ବିଦ୍ୟାଳୟରେ ୩ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ! କର୍ମଚାରୀ ଗିରଫ
ପୋଲିସର କହିବା ଅନୁସାରେ ଅଭିଯୋଗ ପରେ ପୋଲିସ ଉକ୍ତ ସ୍କୁଲକୁ ଯାଇଥିଲା। ସବୁ କର୍ମଚାରୀଙ୍କୁ ଡକାଇ ନାବାଳିକାଙ୍କୁ ଚିହ୍ନାଇବାକୁ କହିଥିଲା
ନୂଆଦିଲ୍ଲୀ: ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା ଲାଗିଛି। ବିଦ୍ୟାଳୟରେ ଜଣେ ୩ ବର୍ଷ ନାବାଳିକା ଛାତ୍ରୀଙ୍କୁ ହୋଇଛି ଦୁଷ୍କର୍ମ! ଆଉ ଏହି କୁକର୍ମ କରିଛନ୍ତି ଉକ୍ତ ବିଦ୍ୟାଳୟର ଜଣେ କର୍ମଚାରୀ। ଏପରି ଅଭିଯୋଗ ନୂଆଦିଲ୍ଲୀ ଜନକପୁରୀ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୋଗରୁ ପ୍ରକାଶ, ଜନକପୁରୀରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରେ ୩ ବର୍ଷର କୁନି ଝିଅଟିଏ ପଢ଼ୁଥିଲା। ମେ ୧ ତାରିଖରେ ସ୍କୁଲର ଜଣେ କର୍ମଚାରୀ ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏନେଇ ପୀଡ଼ିତା ତାଙ୍କ ମାଆଙ୍କୁ ଜଣାଇଥିଲେ। ସେହିଦିନ ଥାନାରେ ଲିଖିତ ଅଭିଯୋଗ କରିିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା। ଏଥିସହ ଘଟଣାର ତଦନ୍ତ ଚଳାଇଛି। ଆଜି ଏହି ଘଟଣା ସାମ୍ନାକୁ ଆସିଥିଲା
ପୋଲିସର କହିବା ଅନୁସାରେ ଅଭିଯୋଗ ପରେ ପୋଲିସ ଉକ୍ତ ସ୍କୁଲକୁ ଯାଇଥିଲା। ସବୁ କର୍ମଚାରୀଙ୍କୁ ଡକାଇ ନାବାଳିକାଙ୍କୁ ଚିହ୍ନାଇବାକୁ କହିଥିଲା। ଏହା ପରେ ନାବାଳିକା ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

