ମହିଳାଙ୍କ ହର୍ମୋନ୍‌ ହେଲ୍ଥ ପାଇଁ ବରଦାନଠାରୁ କମ୍ ନୁହେଁ ସକାଳର ଏହି ଅଭ୍ୟାସ, ହର୍ମୋନ୍‌ ସହ ମୁଡ୍‌ ମଧ୍ୟ ରହିବ ଭଲ

ସକାଳର ରୁଟିନ୍ ଦିନସାରା ଶରୀର ଓ ମୁଡ୍‌ ଉପରେ ପ୍ରଭାବ ପକାଇପାରେ। ମୁଡ୍ ଓ ଶରୀରର ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଲାଭଦାୟକ।

ଭୁବନେଶ୍ୱର: ସକାଳର ଆରମ୍ଭ କେମିତି ହେଉଛି, ତାହା ଦିନସାରା ଆମର ମୁଡ୍ ଓ ଶରୀରର ସକ୍ରିୟତା ଉପରେ ପ୍ରଭାବ ପକାଇପାରେ। ବିଶେଷକରି ମହିଳାଙ୍କ ଶରୀରରେ ହର୍ମୋନ୍‌ର ପରିବର୍ତ୍ତନ ନିୟମିତ ଶୋଇବା ଓ ଉଠିବା, ମୁଡ୍ ଓ ଅନ୍ୟାନ୍ୟ ଲକ୍ଷଣ ସହ ଜଡ଼ିତ ହୋଇପାରେ।

ତେଣୁ ନିୟମିତ ଶୋଇବା ଏବଂ ଉଠିବା, ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ଓ ଷ୍ଟ୍ରେସ୍ କମାଇବା ଭଳି ଲାଇଫ୍‌ଷ୍ଟାଇଲ୍ ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ।

ସକାଳୁ କିଛି ଛୋଟ ଛୋଟ ଭଲ ଅଭ୍ୟାସକୁ ଦୈନନ୍ଦିନ ରୁଟିନ୍‌ରେ ସାମିଲ କରିଲେ ଶରୀରକୁ ସୁସ୍ଥ ରଖିବା ସହ ମୁଡ୍ ଓ ଷ୍ଟ୍ରେସ୍ ମ୍ୟାନେଜ୍‌ମେଣ୍ଟରେ ମଧ୍ୟ ସହାୟତା ମିଳିପାରେ।

ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଉଠନ୍ତୁ: ରାତିରେ ଠିକ୍ ସମୟରେ ଶୋଇବା ଓ ସକାଳେ ପ୍ରାୟ ସମାନ ସମୟରେ ଉଠିବା ଦ୍ୱାରା ଶରୀରର ସ୍ଲିପ୍-ୱେକ୍ ସାଇକେଲ୍ ନିୟମିତ ରହିପାରେ। ଭଲ ଘୁମ ମୁଡ୍, ଶକ୍ତି ଓ ଦୈନନ୍ଦିନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରୀ।

ସକାଳେ ପାଣି ପିଇ ଦିନ ଆରମ୍ଭ କରନ୍ତୁ: ସକାଳୁ ଉଠିବା ପରେ ପାଣି ପିଇବା ଶରୀରକୁ ହାଇଡ୍ରେଟେଡ୍ ରଖିବାର ଏକ ସରଳ ଅଭ୍ୟାସ। ତେବେ ଗରମ ପାଣି ପିଇଲେ ହିଁ ‘ଟକ୍ସିନ୍ ବାହାରିଯାଏ’ କିମ୍ବା ହର୍ମୋନ୍ ସନ୍ତୁଳିତ ହୋଇଯାଏ, ଏଭଳି ଦାବି ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ।

ଯୋଗ କିମ୍ୱା ହାଲୁକା ବ୍ୟାୟାମ କରନ୍ତୁ: ସକାଳରେ ହାଲୁକା ବ୍ୟାୟାମ, ଯୋଗ କିମ୍ବା କିଛି ସମୟ ହାଟିବା ଦୈନନ୍ଦିନ ଶାରୀରିକ ସକ୍ରିୟତା ବଢ଼ାଇପାରେ। ନିୟମିତ ବ୍ୟାୟାମ ମୁଡ୍ ଭଲ କରିବା, ଘୁମରେ ସହାୟତା କରିବା ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

ସକାଳର ଆଲୋକ ନିଅନ୍ତୁ: ସକାଳର ପ୍ରାକୃତିକ ଆଲୋକ ଶରୀରର ସର୍କାଡିଆନ୍ ରିଦମ୍ ବା ଶରୀରର ଦୈନନ୍ଦିନ ଘଣ୍ଟାକୁ ପ୍ରଭାବିତ କରେ। ନିୟମିତ ଆଲୋକ ଏକ୍ସପୋଜର୍ ଘୁମ-ଉଠିବା ରୁଟିନ୍‌କୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ।

ମେଡିଟେସନ୍ ଓ ଡିପ୍ ବ୍ରିଦିଂ କରନ୍ତୁ: ସକାଳେ କିଛି ମିନିଟ୍ ଧ୍ୟାନ, ମେଡିଟେସନ୍ କିମ୍ବା ଗଭୀର ନିଶ୍ୱାସ ନେବାର ଅଭ୍ୟାସ ଷ୍ଟ୍ରେସ୍ କମାଇବାରେ ସହାୟତା କରିପାରେ। ମାଇଣ୍ଡଫୁଲନେସ୍ ଅଭ୍ୟାସ ଷ୍ଟ୍ରେସ୍ ଓ କର୍ଟିସଲ୍‌ ସହ ଜଡ଼ିତ ପ୍ରତିକ୍ରିୟାକୁ କମାଇବାରେ ସହାୟକ ହୋଇପାରେ।

ପୌଷ୍ଟିକ ଓ ସନ୍ତୁଳିତ ଜଳଖିଆ ଖାଆନ୍ତୁ: ସକାଳର ଖାଦ୍ୟରେ ପ୍ରୋଟିନ୍, ଫାଇବର୍, ଫଳ, ପନିପରିବା ଓ ସମ୍ପୂର୍ଣ୍ଣ ଶସ୍ୟ ଭଳି ପୌଷ୍ଟିକ ଖାଦ୍ୟ ସାମିଲ କରିବା ଭଲ। ସନ୍ତୁଳିତ ଖାଦ୍ୟ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ପ୍ରତ୍ୟେକ ମହିଳାଙ୍କ ପାଇଁ ଜଳଖିଆ ଖାଇବାର ସମୟ ଏକାଭଳି ହେବା ଆବଶ୍ୟକ ନୁହେଁ।

ଚା’ ଓ କଫିର ପରିମାଣ ଉପରେ ନଜର ରଖନ୍ତୁ: କ୍ୟାଫେନ୍ ସମସ୍ତଙ୍କ ଶରୀର ଉପରେ ସମାନ ପ୍ରଭାବ ପକାଏ ନାହିଁ। କେତେକ ମହିଳାଙ୍କଠାରେ ଅଧିକ କ୍ୟାଫେନ୍ ଘୁମ କିମ୍ବା ମେନୋପଜ୍ ସମୟର କିଛି ଲକ୍ଷଣକୁ ବଢ଼ାଇପାରେ। ତେଣୁ ନିଜ ଶରୀରର ପ୍ରତିକ୍ରିୟା ଅନୁସାରେ ଚା’ କିମ୍ବା କଫିର ପରିମାଣ ନିୟନ୍ତ୍ରଣ କରିବା ଭଲ।

ଭଲ ଚିନ୍ତା ସହ ଦିନ ଆରମ୍ଭ କରନ୍ତୁ: ସକାଳେ କିଛି ସମୟ ନିଜ ପାଇଁ ରଖନ୍ତୁ। ମେଡିଟେସନ୍, କୃତଜ୍ଞତାର ଅଭ୍ୟାସ, ପସନ୍ଦର କାମ କିମ୍ବା କିଛି ସମୟ ବାହାରେ ରହିବା ଭଳି ଅଭ୍ୟାସ ଷ୍ଟ୍ରେସ୍ ମ୍ୟାନେଜ୍ କରିବାରେ ସହାୟକ ହୋଇପାରେ। ଦୀର୍ଘ ସମୟର ଷ୍ଟ୍ରେସ୍ ଶରୀରର ବିଭିନ୍ନ ପ୍ରକ୍ରିୟା ସହ ଜଡ଼ିତ ହୋଇପାରେ।

ଏହି କଥା ମନେ ରଖନ୍ତୁ: ଏହି ଅଭ୍ୟାସଗୁଡ଼ିକ ସାଧାରଣ ସ୍ୱାସ୍ଥ୍ୟ ଓ ଲାଇଫ୍‌ଷ୍ଟାଇଲ୍‌କୁ ସୁଧାରିବାରେ ସହାୟକ ହୋଇପାରେ, କିନ୍ତୁ ହର୍ମୋନାଲ୍ ଅସନ୍ତୁଳନର ନିର୍ଦ୍ଦିଷ୍ଟ ଚିକିତ୍ସା ନୁହେଁ। ପିରିୟଡ୍‌ରେ ଅନିୟମିତତା, ଅସ୍ୱାଭାବିକ ରକ୍ତସ୍ରାବ, ଅତ୍ୟଧିକ ଥକାପଣ, ମୁଡ୍‌ରେ ବଡ଼ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି ଲଗାତାର ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।