fbpx

କରୋନାରେ କବଳରେ ୨୧୦ କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଭାବେ ଦିନକୁ ଦିନ ମାଡ଼ି ଚାଲିଛି । ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ପ୍ରାଣ ହରାଇଥିବା ବେଳେ ଏବେ କମିଶନରେଟ୍ ପୋଲିସରେ ପଶିଛି କରୋନା । ଭୁବନେଶ୍ୱର ଓ କଟକରୁ ୨୧୦ରୁ ଅଧିକ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ ଅଫିସର ରହିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । କୋଭିଡ୍ ଯୋଦ୍ଧାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।

ସେହିପରି ଅଗ୍ନିଶମ ବିଭାଗର ୭୧ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାଛଡ଼ା ଝାରସୁଗୁଡ଼ା ଉପକାରାଗାରାରେ ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୋଟ ୨୮୨ ଅନ୍ତେବାସୀଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପଜିଟିଭ୍ ଚିହ୍ନଟ ହୋଇଥିବା ଅନ୍ତେବାସୀଙ୍କୁ ଦୁଇଟି ୱାର୍ଡରେ ଆଇସୋଲେସନରେ ରଖାଯାଇଛି ବୋଲି ଜେଲର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.