ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ହ୍ରଦ ମଝିରେ ଫସିଲେ ୫୦ ଯାତ୍ରୀ
ଚିଲିକା ହ୍ରଦ ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଯାତ୍ରୀବାହୀ ଲଞ୍ଚ ଅଟକି ରହିବାରୁ ଅତିକମରେ ୫୦ ଜଣ ଯାତ୍ରୀ ଫସି ରହିଥିଲେ।
ଚିଲିକା: ଚିଲିକା ହ୍ରଦ ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଯାତ୍ରୀବାହୀ ଲଞ୍ଚ ଅଟକି ରହିବାରୁ ପ୍ରାୟ ୫୦ ଜଣ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଲଞ୍ଚଟି ବାଲୁଗାଁରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଏଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା।
ଖବର ଅନୁଯାୟୀ, ଲଞ୍ଚଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ମଝି ହ୍ରଦରେ ଅଚଳ ହୋଇପଡ଼ିଥିଲା। ଏହା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତିନୋଟି ଡଙ୍ଗା ନେଇ ହ୍ରଦ ମଝିକୁ ଯାଇଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା। ଏହି ଘଟଣାରେ କୌଣସି ପ୍ରକାର ଅଘଟଣ କିମ୍ବା ଆହତ ହେବାର ଖବର ମିଳିନାହିଁ। ଏହି ଘଟଣା ଚିଲିକାରେ ଚାଲୁଥିବା ଫେରି ସେବାର ନିରାପତ୍ତା ଓ ରକ୍ଷଣାବେକ୍ଷଣକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


