୪ ମାସ ପରେ ହେବ ଖାମେନେଇଙ୍କ ଅନ୍ତିମ ସଂସ୍କାର, ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଆଶା
ମୃତ୍ୟୁର ଦୀର୍ଘ ୪ ମାସ ପରେ ଇରାନର ପୂର୍ବତ୍ତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ପାର୍ଥିବ ଶରୀରକୁ ଆସନ୍ତା କାଲି ଅନ୍ତିମ ସଂସ୍କାର ପାଇଁ ଶୋଭାଯାତ୍ରାରେ ନିଆଯିବ ।
ତେହରାନ : ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ହତ୍ୟାର ପ୍ରାୟ ଚାରି ମାସ ପରେ ତାଙ୍କର ଶେଷ ଯାତ୍ରା ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଜୁନ୍ ମାସର ତୃତୀୟ ସପ୍ତାହରେ ହେବାକୁ ଥିବା ଏହି ଅନ୍ତିମ ସଂସ୍କାରରେ ପ୍ରାୟ ଦୁଇ କୋଟି ଲୋକ ସାମିଲ ହେବାର ସମ୍ଭାବନା ରହିଛି, ଯାହା ଆଧୁନିକ ଇତିହାସର ଅନ୍ୟତମ ବୃହତ୍ତମ ଶେଷ ଯାତ୍ରା ହୋଇପାରେ। ଇରାନୀ ଅଧିକାରୀଙ୍କ ମୁତାବକ, ଖାମେନେଇଙ୍କ ପାର୍ଥିବ ଶରୀରକୁ ତେହେରାନ, କୋମ୍ ଏବଂ ମଶହଦରେ ଅନ୍ତିମ ଦର୍ଶନ ପାଇଁ ନିଆଯିବ। ତିନି ଦିନ ଧରି ଜନସାଧାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇବେ ଏବଂ ଏହାପରେ ତାଙ୍କୁ ମଶହଦରେ ସମାଧି ଦିଆଯିବ।
ଅଧିକାରୀମାନେ ଜଣାଇଛନ୍ତି ଯେ, ଇରାନର ପବିତ୍ର ସହର ମଶହଦରେ ଥିବା ଇମାମ ରଜାଙ୍କ ଦରଗାହ ନିକଟରେ ସମାଧି ନେବା ଖାମେନେଇଙ୍କ ଶେଷ ଇଚ୍ଛା ଥିଲା। ଶିଆ ମୁସଲିମ ସମ୍ପ୍ରଦାୟ ପାଇଁ ଏହା ବିଶ୍ୱର ଅନ୍ୟତମ ପବିତ୍ର ଧାର୍ମିକ ସ୍ଥଳ ଭାବେ ବିବେଚିତ ହୁଏ। ଅଲି ଅଲ-ରିଦା ନାମରେ ମଧ୍ୟ ପରିଚିତ ଇମାମ ରଜା, ଟ୍ୱେଲଭର୍ ଶିଆ ପରମ୍ପରାର ଅଷ୍ଟମ ଇମାମ ଥିଲେ। ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ତାଙ୍କ ଦରଗାହକୁ ଆସିଥାନ୍ତି ଏବଂ ଏହାକୁ ଇରାନର ଆଧ୍ୟାତ୍ମିକ ପରିଚୟର ପ୍ରମୁଖ କେନ୍ଦ୍ର ବୋଲି ମାନିଥାନ୍ତି। ଇରାନୀ ଅଧିକାରୀଙ୍କ ଅନୁସାରେ, ମୁଖ୍ୟ ଶୋକ ସଭା ତେହେରାନରେ ଆୟୋଜିତ ହେବ, ଯାହା ପ୍ରାୟ ୨୪ ଘଣ୍ଟା ଧରି ଚାଲିପାରେ। ଏହାପରେ ପାର୍ଥିବ ଶରୀରକୁ ଧାର୍ମିକ ସହର କୋମ୍ ଏବଂ ପରେ ମଶହଦ ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ତେହେରାନ ନଗର ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ, ଶେଷ ଯାତ୍ରା ପବିତ୍ର ସହର କୋମ୍ ଏବଂ ମଶହଦ ଦେଇ ଯିବ, ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
ଇସଲାମୀ ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କିଛି ଦିନ ମଧ୍ୟରେ ତାଙ୍କୁ ସମାଧି ଦିଆଯାଇଥାଏ, କିନ୍ତୁ ଇରାନୀ ଅଧିକାରୀମାନେ କହିଛନ୍ତି ଯେ ଯୁଦ୍ଧକାଳୀନ ପରିସ୍ଥିତି, ସୁରକ୍ଷା ଆହ୍ୱାନ ଏବଂ ଅପ୍ରତ୍ୟାଶିତ ଭିଡ଼ର ଆଶଙ୍କା ଯୋଗୁଁ ଅନ୍ତିମ ସଂସ୍କାରକୁ ସ୍ଥଗିତ ରଖିବାକୁ ପଡିଥିଲା । ଅଧିକାରୀଙ୍କ ମତରେ, ଏତେ ବଡ଼ ଆୟୋଜନ ପାଇଁ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଅତିରିକ୍ତ ସମୟର ଆବଶ୍ୟକତା ଥିଲା । ବିଶ୍ଳେଷକମାନେ ମତ ଦିଅନ୍ତି ଯେ ଯଦି ଅନୁମାନିତ ଦୁଇ କୋଟି ଲୋକ ଏହି ଅନ୍ତିମ ସଂସ୍କାରରେ ସାମିଲ ହୁଅନ୍ତି, ତେବେ ଏହା ୧୯୮୯ ମସିହାରେ ଇରାନର ଇସଲାମୀ ଗଣରାଜ୍ୟର ସଂସ୍ଥାପକ ଅୟାତୁଲ୍ଲା ରୁହୋଲ୍ଲାଃ ଖୋମେନୀଙ୍କ ଶେଷ ଯାତ୍ରାର ରେକର୍ଡ ଭାଙ୍ଗିପାରେ । ଖୋମେନୀଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ଏକ କୋଟି ଲୋକ ସାମିଲ ହୋଇଥିଲେ । ସେହି ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ ।
ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତବା ଖାମେନେଇଙ୍କୁ ନୂତନ ସର୍ବୋଚ୍ଚ ନେତା ଭାବେ ଚୟନ କରାଯାଇଥିଲା । ତେବେ କ୍ଷମତା ଗ୍ରହଣ କରିବା ପରଠାରୁ ସେ ଅପେକ୍ଷାକୃତ କମ୍ ସର୍ବସାଧାରଣରେ ଦେଖିବାକୁ ମିଳିଛନ୍ତି । ବିଶେଷଜ୍ଞମାନେ କୁହନ୍ତି ଯେ ଏହି ଅନ୍ତିମ ସଂସ୍କାର କେବଳ ଏକ ଧାର୍ମିକ ଆୟୋଜନ ହେବ ନାହିଁ, ବରଂ ଏହାକୁ ଇରାନର ରାଜନୈତିକ ଏବଂ ବୈଚାରିକ ଏକତା ପ୍ରଦର୍ଶନର ଏକ ମାଧ୍ୟମ ଭାବେ ମଧ୍ୟ ବିବେଚନା କରାଯାଉଛି । ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ଇମାମ ରଜାଙ୍କ ଦରଗାହ ନିକଟରେ ସମାଧି ଦିଆଯିବା ଦ୍ୱାରା ଖାମେନେଇଙ୍କ ଉତ୍ତରାଧିକାରକୁ ଧାର୍ମିକ ଗୁରୁତ୍ୱ ମଧ୍ୟ ମିଳିବ । ସମର୍ଥକମାନଙ୍କ ପାଇଁ ଏହି ପଦକ୍ଷେପ ତାଙ୍କୁ ଶିଆ ଇତିହାସ ଏବଂ ଇମାମମାନଙ୍କ ପରମ୍ପରା ସହିତ ଯୋଡ଼ୁଥିବା ଏକ ପ୍ରତୀକ ଭାବେ ବିବେଚନା କରାଯାଉଛି । ଆଗାମୀ ଦିନରେ ସମଗ୍ର ବିଶ୍ୱର ନଜର ଏହି ଶେଷ ଯାତ୍ରା ଉପରେ ରହିବ, କାରଣ ଏହା କେବଳ ଇରାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ ନାହିଁ, ବରଂ ମଧ୍ୟ ପୂର୍ବର ରାଜନୀତି ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିପାରେ ।

