ଭୁଶୁଡ଼ି଼ିଲା ସ୍କୁଲ ପାଚେରୀ; ମୃତ୍ୟୁ ମୁଖରୁ ବର୍ତ୍ତିଲେ ପିଲା

ସବୁଦିନ ପରେ ଆଜି ସ୍କୁଲ ଗେଟ ଖୋଲିଥିଲା। ପିଲାମାନେ ଗେଟ ଦେଇ ସ୍କୁଲ ଭିତରକୁ ଯାଉଥିଲେ। ଠିକ୍ ସେହି ସମୟରେ ମୁଖ୍ୟ ଗେଟକୁ ଲାଗିଥିବା ପାଚେରୀଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା

କୋରାପୁଟ: ଭୁଶୁଡ଼ିଲା ସ୍କୁଲ ଗେଟ ସଂଲଗ୍ନ ପାଚେରୀ। ଯେଉଁଥିରେ ଚାପି ହୋଇ ୪ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ଅନ୍ତର୍ଗତ କାଲାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

ସବୁଦିନ ପରେ ଆଜି ସ୍କୁଲ ଗେଟ ଖୋଲିଥିଲା। ପିଲାମାନେ ଗେଟ ଦେଇ ସ୍କୁଲ ଭିତରକୁ ଯାଉଥିଲେ। ଠିକ୍ ସେହି ସମୟରେ ମୁଖ୍ୟ ଗେଟକୁ ଲାଗିଥିବା ପାଚେରୀଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ପାଚେରୀ ଭଗ୍ନାବଶେଷ ତୃତୀୟ ଶ୍ରେଣୀର ଛାତ୍ର କାମେଶା ଖିଲ ଓ ଦୀପକ ମାଝୀ ଏବଂ ବାଲବାଟିକା ବିଭାଗର ୨ ଜଣ ପିଲାଙ୍କ ଉପରେ ପଡ଼ିଥିଲା। ପିଲାଙ୍କ ଚିତ୍କାର ଶୁଣି ସ୍କୁଲ ଶିକ୍ଷକ ଓ ଗାଁ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

Uttarakhand Govt.

ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପ୍ରଶାସନ ଏଥିପାଇଁ ଯତ୍ନବାନ ରହିଛି ବୋଲି କହିଛି। ଏଥିସହ ଗେଟ ସଂଲଗ୍ନ ପାଚେରୀ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।

ସୂଚନାରୁ ପ୍ରକାଶ; ଲଘୁଚାପ ଜନିତ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ କଚ୍ଚା ଘର ଭାଙ୍ଗିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।