fbpx

ଘାଟିକୁ ୬ ହଜାର ସୈନିକଙ୍କ ପ୍ରତ୍ୟାବର୍ତନ, ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ନେଇ ଚର୍ଚ୍ଚା ଜୋର

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି । ନିର୍ବାଚନ ଡ୍ୟୁଟିରେ ମୁତୟନ ଅର୍ଦ୍ଧସାମରିକ ବଳର ୬ ହଜାର ଯବାନ ଯେବେଠୁ ଘାଟିକୁ ଫେରିଛନ୍ତିି ତେବେଠୁ କାଶ୍ମୀରରେ ଆଲୋଚନା ଜୋର ଧରିଛି । ଲୋକଙ୍କ ମଧ୍ୟରେ କେନ୍ଦ୍ର ଶାସିତ ଅଂଚଳର ପୁର୍ନବିଭାଜନ , ଜିଲ୍ଲାର ପୁନର୍ଗଠନକୁ ନେଇ ଚର୍ଚ୍ଚା ଜାରି ରହିଛି । ଏମିତି ମଧ୍ୟ କଳ୍ପନା ଜଳ୍ପନା କରାଯାଉଛି ଯେ, ଜାମ୍ମୁ-କାଶ୍ମୀରରେ ଶୀଘ୍ର ନିର୍ବାଚନ କରାଯାଇପାରେ । ଏପରିକି ପୁଣି ଥରେ ରାଜ୍ୟ ମାନ୍ୟତା ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

କାଶ୍ମୀରରେ ୬ ହଜାର ସୈନିକଙ୍କ ପ୍ରତ୍ୟାବର୍ତନ ନେଇ ନେତାଙ୍କ ମନରେ ମଧ୍ୟ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି । ପିପୁଲ୍ସ କଂଗ୍ରେସର ପ୍ରମୁଖ ସଜାଦ ଲୋନ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି ଯେ, ଅର୍ଦ୍ଧସାମିରକ ବଳର ୬୦ କମ୍ପାନୀ ଏଠାରେ ପହଂଚିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଲୋକଙ୍କ ମଧ୍ୟରେ ଭିନ୍ନ ଧରଣର ମାହୋଲ ରହିଛି । ସୂଚନାଯୋଗ୍ୟ, ଯେଉଁ ଛଅ ହଜାର ଯବାନଙ୍କୁ ଉପତ୍ୟକାରେ ପୁଣି ଥରେ ମୁତୟନ କରାଯାଇଛି, ସେମାନଙ୍କୁ ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ଡ୍ୟୁଟିରେ ଲଗାଯାଇଥିଲା । ଏହି ସୈନିକ ୨୦୧୯ ଅଗଷ୍ଟ ୫ରୁ କାଶ୍ମୀରରେ ମୁତୟନ ଅଛନ୍ତି । ଏହି ଦିନ ହିଁ ଜାମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରାଯାଇଥିଲା ।

ଜାମ୍ମୁ କ୍ଷେତ୍ରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି, ଜାମ୍ମୁ-କାଶ୍ମୀରରେ କୌଣସି ଅତିିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇ ନାହିଁ । କିନ୍ତୁ ତାଙ୍କ ଟ୍ୱିଟକୁ ଲୋକେ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି । ଏହି ସମୟରେ ସାମାଜିକ ଗଣମାଧ୍ୟମରେ ଜାମ୍ମୁ-କାଶ୍ମୀରର ପୁର୍ନବିଭାଜନକୁ ନେଇ ଅପପ୍ରଚାର ଜୋରସୋରରେ ଚାଲିଛି । ଏହି ସମୟରେ ଏହି ଧରଣର ମଧ୍ୟ ଖବର ଆସୁଛି ଯେ, ଜାମ୍ମୁ-କାଶ୍ମୀରକୁ ପୁଣି ଥରେ ରାଜ୍ୟର ମାନ୍ୟତା ମିଳିବ ।

 

Get real time updates directly on you device, subscribe now.