ଜେଲ୍‌ରେ ବଢୁଛି HIV ଚିନ୍ତା! ୪ ମାସରେ ୨୨୬ କଏଦୀ ଆକ୍ରାନ୍ତ

ଗତ ୪ ମାସ ମଧ୍ୟରେ ୩୧ଟି ଜେଲ୍‌ର ୨୨୬ ଜଣ କଏଦୀ ଏଚ୍‌ଆଇଭିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଗୁଆହାଟୀ: ଆସାମର ଜେଲ୍‌ଗୁଡ଼ିକରେ ଏଚ୍‌ଆଇଭି ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଗତ ୪ ମାସ ମଧ୍ୟରେ ରାଜ୍ୟର ୩୧ଟି ଜେଲ୍‌ରେ ଥିବା ୨୨୬ ଜଣ କଏଦୀଙ୍କ ଏଚ୍‌ଆଇଭିରେ ଆକ୍ରାନ୍ତ ଥିବା ଜଣା ପଡିଛି । ଏହା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଜେଲ୍ ଭିତରେ କୌଣସି କଏଦୀ କିପରି ଏଚ୍‌ଆଇଭି ସଂକ୍ରମିତ ହେଲେ, ସେନେଇ ସରକାର ଯାଞ୍ଚ କରିବ। ଏହି ମାମଲାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ସଂକ୍ରମଣର କାରଣ ଜାଣିବା ସହିତ ପ୍ରଭାବିତ କଏଦୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏହି ମାମଲା ଗୌହାଟୀ ହାଇକୋର୍ଟଙ୍କ ନଜରରେ ମଧ୍ୟ ରହିଛି।

ଶ୍ରୀଭୂମି ଜିଲ୍ଲା ଜେଲ୍‌ର ସ୍ଥିତିକୁ ନେଇ ବିଶେଷ ଚିନ୍ତା ପ୍ରକାଶ ପାଇଛି। ଏଠାରେ ଜଣେ ମହିଳାଙ୍କ ସମେତ ୧୧ ଜଣ କଏଦୀଙ୍କ ଏଚ୍‌ଆଇଭି ପରୀକ୍ଷା ପଜିଟିଭ୍ ଆସିଛି। ଏହି ଜେଲ୍‌ରେ ମାତ୍ର ୧୮୭ ଜଣ କଏଦୀଙ୍କୁ ରଖିବାର କ୍ଷମତା ଥିବାବେଳେ ବର୍ତ୍ତମାନ ୪୪୫ ଜଣ କଏଦୀ ରହୁଛନ୍ତି। ଅଧିକ କଏଦୀ ରହିବା ଯୋଗୁଁ ସଂକ୍ରମଣ ଦ୍ରୁତ ଭାବେ ବ୍ୟାପିବା ନେଇ ଆଶଙ୍କା ବଢ଼ିଛି।

ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏଚ୍‌ଆଇଭି ପଜିଟିଭ୍ ଆସିଥିବା ଅଧିକାଂଶ କଏଦୀଙ୍କ ମାମଲା ନିଶାଦ୍ରବ୍ୟ ସମ୍ବନ୍ଧୀୟ ଆଇନ NDPS Act ଅଧୀନରେ ରହିଛି। ଏହି କଏଦୀମାନଙ୍କୁ ଏଡ୍‌ସ କଣ୍ଟ୍ରୋଲ୍ କମିଟିର ଟିମ୍ ପକ୍ଷରୁ କାଉନସେଲିଂ ଦିଆଯାଉଛି। ଏଥିସହ ସେମାନଙ୍କୁ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି (ART) ଚିକିତ୍ସା ମଧ୍ୟ ଦିଆଯାଉଛି।

ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ସମଗ୍ର ଆସାମରେ କଏଦୀମାନଙ୍କର ଏଚ୍‌ଆଇଭି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ, ପ୍ରାୟ ୯୫ ପ୍ରତିଶତ ସଂକ୍ରମଣ ଇଞ୍ଜେକ୍ସନ ମାଧ୍ୟମରେ ନିଶାଦ୍ରବ୍ୟ ବ୍ୟବହାର ସହ ଜଡ଼ିତ। ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା ୨୨୬ ଜଣ କଏଦୀଙ୍କ ମଧ୍ୟରୁ ୨୦୨ ଜଣଙ୍କୁ ଏବେ ଚିକିତ୍ସା ଅଧୀନରେ ART ଦିଆଯାଉଛି। ସୁରକ୍ଷା ସମ୍ବନ୍ଧୀୟ କଟକଣା ଥିବାରୁ ମେଡିକାଲ୍ ଟିମ୍ ନିଜେ ଜେଲ୍‌କୁ ଯାଇ କଏଦୀମାନଙ୍କୁ ଚିକିତ୍ସା ଓ ସେବା ଯୋଗାଉଛନ୍ତି।

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଙ୍ଗଲ୍‌ଙ୍କ କହିବା ଅନୁସାରେ, ଆସାମରେ ବର୍ତ୍ତମାନ ପ୍ରାୟ ୩୩ ହଜାର ଜଣ ସକ୍ରିୟ ଏଚ୍‌ଆଇଭି/ଏଡ୍‌ସ ରୋଗୀ ଅଛନ୍ତି। ଏହି ତଥ୍ୟ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣର ଚ୍ୟାଲେଞ୍ଜ କେତେ ବଡ଼ ତାହା ସ୍ପଷ୍ଟ କରୁଛି।