fbpx

ଜଳିଲା ଘର,ଜଳିଗଲା ଶିଶୁକନ୍ୟା:ଭୋ ଭୋ ହୋଇ କାନ୍ଦୁଛି ମା

ମୟୁରଭଞ୍ଜ : ଭୋ ଭୋ ହୋଇ କାନ୍ଦୁଛି ମା ନିଜ ୨ ମାସର ଶିଶୁ କନ୍ୟା କୁ ହରାଇବା ପରେ ନିଜ କୋହ ସମ୍ଭାଳି ପାରୁନି ଆଉ ମା। ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି ବାପା । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାର ଗାଁରେ । ଶୋଇଥିବା ବେଳେ ଘରେ ଲାଗିଲା ନିଆଁ ଏଥିରେ ଜଣେ ୨ ମାସର ଶିଶୁକନ୍ୟା ର ମୃତ୍ୟ ହେଇଯାଇଛି । ଘର ମଧ୍ୟ ନିଆଁରେ ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨ ମାସର ଶିଶୁ କନ୍ୟା ଶିବାନୀ ମହାକୁଡ଼ଙ୍କୁ ତାଙ୍କ ମା’ ଘରର ଚୁଲି ପାଖରେ ଥିବା ଖଟ ଉପରେ ଶୋଆଇ ଦେଇ ନିଜ କାମ ରେ ବ୍ୟସ୍ତ ହେଇଯାଇଥିଲେ । ଏହି ସମୟରେ ଚୁଲିରେ ସାମାନ୍ୟ ନିଆଁ ରହିଥିଲା। ହେଲେ ଝିଅ ଖଟରେ ଶୋଇଥିବାରୁ ମା’ ଓ ବାପା ଅଚିନ୍ତାରେ ନିଜ ନିଜ କାମକୁ ଚାଲି ଯାଇଥିଲେ। ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି। କାମର ବ୍ୟସ୍ତତା ମଝିରେ ଆଉ ସେ ଝିଅ କଥା କୁ ଧ୍ୟାନ ଦେଇ ନଥିଲେ ।

ଘରେ କେହି ନଥିବା ବେଳେ ହଠାତ୍ ଅପରାହ୍ନ ପ୍ରାୟ ୩.୩୦ଟା ବେଳେ ଏହି ଅଘଟଣ ଘଟିଥିଲା। ଚୁଲିର ନିଆଁ ପବନରେ ଉଡ଼ି ପ୍ରଥମେ ସେଠାରେ ରଖା ଯାଇଥିବା ଶୁଖିଲା କାଠ ସଂସ୍ପର୍ଶରେ ଆସିଥିଲା। ଫଳରେ କାଠରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଶିବାନୀ ଶୋଇଥିବା ଖଟ ସହ ପୂରା ଘରକୁ ବ୍ୟାପି ଯାଇଥିଲା। ଘର ଜଳୁଥିବା ଥିବା ଦେଖି ପଡ଼ୋଶୀମାନେ ଶିବାନୀଙ୍କ ବାପା ମା’ଙ୍କୁ ଖବର ଦେଇଥିଲେ। ଏଥିସହ କପ୍ତିପଦା ଅଗ୍ନିଶମ ବାହିନୀକୁ ମଧ୍ୟ ଡାକି ଥିଲେ। ଅଗ୍ନିଶମ ବାହିନୀ ଓ ଗାଁ ଲୋକ ନିଆଁ ଆୟତ୍ତ କରିବା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। ନିଆଁରେ ପୋଡ଼ି ହୋଇ ଶିବାନୀ ପ୍ରାଣ ହରାଇଥିବା ବେଳେ ଘର ମଧ୍ୟ ସଂପୂର୍ଣ୍ଣ ପାଉଁଶରେ ପରିଣତ ହୋଇ ସାରିଥିଲା।

ଦିନ ମଜୁରିଆ ଭାବେ କାମ କରୁଥିବା ଶିବାନୀଙ୍କ ବାପା ମା’ ଏବେ ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି। ପରିଶ୍ରମ କରି ଘରେ ଯାହା ବି ରଖିଥିଲେ ସେସବୁ ନିଆଁରେ ପୋଡ଼ି ଯାଇଛି। ସେହିପରି ତାଙ୍କ ଝିଅ ମଧ୍ୟ ସବୁଦିନ ପାଇଁ ସେମାନଙ୍କୁ ଛାଡ଼ି ଚାଲି ଯାଇଛି। ଏହି ଘଟଣା ପୂରା ଗାଁରେ ଶୋକରଚ୍ଛାୟା ଖେଳି ଯାଇଛି।

Get real time updates directly on you device, subscribe now.