fbpx

ଆମେରିକାରେ କରୋନାର ଚିତ୍ର: ଟ୍ରକରେ ପଡ଼ି ରହିଛି ୭୫୦ ମୃତଦେହ

ନ୍ୟୁୟର୍କ, ୧୨ା୫: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । ସେଠାରେ ଏତେମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା ପାଇଁ ହସ୍ପିଟାଲରେ ଜାଗା ହୋଇ ନଥିଲା । ଲୋକମାନେ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ଶବଗୁଡ଼ିକୁ ଅନ୍ତିମ ସଂସ୍କାର କରି ପାରିନଥିଲେ । ଫଳରେ ଶବଗୁଡ଼ିକୁ ଦୀର୍ଘଦିନ ପାଇଁ ସାଇତି ରଖିବା ପାଇଁ ପ୍ରଶାସନ ପକ୍ଷରୁ ରେଫ୍ରିଜେରେଟର ସୁବିଧା ଥିବା ଟ୍ରକର ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ କରୋନା ରୋଗୀଙ୍କର ୭୫୦ଟି ଶବ ସେହି ଟ୍ରକଗୁଡ଼ିକରେ ରହିଛି ।

ନ୍ୟୁୟର୍କ ନଗର ପରିଷଦ ସ୍ୱାସ୍ଥ୍ୟ କମିଟି ଏ ବିଷୟରେ ସ୍ୱୀକାର କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଗକୁ ଏହି ଶବକୁ ହାର୍ଟ ଦ୍ୱୀପରେ କବର ଦିଆଯିବ । ମୃତ ରୋଗୀଙ୍କ ସମ୍ପର୍କୀଙ୍କ ଅନୁମତି ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ଯାଞ୍ଚ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଡେପୁଟି କମିଶନର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ନ୍ୟୁୟର୍କରେ ଦୈନିକ ଶହ ଶହ ରୋଗୀ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ପରିବାରବର୍ଗ ଯେପରି ସେମାନଙ୍କର ପ୍ରିୟବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିପାରିବେ, ସେହିଦୃଷ୍ଟିରୁ ଶବଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଥିଲା । ବର୍ତ୍ତମାନ ଆମେରିକାରେ ୬ ଲକ୍ଷ ପାଖାପାଖି ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଅନେକ ପରିବାର ଲୋପ ପାଇଯାଇଛନ୍ତି ।

Get real time updates directly on you device, subscribe now.