fbpx

ଓଡ଼ିଶାରେ ୫୩୩୩ ଅତିରିକ୍ତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ଲାଗି ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ, ସୃଷ୍ଟି ହେବ ନିଯୁକ୍ତି

ଭୁବନେଶ୍ୱର: ୧ ଅକ୍ଟୋବର ୨୦୨୨ରେ ଭାରତରେ ୫ଜି ଦୂରସଞ୍ଚାର ସେବାର ଶୁଭାରମ୍ଭ ହୋଇଥିଲା, ଏହା ବିଶ୍ୱସ୍ତରରେ ଏକ ଆର୍ଥିକ ଏବଂ ପ୍ରଯୁକ୍ତି ମହାଶକ୍ତି ଭାବେ ଭାରତର ସ୍ଥିତିକୁ ସୁଦୃଢ଼ ଏବଂ ଗତିଶୀଳ କରିଥିଲା । ଏହାପରେ ଜାତୀୟସ୍ତରରେ ୫ଜି କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ୫ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୨୪ ସୁଦ୍ଧା ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

୫ଜି ପ୍ରଯୁକ୍ତି ସାରା ଦେଶରେ ବାଧାମୁକ୍ତ ପ୍ରସାର, ଉନ୍ନତ ଡାଟା ଦର, କମ ବିଳମ୍ବତା ସହିତ ଅଧିକ ଭରସାଯୋଗ୍ୟ ସଞ୍ଚାର ନେଟୱର୍କ ଯୋଗାଇ ଦେଇଥାଏ । ଏହା ଇନ୍ଧନ ଦକ୍ଷତା, ସ୍ପେକ୍ଟ୍ରମ ଦକ୍ଷତା ଏବଂ ନେଟୱର୍କ ଦକ୍ଷତା ବୃଦ୍ଧି କରିବ । ୫ଜି ସେବା ଆରମ୍ଭ ହେବା ପରେ କୃଷି, ସ୍ୱାସ୍ଥ୍ୟ, ପରିବହନ, ଲଜିଷ୍ଟିକ୍ସ, ଶିଳ୍ପ ୪.୦ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଦି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

ଆଜି ଓଡ଼ିଶାରେ ୫୦୦ରୁ ଅଧିକ ଟାୱାରରେ ୫ଜି ସେବା ଯୋଗାଇ ଦିଆଯାଉଛି । ୨୦୨୨ର ୫ଜି ନିଲାମୀ ସମୟରେ, ୨୦୨୫.୨ ଏମଏଚଜେଡ୍ କ୍ଷମତା ବିଶିଷ୍ଟ ସମର୍ପିତ ସ୍ପେକ୍ଟ୍ରମ ଓଡ଼ିଶାରେ ବିକ୍ରି ହୋଇଥିଲା ଯାହାକି ଓଡ଼ିଶାର ସବୁ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଏହି ସେବା ଯୋଗାଇବାକୁ ସକ୍ଷମ କରିଥିଲା । ଏହାବ୍ୟତୀତ, ଓଡ଼ିଶାରେ ସଂଯୋଗ ଓ କାର୍ଯ୍ୟକ୍ଷମ ହୋଇଥିବା ସବୁ ୪ଜି ଟାୱାର ୫ଜି ଭାବେ ଅପଗ୍ରେଡ୍ ହେବାକୁ ସକ୍ଷମ ।

ଓଡ଼ିଶାରେ ୩.୩ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା ଏବଂ ୨.୨ କୋଟି ବ୍ରଡବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି । ଏବେ ସୁଦ୍ଧା ସାରା ରାଜ୍ୟରେ ୧.୨୦ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର କେବୁଲ ବିଛା ଯାଇସାରିଛି । ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ମୋଟ୍ ମୋବାଇଲ ଟାୱାର ସଂଖ୍ୟା ୨୦୧୪ରେ ୭୫୬୨ ଥିବା ବେଳେ ଏହା ୨୦୨୩ରେ ୨୪,୬୯୨କୁ ବୃଦ୍ଧି ପାଇଛି । ଓଡ଼ିଶାରେ ୫୬୦୦ କୋଟି ଟଙ୍କା ମୋଟ୍ ବ୍ୟୟ ଅଟକଳ ସହିତ ୭୪୮୫ ଗ୍ରାମକୁ ଯୋଡ଼ୁଥିବା ୫୩୩୩ ଅତିରିକ୍ତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଜୁର କରିଛନ୍ତି ।

ପ୍ରସ୍ତାବିତ ମୋବାଇଲ ଟାୱାର ମଧ୍ୟରୁ ୫୨% ଟାୱାର କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଅଞ୍ଚଳର ୮ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ୱାରା ମୋବାଇଲ ସେବାରୁ ଆଂଶିକ ଏବଂ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ଥିବା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବହୁ ଗାଁର ଲୋକମାନେ ଉପକୃତ ହୋଇପାରିବେ । ଆଦିବାସୀ ଅଞ୍ଚଳକୁ ଯୋଡ଼ିବା ଓ ସଶକ୍ତ କରିବା ଲାଗି ୩୦୦୦ରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ଲାଗି ଯୋଜନା କରାଯାଇଛି ।

ଗ୍ରାମାଞ୍ଚଳରେ ହାଇସ୍ପିଡ୍ ୫ଜି ନେଟୱର୍କ ସଂଯୋଗ ଯୋଗାଇ ଦେବା ଲାଗି ୯୦% ପ୍ରତିଶତ ଟାୱାର କାର୍ଯ୍ୟକ୍ଷମ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏବେ ସୁଦ୍ଧା, ୪୭୪୮ଟି ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଏସବୁର କାର୍ଯ୍ୟ ଜାରି ରହିଛି । ୩୫୬ଟି ଟାୱାର ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଅଗଷ୍ଟ ୨୦୨୪ ସୁଦ୍ଧା ଅବଶିଷ୍ଟ କାର୍ଯ୍ୟକ୍ଷମ ହେବ । ଟାୱାରଗୁଡ଼ିକ ଜରିଆରେ ଓଡ଼ିଶାର ସବୁ ଅପହଞ୍ଚ ଗ୍ରାମରେ ଉଚ୍ଚ ଗୁଣବତ୍ତା ଯୁକ୍ତ ନେଟୱର୍କ ଯୋଗାଯୋଗ ସୁବିଧା ଯୋଗାଇ ଦବାକୁ ଯୋଜନା କରାଯାଇଛି ।

ଯେଉଁ ସବୁ ସହରରେ ୫ଜି ସେବା ଆରମ୍ଭ ହୋଇଛି ସେଠାରେ ଉଲ୍ଲେଖନୀୟ ଭାବେ କଲ ଡ୍ରପ୍ ସଂଖ୍ୟା ହ୍ରାସ ପାଇଛି ଏବଂ ଡାଉନଲୋଡ ସ୍ପିଡରେ ସୁଧାର ଆସିଛି । ଠିକ ସମୟରେ ବେସ୍ ରିସିଭର ଷ୍ଟେସନ (ବିଟିଏସ) ସଂଯୋଗ ହେବା ପରେ ସାରା ରାଜ୍ୟରେ ଉନ୍ନତ ୫ଜି ନେଟୱର୍କ କଭରେଜ୍ ମିଳିପାରିଛି । ୫ଜି ନେଟୱର୍କର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ଅନୁକୂଳ ପରିସ୍ଥିତି ଓ ସମନ୍ୱୟ ଆବଶ୍ୟକ ।

Get real time updates directly on you device, subscribe now.