fbpx

ସାବିତ୍ରୀରେ ମା’ ଓ ରଜରେ ଆଖି ବୁଜିଲେ ବାପା, ମହାମାରୀ ଉଜାଡ଼ି ଦେଲା ସଂସାର

ସମ୍ବଲପୁର(ଓଡ଼ିଶା ଭାସ୍କର): ହଜାର ହଜାର ଜୀବନ ନେଲାଣି କରୋନା । ଶହ ଶହ ପରିବାର ଉଜାଡ଼ି ଦେଲାଣି ମହାମାରୀ । କାହିଁ କେତେ ଛୁଆଙ୍କୁ କରିଦେଲାଣି ଅସହାୟ । କାହାକୁ ମିଳୁନି ମୁଠାଏ ଖାଦ୍ୟ ଓ ଆଉ କାହାକୁ ମିଳୁନି ବଞ୍ôଚବାର ରାହା । ଏଭଳି ସଂକଟ କାଳ ମଧ୍ୟରେ ସ୍ତବ୍ଧ କରିଦେବା ଭଳି ଅନେକ ଖବର ଆସୁଛି । ସେମିତି ଏକ ବଡ଼କରୁଣ ଖବର ଜାଣିଲେ ଯେକେହି ଘଡ଼ିଏ ସ୍ତବ୍ଧ ହୋଇଯାଉଛନ୍ତି ଆଉ କାହାରି ଛାଏଁ ଗଡ଼ି ଆସୁଛି ଲୁହ । ଅଭାବନୀୟ ଘଟଣାକ୍ରମରେ କୁନି ଛୁଆଟିଏ କଇଁ କଇଁ ହୋଇ କାନ୍ଦୁଛି, କିନ୍ତୁ ତାକୁ ବୋଧ ଦେବାକୁ କେହି ନାହିଁ । ମାତ୍ର ପାଞ୍ଚଦିନ ଭିତରେ ପିଲାଟି ହରାଇଛି ନିଜ ମା’-ବାପାଙ୍କୁ । ମହାମାରୀ କରୋନା ପ୍ରଥମେ ସାବିତ୍ରୀ ବ୍ରତ ଦିନ ଛଡ଼ାଇ ନେଇଥିଲା ମା’ଙ୍କୁ ଏବଂ ରଜ ସଂକ୍ରାନ୍ତି ଅବସରରେ ଛଡ଼ାଇ ନେଲା ପୁଣି ବାପାଙ୍କୁ । ଫଳରେ ପିଲାଟି ହୋଇଯାଇଛି ଅସହାୟ ।

ମୃତ ଦମ୍ପତି ହେଉଛନ୍ତି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳର । ମହିଳା(୩୩) ଜଣଙ୍କ କରୋନା ସଂକ୍ରମିତ ହୋଇ ଗତ ୩ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସପ୍ତାହକ ପରେ ଗତ ୧୦ ତାରିଖ ସେ ଆଖି ବୁଜିଦେଇଥିଲେ । ସେହିପରି ମହିଳାଙ୍କ ସ୍ୱାମୀ (୩୫) ମଧ୍ୟ କରୋନାରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟର୍ରୁ ଦୁଇଦିନ ପୂର୍ବେ ବାହାର କରାଯାଇଥିଲା । ତେବେ ସୋମବାର ରାତିରେ ସେ ରକ୍ତବାନ୍ତି କରିବା ସହ ପ୍ରାଣ ହରାଇଦେଲେ । ଲିଭର୍ ସିରୋସିସ୍ ସେ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି ।

ମା’-ବାପାଙ୍କୁ ହରାଇ ଏବେ ୩ ବର୍ଷର କୁନିପୁଅ ଏକଲା ହୋଇଯାଇଛି । ତେବେ ତାକୁ ତୁରନ୍ତ ସରକାର ଘୋଷଣା କରିଥିବା ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ସବୁ ମହଲରୁ ଦାବି ହୋଇଛି । ଏ ସମ୍ପର୍କରେ କୋଭିଡ୍ ମେଡିକାଲ୍ ଦାୟିତ୍ୱରେ ରହିଥିବା ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁକୁ ଆବଶ୍ୟକୀୟ ସୁବିଧା ନିଶ୍ଚୟ ଦିଆଯିବ ।

Get real time updates directly on you device, subscribe now.