ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନର କରୁଣ ପରିଣତି: ଫିରୋଜାବାଦରେ ଦେଢ଼ ବର୍ଷର ଶିଶୁକୁ ପିଟିପିଟି ହତ୍ୟା

ଫିରୋଜାବାଦରେ ଜଣେ ଦେଢ଼ ବର୍ଷର ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିର ମାଆ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ସମ୍ପର୍କୀୟ ରାଗିଯାଇ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି। ପୋଲିସ କହିବା ଅନୁସାରେ, ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ଅତ୍ୟନ୍ତ ଦୁଃଖଦାୟକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଦେଢ଼ ବର୍ଷର ଶିଶୁକୁ ତା’ର ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏବଂ ପରିବାରବର୍ଗଙ୍କ କହିବା ଅନୁସାରେ, ଶିଶୁର ମାଆଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ତାହା ପ୍ରତ୍ୟାଖ୍ୟାନ ହେବାରୁ ସେ ରାଗିଯାଇ ଏହି କାଣ୍ଡ ଭିଆଇଥିଲେ। ଏହି ଘଟଣା ଶନିବାର ଅପରାହ୍ନରେ ଯାଦବ କଲୋନୀରେ ଘଟିଥିଲା ଏବଂ ଏହା ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ଚକୋଲେଟ୍ ଦେବା ବାହାନାରେ ଶିଶୁଟିକୁ ନେଇଯାଇଥିଲେ ଏବଂ ପରେ ତାକୁ ହତ୍ୟା କରି ଘର ବାହାରେ ଫିଙ୍ଗି ଦେଇଥିଲେ। ଶିଶୁର ଜେଜେମାଆଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଟିମ୍ ନିୟୋଜିତ ହୋଇଛନ୍ତି।

ପରିବାରବର୍ଗଙ୍କ କହିବା ଅନୁସାରେ, ଶିଶୁର ମାଆ ରତି ଦେବୀ, ଫେବୃଆରୀ ୨୦୨୪ରେ ସୁମିତ କୁମାରଙ୍କୁ ବିବାହ କରିଥିଲେ। ୩ ନଭେମ୍ବର ୨୦୨୫ରେ ସେ ପୁତ୍ର ଆରବକୁ ଜନ୍ମ ଦେଇଥିଲେ। ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେତୁ ସେ ଗତ ପାଞ୍ଚ ମାସ ହେବ ନିଜ ବାପଘରେ ରହୁଥିଲେ।

ଏହି ସମୟରେ, ତାଙ୍କ ସ୍ୱାମୀଙ୍କର ଜଣେ ସମ୍ପର୍କୀୟ ଭାଇ ବିରାଜ ଓରଫ ଜିତେନ୍ଦ୍ର ପାଠକ ପରିବାରର ଖୁବ୍ ନିକଟତର ହୋଇଯାଇଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସେ ରତିଙ୍କୁ ଆଇନଗତ ସହାୟତା ଦେବା ବାହାନାରେ ବିଶ୍ୱାସ ଜିତିଥିଲେ ଏବଂ ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାକୁ ରତି ପ୍ରତ୍ୟାଖ୍ୟାନ କରିଥିଲେ।

ରତି ପୋଲିସକୁ କହିଛନ୍ତି ଯେ, ବିରାଜ ଗତ ତିନି ମାସ ଧରି ତାଙ୍କୁ ଫୋନ୍ କରୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, “ଯେଉଁ ଲୋକଟି ଆମକୁ ନ୍ୟାୟ ଦେବାରେ ସାହାଯ୍ୟ କରିବ ବୋଲି ମିଛ ଅଭିନୟ କରୁଥିଲା, ସେ ଏତେ ନିଷ୍ଠୁର ହୋଇ ମୋ ପୁଅକୁ ମୋଠାରୁ ଛଡ଼ାଇ ନେବ ବୋଲି ଆମେ କେବେ ଭାବି ନଥିଲୁ”।

ଶନିବାର ଦିନ ରତି ଏବଂ ତାଙ୍କ ମାଆ ପିଙ୍କି ଦେବୀ, ରତିଙ୍କ ସ୍ୱାମୀଙ୍କ ବିରୋଧରେ ଚାଲିଥିବା ମାମଲା ସମ୍ପର୍କରେ ଆଇନଗତ ପରାମର୍ଶ ନେବା ପାଇଁ ଶିକୋହାବାଦ ଯାଇଥିଲେ। ସେମାନଙ୍କର ଓକିଲଙ୍କ ସହ ସନ୍ଧ୍ୟାରେ ଦେଖା କରିବାର କାର୍ଯ୍ୟକ୍ରମ ଥିବାରୁ, ସେମାନେ ଯାଦବ କଲୋନୀରେ ପିଙ୍କିଙ୍କ ବନ୍ଧୁ ପୁଷ୍ପଲତାଙ୍କ ଘରେ ରହିଥିଲେ।

ପରିବାରବର୍ଗଙ୍କ ଅନୁଯାୟୀ, ବିରାଜ ମଧ୍ୟ ସେଠାରେ ପହଞ୍ଚି ରତିଙ୍କୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବା ପାଇଁ ପୁଣିଥରେ ଚାପ ପକାଇଥିଲେ। ଯେତେବେଳେ ମାଆ ଓ ଝିଅ ଦୁହେଁ ଏଥିରେ ମନା କରିଦେଲେ, ସେତେବେଳେ ସେ ଛୋଟ ଆରବକୁ ଚକୋଲେଟ୍ କିଣି ଦେବା ବାହାନାରେ ବାହାରକୁ ନେଇଯାଇଥିଲେ।

 

View this post on Instagram

 

A post shared by mid-day (@middayindia)

ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ଦିନ ପ୍ରାୟ ୨:୩୦ ସମୟରେ ଶିଶୁଟିକୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏକ ଜନଶୂନ୍ୟ ରାସ୍ତାକୁ ନେଇଯାଇଥିଲେ। ସେଠାରେ ସେ ପ୍ରାୟ ୩୪ ସେକେଣ୍ଡ ମଧ୍ୟରେ ଶିଶୁଟିକୁ ଆଠଥର ଜୋରରେ ଜମି ଉପରେ ପିଟିଥିଲେ।ଏଥି ଯୋଗୁଁ ଶିଶୁଟି ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲା। ଘଟଣା ପରେ, ଅଭିଯୁକ୍ତ ଶିଶୁର ମୃତଦେହକୁ ଫେରାଇ ଆଣି ଘରର ଗେଟ୍ ବାହାରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ପ୍ରାୟ ୧୦ ମିନିଟ୍ ପରେ ପରିବାର ସଦସ୍ୟମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁର ମୃତଦେହକୁ ଦେଖିବାକୁ ପାଇଥିଲେ।

ପରିବାରର ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ଏକାଠି ହୋଇଥିଲେ ଏବଂ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ଯାଞ୍ଚ କରିଥିଲେ। ପୋଲିସ ଏବଂ ସାକ୍ଷୀଙ୍କ ଅନୁଯାୟୀ, ସିସିଟିଭି ଫୁଟେଜରେ ଅଭିଯୁକ୍ତ ଜଣକ ବାରମ୍ବାର ଶିଶୁଟିକୁ ରାସ୍ତା ଉପରରେ ପିଟି ପିଟି ଛେଚୁ ଥିବାର ଦେଖିବାକୁ ମିଳିଥିଲା । ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ସାମ୍ନାକୁ ଆସିଛି।

ପରିବାର ସଦସ୍ୟମାନେ ତଦନ୍ତକାରୀଙ୍କୁ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ରତିଙ୍କୁ ବିବାହ କରିବା ପାଇଁ ପାଗଳ ହୋଇଯାଇଥିଲେ। ପୋଲିସ ଏବଂ ସମ୍ପର୍କୀୟଙ୍କ କହିବା ମୁତାବକ, ତାଙ୍କର ସନ୍ଦେହ ଥିଲା ଯେ ଆରବ ପାଖରେ ଥିବାରୁ ରତି ତାଙ୍କୁ ବିବାହ କରିବାକୁ ରାଜି ହେଉନାହାନ୍ତି। ସେମାନେ ଆହୁରି ଦାବି କରିଛନ୍ତି ଯେ, ପରିବାର ମଧ୍ୟରେ ବିବାଦ ଚାଲିଥିଲେ ମଧ୍ୟ ରତି ଏବଂ ତାଙ୍କ ସ୍ୱାମୀ ପୁଅର ଭବିଷ୍ୟତ ପାଇଁ ପୁଣି ଏକାଠି ହୋଇପାରନ୍ତି ବୋଲି ଅଭିଯୁକ୍ତ ଭାବୁଥିଲେ। ତଦନ୍ତକାରୀମାନେ ଏହି ଦିଗକୁ ମଧ୍ୟ ଯାଞ୍ଚ କରୁଛନ୍ତି।

ଡାକ୍ତରଖାନାରେ ଡାକ୍ତରମାନେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରିବାରକୁ ଗଭୀର ମାନସିକ ଆଘାତ ଦେଇଛି। ରତିଙ୍କ ମାଆ ପିଙ୍କି ଦେବୀ ଏକ ଘରୋଇ ସ୍କୁଲରେ କାମ କରନ୍ତି, ଏବଂ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସେମାନଙ୍କୁ ଆର୍ଥିକ ଭାବେ ଅଧିକାଂଶ ସହଯୋଗ ରତିଙ୍କ ମାମୁଁ ଧୀରଜ ଶର୍ମା କରୁଥିଲେ, ଯିଏକି ଇଟାୱାର ଭାରଥାନାରେ ରୁହନ୍ତି।

ପୋଲିସ କହିଛି ଯେ, ଫରେନସିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜକୁ ଜବତ କରିଛନ୍ତି। ବରିଷ୍ଠ ପୋଲିସ ଅଧୀକ୍ଷକ ଆଦିତ୍ୟ ଲାଙ୍ଗେହ କହିଛନ୍ତି, “ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ବାଦାଉଁ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ସେ ଶୀଘ୍ର ଜେଲ୍‌ରେ ରହିବେ।”