କଲଭର୍ଟରେ ପିଟି ହୋଇ ପୋଖରୀରେ ଖସି ପଡ଼ିଲା ବାଇକ୍!
ଲଗାଣ ବର୍ଷା ଯୋଗୁଁ ପୋଖରୀରେ ପ୍ରବଳ ପାଣି ଥିଲା। ଯାହାଫଳରେ ପୋଖରୀରୁ ବାହାରି ପାରିନଥିଲେ
ବାରିପଦା: ରାସ୍ତା ପାଖ କଲଭର୍ଟରେ ପିଟି ହୋଇ ପୋଖରୀରେ ଖସି ପଡ଼ିଲା ବାଇକ୍! ଚାଲିଗଲା ୩ ଜଣ ଯୁବକଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି।
କୁଆମରା ଗାଁର ସହଦେବ ସିଂ, ଶକ୍ତି ସିଂ ଓ ରଘୁ ସିଂ କୌଣସି କାମରେ ଖୁଣ୍ଟା ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ବାଇକ୍ରେ ଘରକୁ ଫେରୁଥିଲେ। ତେବେ ଦୃତ ଗତିରେ ଆସୁଥିବାରୁ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବୁଲାଣୀ ରାସ୍ତାରେ ବାଇକ୍ଟି ସନ୍ତୁଳନ ହରାଇଥିଲା। ଯାହାଫଳରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ କଲଭର୍ଟରେ ପିଟି ହୋଇଥିଲା। ତା’ପରେ ବାଇକିଟି ପାଚେରୀରେ ଘଷି ହୋଇ ପୋଖରୀରେ ପଡ଼ି ଯାଇଥିଲା।
Uttarakhand Govt.
ଲଗାଣ ବର୍ଷା ଯୋଗୁଁ ପୋଖରୀରେ ପ୍ରବଳ ପାଣି ଥିଲା। ଯାହାଫଳରେ ପୋଖରୀରୁ ବାହାରି ପାରିନଥିଲେ। ଚିତ୍କାର ଶୁଣି ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ସହଦେବ ଓ ଶକ୍ତିଙ୍କ ମୃତ୍ୟୁ ଘଟିଥିଲା। ରଘୁ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି କୁଆମରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

