୭ଟି ଛକା, ୬ଟି ଚୌକା.. ହିଟମ୍ୟାନଙ୍କ ଧୁଲେଇରେ ଧରାଶାୟୀ ଲକ୍ଷ୍ନୌ

ରିକେଲଟନ୍ ୩୨ଟି ବଲ୍‌ରୁ ୮ଟି ଛକା ଏବଂ ୬ଟି ଚୌକା ସହାୟତାରେ ୮୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ରୋହିତ, ତିଲକ ବର୍ମାଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୧୯ଟି ବଲ୍‌ରୁ ୩୪ ରନ ସଂଗ୍ରହ କରିଥିଲେ।

MI VsLSG : ୨୦୨୬ର ୪୭ତମ ମ୍ୟାଚ୍‌ରେ ବିଶାଳ ଲକ୍ଷ୍ୟର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ (MI), ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ବିରୁଦ୍ଧରେ ୬ ୱିକେଟ୍‌ରେ ଏକ ଚମତ୍କାର ବିଜୟ ହାସଲ କରିଛି। ଏହି ବିଜୟ ସହ MI ନିଜର ପ୍ଲେ-ଅଫ୍ ଆଶାକୁ ବଜାୟ ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚ୍‌ରୁ ୩ଟି ଜିତି ପଏଣ୍ଟ ଟେବୁଲ୍‌ର ୯ମ ସ୍ଥାନରେ ଥିବାବେଳେ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୯ଟି ମ୍ୟାଚ୍‌ରୁ ୭ଟିରେ ପରାଜୟ ବରଣ କରିଛି। ଏହି ଦଳ ପଏଣ୍ଟ ଟେବୁଲ୍‌ର ସବୁଠାରୁ ଶେଷ ସ୍ଥାନରେ ରହିଛି।

ସୋମବାର ୱାଙ୍ଖେଡ଼େ ଷ୍ଟାଡିୟମରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା LSG ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଜୋସ ଇଙ୍ଗ୍ଲିସ୍ ଏବଂ ମିଚେଲ ମାର୍ଶଙ୍କ ଓପନିଂ ଯୋଡ଼ି ଏକ ସନ୍ତୁଳିତ ଆରମ୍ଭ କରିଥିଲେ। ଉଭୟ ଖେଳାଳି ୨.୩ ଓଭରରେ ୨୯ ରନ୍‌ର ଭାଗିଦାରୀ କରିଥିଲେ।

ଜୋସ୍ ୫ଟି ବଲ୍‌ରୁ ୧୩ ରନ କରି ଆଉଟ ହୋଇଥିଲେ, ଯାହାପରେ ମାର୍ଶ, ନିକୋଲାସ ପୁରନ୍‌ଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୩୪ଟି ବଲ୍‌ରୁ ୯୪ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୨୩ରେ ପହଞ୍ଚାଇଥିଲେ। ନିକୋଲାସ ୨୧ଟି ବଲ୍‌ରୁ ୮ଟି ଛକା ଏବଂ ୧ଟି ଚୌକା ସହାୟତାରେ ୬୩ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ, ମାର୍ଶ ୨୫ଟି ବଲ୍‌ରୁ ୩ଟି ଛକା ଏବଂ ୪ଟି ଚୌକା ସହ ୪୪ ରନ୍‌ର ଏକ ପାଳି ଖେଳିଥିଲେ।

ଏଠାରୁ ଏଡେନ୍ ମାର୍କରମ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଅଧିନାୟକ ରିଷଭ ପନ୍ତ (୧୫)ଙ୍କ ସହ ୨୩ ରନ ଏବଂ ହିମ୍ମତ ସିଂଙ୍କ ସହ ୪୭ଟି ବଲ୍‌ରୁ ୬୮ ରନ୍‌ର ଅପରାଜିତ ଭାଗିଦାରୀ କରି ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ମାର୍କରମ୍ ୩୧ ରନ କରି ଅପରାଜିତ ରହିଥିବା ବେଳେ ହିମ୍ମତ ସିଂ ୪୦ ରନ୍‌ର ଏକ ଅପରାଜିତ ପାଳି ଖେଳିଥିଲେ। ବିପକ୍ଷ ଦଳ ପକ୍ଷରୁ କର୍ବିନ ବଶ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ, ଅନ୍ୟପଟେ ଏଏମ ଗଜନଫର, ୱିଲ ଜ୍ୟାକ୍ସ ଏବଂ ରଘୁ ଶର୍ମା ୧-୧ ୱିକେଟ୍ ନେଇଥିଲେ।

ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮.୪ ଓଭରରେ ମ୍ୟାଚ୍‌କୁ ନିଜ ନାମରେ କରିନେଇଥିଲା। ଦୀର୍ଘ ସମୟ ପରେ ପଡ଼ିଆକୁ ଫେରିଥିବା ରୋହିତ ଶର୍ମା, ରୟାନ ରିକେଲଟନ୍‌ଙ୍କ ସହ ପ୍ରଥମ ୱିକେଟ୍ ପାଇଁ ଦମଦାର ଭାଗିଦାରୀ କରି ଦଳକୁ ବିଜୟ ପଥକୁ ଆଣିଥିଲେ। ଉଭୟ ଖେଳାଳି ୧୦.୫ ଓଭରରେ ୧୪୩ ରନ ସଂଗ୍ରହ କରିଥିଲେ।

ରିକେଲଟନ ୩୨ଟି ବଲ୍‌ରୁ ୮ଟି ଛକା ଏବଂ ୬ଟି ଚୌକା ସହାୟତାରେ ୮୩ ରନ କରି ଆଉଟ ହୋଇଥିଲେ। ଏହାପରେ ରୋହିତ, ତିଲକ ବର୍ମାଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୧୯ଟି ବଲ୍‌ରୁ ୩୪ ରନ ଯୋଡ଼ିଥିଲେ। ରୋହିତ ୪୪ଟି ବଲ୍‌ରୁ ୮୪ ରନ କରିଥିଲେ, ଯେଉଁଥିରେ ୭ଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା।

ତିଲକ ବର୍ମା ୧୧ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ MIର କମାଣ ସମ୍ଭାଳୁଥିବା ସୂର୍ଯ୍ୟକୁମାର ଯାଦବ ଦଳୀୟ ସ୍କୋରରେ ୧୨ ରନ ଯୋଡ଼ିଥିଲେ। MI ୧୭.୪ ଓଭରରେ ୨୧୩ ରନ୍ ସ୍କୋରରେ ନିଜର ଚତୁର୍ଥ ୱିକେଟ ହରାଇଥିଲା, ଯାହାପରେ ନମନ ଧୀର (ଅପରାଜିତ ୨୩) ଏବଂ ୱିଲ ଜ୍ୟାକ୍ସ (ଅପରାଜିତ ୧୦) ମିଶି ୮ଟି ବଲ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ। ବିପକ୍ଷ ଦଳ ପକ୍ଷରୁ ମଣିମାରନ ସିଦ୍ଧାର୍ଥ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଏବଂ ମୋହସିନ ଖାନ ୧-୧ ୱିକେଟ୍ ହାସଲ କରିଥିଲେ।