ଉଦ୍ଧବଙ୍କ ବୈଠକକୁ ଆସିଲେ ୪ ସାଂସଦ: ଆଉ ୫ ଗଲେ କୁଆଡ଼େ?

‘ଅପରେସନ୍ ଟାଇଗର' ଚର୍ଚ୍ଚା ଭିତରେ ରବିବାର ଶିବସେନା (ୟୁବିଟି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମାତୋଶ୍ରୀରେ ହୋଇଥିବା ବୈଠକରେ ଉଦ୍ଧବ ଠାକରେ ଅଧ୍ୟକ୍ଷତା କରିଥିଲେ

ମୁମ୍ବାଇ: ପଶ୍ଚିମବଙ୍ଗ ଘଟଣା ମହାରାଷ୍ଟ୍ରରେ ରିପିଟ୍ ହେବ କି? ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ମାତୋଶ୍ରୀରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମାତ୍ର ୪ ଜଣ ସାଂସଦ ଯୋଗଦେଇଥିଲେ। ହେଲେ ବାକି ସାଂସଦ ଗଲେ କୁଆଡ଼େ? ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଭିତରେ ସାମ୍ନାକୁ ଆସି ସଫେଇ ଦେଇଥିଲେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ।

‘ଅପରେସନ୍ ଟାଇଗର’ ଚର୍ଚ୍ଚା ଭିତରେ ରବିବାର ଶିବସେନା (ୟୁବିଟି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମାତୋଶ୍ରୀରେ ହୋଇଥିବା ବୈଠକରେ ଉଦ୍ଧବ ଠାକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଯୋଗଦେବା ପାଇଁ ୯ ଜଣ ସାଂସଦଙ୍କୁ ଡକାଇଥିଲା। ସମସ୍ତେ ଆସିବେ ବୋଲି ସହମତି ପ୍ରକାଶ କରିଥିଲେ। ହେଲେ ବୈଠକରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ୯ ବଦଳରେ ବୈଠକରେ ଯୋଗଦେଇଥିଲେ ମାତ୍ର ୪ ସାଂସଦ।

ସାଂସଦଙ୍କ ଅନୁପସ୍ଥିତି ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇବା ପାଇଁ ୟୁବିଟିର ଫାୟାରବ୍ରାଣ୍ଡ ନେତା ସଞ୍ଜୟ ରାଉତ ସାମ୍ନାକୁ ଆସିଥିଲେ। ସେ ସ୍ପଷ୍ଟ କରିଛନ୍ତି, ବୈଠକରେ ୪ ଜଣ ସାଂସଦ ଉପସ୍ଥିତ ଥିଲେ। ବାକି ୫ ଜଣ ସାଂସଦ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ। ଅନ୍ୟପକ୍ଷରେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ଶ୍ରୀ ରାଉତ।

ସୂଚନାରୁ ପ୍ରକାଶ, ୟୁବିଟିର ଅନେକ ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଯୋଗାଯୋଗରେ ଅଛନ୍ତି। ସେମାନେ ସମୟ ସୁବିଧା ଦେଖି ସିନ୍ଦେଙ୍କ ଶିବସେନାରେ ଯୋଗଦେବେ।
୨୦୨୨ ମସିହାରେ ଶିବସେନାରେ ହୋଇଥିବା ବଡ଼ ବିଦ୍ରୋହ। ତା’ପରେ ଶିବସେନା ଦୁଇ ଭାଗ ହୋଇଥିଲା। ଏକନାଥ ସିନ୍ଦେ ଶିବସେନାର ମୁଖ୍ୟ ହୋଇଥିବା ବେଳେ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ମୁଖ୍ୟ ହୋଇଥିଲେ ଉଦ୍ଧବ ଠାକରେ। ତାଙ୍କ ନେତୃତ୍ୱାଧୀନ ଦଳ ଲଗାତାର ରାଜନୈତିକ ଓ ସାଂଗଠନିକ ଆହ୍ୱାନର ସମ୍ମୁଖୀନ ହେଉଛି।

ଦଳର ନାମ ଓ ନିର୍ବାଚନ ଚିହ୍ନ ହରାଇବା ପରେ ମଧ୍ୟ ଲୋକସଭା ନିର୍ବାଚନରେ ମିଳିଥିବା ଭଲ ପ୍ରଦର୍ଶନ ଉଦ୍ଧବ ଗୋଷ୍ଠୀକୁ ନୂଆ ଶକ୍ତି ଦେଇଥିଲା। କିନ୍ତୁ ଯଦି ଏବେ ଦଳର ସାଂସଦ ବା ବରିଷ୍ଠ ନେତାଙ୍କ ଅସନ୍ତୋଷର ଖବର ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ନେତୃତ୍ୱ ପାଇଁ ନୂଆ ପରୀକ୍ଷା ହେବ।