fbpx

କରୋନାକୁ ହରାଇଲେ ୩ ଶିଶୁ

ବ୍ରହ୍ମପୁର, ୧୧/୫: ରାଜ୍ୟରେ ଜାରି ରହିଛି କରୋନାର ପ୍ରକୋପ  । କରୋନାର ଦ୍ୱିତୀୟ ଲହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଖୁସି ଖବର  । ଯେଉଁଠାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଚେଷ୍ଟା ଫଳରେ ତଥା ଉଚିତ ପଦକ୍ଷେପ ଏବଂ ସଚେତନତା ଯୋଗୁଁ କରୋନା କବଳରୁ ବଞ୍ଚିଯାଇଛି ୩ ଶିଶୁଙ୍କ ଜୀବନ । ଯାହାକି ନିରାଶା ମଧ୍ୟରେ ସଂଚାର କରିଛି ଆଶା  । ତେବେ କରୋନାକୁ ହରାଇଥିବା ଏହି ଶିଶୁଙ୍କ ବୟସ ହେଉଛି ୧୦ ରୁ ୧୨ ମାସ  । ୨ ଜଣ ଶିଶୁ ଗୃହ ସଙ୍ଗରୋଧ ଏବଂ ଅନ୍ୟ ଜଣେ କରୋନା ସଂକ୍ରମିତ ମା’ଠାରୁ ଅଲଗା ହୋଇ ବ୍ରହ୍ମପୁର ବଡ଼ଡାକ୍ତରଖାନାର ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ।

ସୂଚନା ଅନୁଯାୟୀ ପୁରୁଷୋତ୍ତମପୁରର ଜଣେ ମହିଳା ୭ ଦିନ ତଳେ ନିଜର ୧୧ ମାସର ଶିଶୁଙ୍କୁ ଥଣ୍ଡା ଏବଂ ଜ୍ୱରର ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ନେଇଥିଲେ । ତେବେ ଚିକିତ୍ସା ପୂର୍ବରୁ ପ୍ରଥମେ ମା’ର କରୋନା ପରୀକ୍ଷା କରଯାଇଥିଲା । ତେବେ ମା’ର ପଜିଟିଭ ଆସିବା ପରେ ତାଙ୍କୁ ଡାକ୍ତର ଘରକୁ ପଠାଇଦେଇଥିଲେ ଏବଂ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ଶିଶୁକୁ ସନ୍ଦିଗ୍ଧ ଭାବେ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀରେ ୭ ଦିନ ଧରି ରଖାଯାଇ ଚିକିତ୍ସା କରାଯାଇଥିଲା ଏବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ।

ଜ୍ୱରରେ ଅସୁସ୍ଥ ଥିବା ବ୍ରହ୍ମପୁରର ଆଉଜଣେ ୧୦ ମାସର ଶିଶୁ ଓ ମା’ ଏବଂ ଆଉ ଜଣେ ଏକ ବର୍ଷର ଶିଶୁ ଓ ତାଙ୍କ ମା’ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ସେମାନେ ବି ସୁସ୍ଥ ହୋଇଛନ୍ତି । ତେବେ ଦୁଇ ଶିଶୁଙ୍କୁ ଥଣ୍ଡା ଜ୍ୱର ହୋଇଥିଲା ଏବଂ ପରୀକ୍ଷା ବେଳେ ଦୁଇଶିଶୁ ଏବଂ ସେମାନଙ୍କ ମା’ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା  । ଶିଶୁଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବାରୁ ଜ୍ୱର ଓ କାଶ ଔଷଧ ଦିଆଯାଇ ଘରକୁ ପଠାଇ ଦିଆଯାଇଥିଲା । ମା’ଙ୍କୁ ଘରେ ସମ୍ପୂର୍ଣ୍ଣ ରୂପେ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା । ଏବେ ଔଷଧ ଖାଇ ଉଭୟ ମା’ ଓ ଶିଶୁ ସୁସ୍ଥ  ହୋଇଥିବା ସୂଚନା ମିଳିଛି ।

ବ୍ରହ୍ମପୁର ବଡ଼ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡା.ସୁନୀଲ ଅଗ୍ରୱାଲ କହିଛନ୍ତି, କରୋନାକୁ ନେଇ ଅଧିକ ଆତଙ୍କିତ ହେବା ଆବଶ୍ୟକ ନାହିଁ । ଶିଶୁଙ୍କୁ ସମାନ୍ୟ ଜ୍ୱର, କାଶ, ହୋଇଥିଲେ ଔଷଧ ଦିଆଯାଇ ସୁସ୍ଥ କରାଯାଇପାରିବ । ଏପରିକି ଯଦି ଶିଶୁଙ୍କୁ କରୋନା ହେଲେ ବି ଏହି ଔଷଧ କାମ କରିବ । ଜ୍ୱର ପରେ ଯଦି ଶିଶୁ ଧଇଁସଇଁ ହେଉଥାଏ କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ତେବେ ଶିଶୁକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନାକୁ ନିଆଯିବା ଉଚିତ ବୋଲି ସେ କହିଛନ୍ତି  ।

Get real time updates directly on you device, subscribe now.