ଆଜି ଖୋଲିବ ହୀରାକୁଦର ୪ଟି ଗେଟ୍, ମହାନଦୀକୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପୂର୍ବାହ୍ନ ୧୧ଟାରେ ପ୍ରାଥମିକ ଭାବେ ୪ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି।
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପୂର୍ବାହ୍ନ ୧୧ଟାରେ ପ୍ରାଥମିକ ଭାବେ ୪ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦେଖି ଅଧିକ ଗେଟ୍ ଖୋଲାଯିବ ଏବଂ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ଛଡ଼ାଯିବାର ସମ୍ଭାବନା ରହିଛି। ଜଳଭଣ୍ଡାରର ଜଳସ୍ତର ୬୧୧ ଫୁଟ୍ ଅତିକ୍ରମ କରିବା ପରେ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ତଳିଆ ଅଞ୍ଚଳକୁ ସତର୍କ ସୂଚନା, ମୁଖ୍ୟବନ୍ଧ ପାଲଟିଲା ‘ନୋ ଫ୍ଲାଇଂ ଜୋନ୍’
ମହାନଦୀକୁ ବନ୍ୟାଜଳ ଛଡ଼ାଯିବା ପରେ ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବ। ମହାନଦୀ ଓଡ଼ିଶାର ୧୦ରୁ ଅଧିକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୀରାକୁଦ ମୁଖ୍ୟବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ (No Flying Zone) ଘୋଷଣା କରାଯାଇଛି। ବିନା ଅନୁମତିରେ ଏହି ଅଞ୍ଚଳରେ କୌଣସି ଡ୍ରୋନ୍ କିମ୍ବା ବିମାନ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
ଓଡ଼ିଶା-ଛତିଶଗଡ଼ ଗୁରୁତ୍ବପୂର୍ଣ୍ଣ ବୈଠକ; ତଥ୍ୟକୁ ନେଇ ଅସନ୍ତୋଷ
ବନ୍ୟାଜଳ ନିଷ୍କାସନ ପୂର୍ବରୁ ସମ୍ବଲପୁରଠାରେ କେନ୍ଦ୍ରୀୟ ଜଳ ଆୟୋଗ (CWC)ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ବନ୍ୟା ପରିଚାଳନା ପାଇଁ ଜଳସ୍ତର ଓ ଜଳନିଷ୍କାସନ ସମ୍ପର୍କିତ ତଥ୍ୟର ଆଦାନ-ପ୍ରଦାନ ନେଇ ଏଥିରେ ଆଲୋଚନା ହୋଇଥିଲା। ତେବେ ଛତିଶଗଡ଼ ସରକାର ସେମାନଙ୍କର ସରାଡିହି ଓ ସିଓରିନାରାୟଣ ବ୍ୟାରେଜ୍ରୁ ଜଳନିଷ୍କାସନ ନେଇ ସଠିକ୍ ଓ ସ୍ପଷ୍ଟ ତଥ୍ୟ ଦେଉ ନଥିବା ଜଣାପଡ଼ିଛି, ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

