ନକଲି ମଦର ଚୋର ଖୋଜୁଛି ପୋଲିସ; ୪ ମୃତ, ୨୨ ମେଡିକାଲରେ
ଉଜ୍ଜୟିନୀରୁ ଅଣାଯାଇଥିଲା ୨୮ ପେଟି ନକଲି ମଦ: ଭାବନଗରର ପୁଲିସ ଅଧୀକ୍ଷକ ନିତେଶ ପାଣ୍ଡେ କହିଛନ୍ତି; ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ନକଲି ମଦ ସହ ଉଜ୍ଜୟିନୀରୁ ଅଣାଇଯାଇଥିଲା
ଭାବନଗର: ନକଲି ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ୨୨ରୁ ଅଧିକ ଆହତ ହୋଇଛନ୍ତି। ଏପରି ଘଟଣା ଗୁଜରାଟର ଭାବନଗର ଜିଲ୍ଲାରେ ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଦ କାରବାରରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅସୁସ୍ଥମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ନକଲି ମଦ ପିଇ ଏ ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଭାବନଗର ଜିଲ୍ଲାର ଉପେନ୍ଦ୍ରସିଂହ ଗୋହିଲ, ଘନଶ୍ୟାମସିଂହ ଜାଡେଜା; ଇନ୍ଦୋରର କାର୍ତ୍ତିକ ମକୱାନା ଓ ନରେନ୍ଦ୍ରସିଂହ ଯାଦବ। ଏହାଛଡ଼ା ଭାବନଗର ସହରର ଭରତନଗର, ଅକୱାଡ଼ା ଓ ତଲାଜା ରୋଡ୍ ସମେତ ଘୋଘା ତହସିଲର ଖରକଡ଼ି, ଖାଟଡ଼ି, ନାନା ଖୋଖରା ଏବଂ ଦେବଗଣା ଭଳି ଅନେକ ଅଞ୍ଚଳରେ ୨୨ରୁ ଅଧିକ ଲୋକ ନକଲି ମଦ ପିଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।
ଉଜ୍ଜୟିନୀରୁ ଅଣାଯାଇଥିଲା ୨୮ ପେଟି ନକଲି ମଦ: ଭାବନଗରର ପୁଲିସ ଅଧୀକ୍ଷକ ନିତେଶ ପାଣ୍ଡେ କହିଛନ୍ତି; ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ନକଲି ମଦ ସହ ଉଜ୍ଜୟିନୀରୁ ଅଣାଇଯାଇଥିଲା। ସେହି ବିଷାକ୍ତ ମଦ ପିଆଯାଇଥିବା ଆଶଙ୍କା କରାଯାଉଛି। ନକଲି ମଦର ଯୋଗାଣ ଓ ବିକ୍ରି ମାମଲାରେ ୪ ଜଣଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି; ନକଲି ମଦର ୨୮ଟି ପେଟି ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଭାବନଗରକୁ ଅଣାଯାଇଥିଲା। ପୁଲିସ ଏଥିରୁ ୧୫ଟି ପେଟି ଜବତ କରିଥିବା ବେଳେ ବାକି ୧୩ଟି ପେଟିର ସନ୍ଧାନ ଜାରି ରହିଛି। ତଦନ୍ତରୁ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ, ନକଲି ମଦ ସୁରତ ପର୍ୟ୍ୟନ୍ତ ଯୋଗାଣ କରାଯାଇଛି। ପୁଲିସ ଏବେ ଏହାର ସମ୍ପୂର୍ଣ୍ଣ ସପ୍ଲାଏ ଚେନ ଓ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କ ସନ୍ଧାନ କରୁଛି।


