ଖାଇବା ଲୋଭ ଦେଖାଇ ଘରୁ ଡ଼ାକି ନେଲା, ଦୁଷ୍କର୍ମ ପରେ ପଥରରେ ଛେଚିଦେଲା
ସ୍ଥାନୀୟ ଲୋକେ ମୁମ୍ବାଇ-ବାଙ୍ଗାଲୁରୁ ଜାତୀୟ ରାଜପଥ ଅବରୋଧ କରିଥିଲେ। ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା
ଥାଣେ: କଅଁଳ କଢ଼ିଟି। ଦୁଷ୍କର୍ମ କଣ ଜାଣିନି। ଖାଇବା ଲୋଭରେ ଚାଲି ଯାଇଥିଲା। ହେଲେ ସେ କଣ ଜାଣିଥିଲା, ଘରର ଚାରି କାନ୍ଥ ବାହାରେ ଜଗି ରହିଥିଲା ନର ରାକ୍ଷସ। ଘରୁ ପାଦ କାଢ଼ିବା କ୍ଷଣି ଦୁଷ୍କର୍ମ କରି ପଥରରେ ଛେଚି ମାରିଦେଲା। ଏପରି ବୀଭତ୍ସା ଓ ନୃଶଂସ ହତ୍ୟାକାଣ୍ଡ ମହାରାଷ୍ଟ୍ରର ପୁଣେ ଜିଲ୍ଳାରେ ଘଟିଛି। ସବୁଠାରୁ ଦୁଃଖର ବିଷୟ ଏହି କୁତ୍ସିତ ଘଟଣାରେ ଗିରଫ ଅଭିଯୁକ୍ତ ହେଉଛି ଜଣେ ୬୫ ବର୍ଷୀୟ ବୃଦ୍ଧ।
ଶୁକ୍ରବାର ୬୫ ବର୍ଷୀୟ ଅଭିଯୁକ୍ତ ୪ ବର୍ଷର ନାବାଳିକାକୁ ଖାଇବା ଲୋଭ ଦେଖାଇ ଘରୁ ଡାକି ନେଇଥିଲା। ଝିଅଟି କିଛି ବୁଝି ନପାରି ତା’ ସହିତ ଚାଲି ଯାଇଥିଲା। ମାଂସ ଲୋଭି ନର ରାକ୍ଷସ, ଝିଅଟିକୁ ଶୂନାଶାନ ସ୍ଥାନରେ ଥିବା ଏକ ଶୌଚାଳୟକୁ ନେଇଯାଇଥିଲା। ତାକୁ ଦୁଷ୍କର୍ମ କରିଥିଲା। କାଳେ ପାପ ପଦାରେ ପଡ଼ିଯିବ ସେହି ଭୟରେ ନାବାଳିକାକୁ ପଥରରେ ଛେଚି ମାରିଦେଇଥିଲା। ପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଶୁଖିଲା ଗୋବର ଗଦା ଭିତରେ ପୋତି ଦେଇଥିଲା।
ଅନ୍ୟପକ୍ଷରେ ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ତା’ ପତ୍ତା ପାଇନଥିଲେ। ଶେଷରେ ପରିବାର ଲୋକେ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୀଡ଼ିତାଙ୍କ ଘରଠାରୁ ଅଳ୍ପ ଦୂରରେ ଏକ ସିସିଟିଭି ଦେଖିବାକୁ ପାଇଥିଲା। ତା’ପରେ ସେହି ସିସିଟିଭିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅଭିଯୁକ୍ତ ୬୫ ବର୍ଷୀୟ ବୃଦ୍ଧ, ନାବାଳିକାକୁ ସାଥୀରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା।
ସିସିଟିଭି ତଥ୍ୟ ଆଧାରରେ ପୋଲିସ ଅଭିଯୁକ୍ତକୁ ତା’ ଘରୁ ମାଡ଼ି ବସିଥିଲା। ତାକୁ ପଚରାଉଚରା ବେଳେ ସେ ସବୁ ସତକଥା କହି ପକାଇଥିଲା। ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଏହି ଘଟରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମୁମ୍ବାଇ-ବାଙ୍ଗାଲୁରୁ ଜାତୀୟ ରାଜପଥ ଅବରୋଧ କରିଥିଲେ। ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
