇଟଲ୍ ସଙ୍ଗ୍ ଗାନ କରିଛନ୍ତି ରାମ ସମ୍ପଥ୍ ଓ କୀର୍ତ୍ତି ସାଗାଥିଆ । ସତ୍ୟର ଜୟ ହେଉ, ଭାରତ ମାତାର ଜୟ ହେଉ… ଏଭଳି ବାର୍ତ୍ତା ବହନ କରୁଥିବା ଗୀତଟି ୪ ମିନିଟ୍ ୩୭ ସେକେଣ୍ଡର ।
  • ଦେଶ ରଙ୍ଗିଲା: ଫନା ଫିଲ୍ମର ଏହି ୫ ମିନିଟ୍ ୧୭ ସେକେଣ୍ଡ ଅବଧିର ଗୀତଟିକୁ ଗାଇଛନ୍ତି ମହାଲକ୍ଷ୍ମୀ ଆୟାର୍ । ମୋ ଦେଶ ସୁନ୍ଦର ଆଉ ସର୍ବାଙ୍ଗରେ ଚମକୁଛି ସବୁ । ଏଭଳି ଦେଶପ୍ରେମର ବାର୍ତ୍ତା ଦେଉଛି ଗୀତଟି ।

ସ୍ୱାଧୀନତା ଦିବସରେ ନିଜକୁ ଦେଶ ପ୍ରେମରେ ମଜିଯିବାକୁ ହେଲେ ଏଠାରେ ଦିଆଯାଇଥିବା ୨୦ଟି ଗୀତକୁ ଗୋଟିଏ ପରେ ଗୋଟିଏ ଶୁଣି ପାରିବେ । କ୍ରମାଗତ ନୁହେଁ, କି ବଡ଼ ସାନ, କେବଳ ସମୂହ ଗୀତର ଏକତ୍ର ସଂକଳନ କୁହାଯାଇପାରେ । ଯଥାର୍ଥରେ ଏହା ଦେଶାତ୍ମବୋଧକ ସଂଗୀତର ଏକ ପ୍ୟାକେଜ୍, ଯେଉଁଥିରେ ୨୦ଟି ଗୀତ ସଂଲଗ୍ନ କରାଯାଇଛି ।

Get real time updates directly on you device, subscribe now.