fbpx

ଆଇପିଏଲ ୨୦୨୧ରୁ ହଟି ପାରନ୍ତି ଇଂଲଣ୍ଡ ଖେଳାଳି, ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ନେଇ ଟିମ୍ ଇଣ୍ଡିଆ ଉପରେ ଖପ୍ପା !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିପାରେ । ଇଂଲଣ୍ଡର ଖେଳାଳି ଟେଷ୍ଟ ବାତିଲ ହେବାରେ ଭାରତୀୟ ଖେଳାଳିଙ୍କୁ ଦାୟୀ ମାନୁଛନ୍ତି । ଏଥିସହ ଭାରତୀୟ ଦଳ ପ୍ରତି ମଧ୍ୟ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଖପ୍ପା । ଏହି କାରଣରୁ ଆଇପିଏଲ ୨୦୨୧ ଖେଳିବାକୁ ଥିବା ଇଂଲଣ୍ଡର ୫ ଖେଳାଳି ଜନି ବେୟାରଷ୍ଟୋ, ସାମ କରନ, ମୋଇନ ଅଲ୍ଲୀ, ଡେଭିଡ୍ ମଲାନ ଓ କ୍ରିସ୍ ୱକ୍ସ ଲିଗରୁ ହଟି ପାରନ୍ତି । ଏହି ସମସ୍ତ ଇଂଗ୍ଲିଶ ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ସହ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ଜରିଆରେ ୟୁଏଇ ଯିବାର ଥିଲା । ଏଠାରେ ସଭିଙ୍କୁ ୬ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।

ସୂଚନାଯୋଗ୍ୟ, ଶୁକ୍ରବାରଠୁ ମାଞ୍ଚେଷ୍ଟରରେ ସିରିଜରେ ଅନ୍ତିମ ମୁକାବିଲା ଆରମ୍ଭ ହେବାର ଥିଲା । ମାତ୍ର ଟସର ୨ ଘଣ୍ଟା ପୂର୍ବରୁ ମ୍ୟାଚ୍ ବାତିଲ ଘୋଷଣା କରାଯାଇଥିଲା । ବ୍ରିଟିଶ ଖବର କାଗଜ ଦ ସନର ରିପୋର୍ଟ ଅନୁଯାୟୀ, କିଛି ଇଂଲଣ୍ଡ ଖେଳାଳି ଦାବି କରିଛନ୍ତି ଯେ, ଭାରତୀୟ ଖେଳାଳି କରୋନା ପ୍ରୋଟୋକଲ ଠିକରେ ପାଳନ କରି ନାହାନ୍ତି । ଦଳର ସହାୟକ ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ୍ ଚିହ୍ନଟ ପରେ ଭାରତୀୟ ଦଳର ଖେଳାଳିଙ୍କୁି ହୋଟେଲରେ କ୍ୱାରେଣ୍ଟାଇନ ରହିବାର ଥିଲା । କିନ୍ତୁ ଟେଷ୍ଟର ଗୋଟିଏ ଦିନ ପୂର୍ବେ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଖେଳାଳି ମାଞ୍ଚେଷ୍ଟରରେ ବୁଲୁଥିଲେ ।

ମାଞ୍ଚେଷ୍ଟର ଟେଷ୍ଟ ଶୁକ୍ରବାର ସକାଳେ ବାତିଲ ଘୋଷଣା କରାଯାଇଥିଲେ ହେଁ ଏହାର ଯୋଜନା ଗୁରୁବାର ରାତି ହିଁ ପ୍ରସ୍ତୁତ କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଇସିବିର ମୁଖ୍ୟ କାର୍ଯ୍ୟକାରୀ ଟମ ହ୍ୟାରିସନଙ୍କ ପାଖକୁ ସମସ୍ତ ଭାରତୀୟ ଖେଳାଳିଙ୍କ ଦସ୍ତଖତର ଏକ ଇ-ମେଲ୍ ଆସିଥିଲା । ଏଥିରେ ଲେଖା ହୋଇଥିଲା ଯେ, ସେମାନେ ଓଲଡ ଟ୍ରାଫର୍ଡରେ ଟେଷ୍ଟ ଖେଳିବା ପାଇଁ ପ୍ରସ୍ତୁତ ନୁହନ୍ତି । ଇସିବି ଗୋଟିଏ କି ଦୁଇ ଦିନ ବିଳମ୍ବରେ ମ୍ୟାଚ୍ ଆରମ୍ଭ କରାଯିବ ବୋଲି ପ୍ରସ୍ତାବ ଦେଇଥିଲା । ହେଲେ ଭାରତୀୟ ଖେଳାଳି ଏଥିପାଇଁ ପ୍ରସ୍ତୁତ ନଥିଲେ । କାରଣ ଖେଳାଳିଙ୍କୁ କରୋନା ସଂକ୍ରମିତ ହେବାର ଡର ରହିଥିଲା । ବିଶେଷ କରି ସେହି ଖେଳାଳି ଯେଉଁମାନେ ଫିଜିଓ ଯୋଗେଶ ପରମାରଙ୍କ ସଂସ୍ପର୍ଶରେ ଆସିଥିଲେ ।

Get real time updates directly on you device, subscribe now.