ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଲାଗିଲା ଭୟଙ୍କର ନିଆଁ, ଆଖି ଆଗରେ ଜୀଅନ୍ତା ଜଳିଗଲେ ୮ ଜଣ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଲାଗିଲା ଭୟଙ୍କର ନିଆଁ
Pune Accident: ପୁଣେର ନାଭଲେ ବ୍ରିଜରେ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଳୁଥିବା ଗାଡିରେ ଅଧିକ ଲୋକ ଫସି ରହିଥିବା ସମ୍ଭାବନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ପୋଲିସର ସୂଚନା ଅନୁସାରେ, ପୁଣେ ସହର ଉପକଣ୍ଠରେ ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବଡ଼ କଣ୍ଟେନର ଟ୍ରକ ମଧ୍ୟରେ ଏକ କାର ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ।
ପୋଲିସର କହିବା ଅନୁସାରେ, ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟଣାର ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ଭାରୀ ଟ୍ରକ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଟ୍ରକ ମଧ୍ୟରେ କାରଟି ରହିଯାଇଥିଲା ।
ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପାଣି ଟ୍ୟାଙ୍କର ପଠାଇଛି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଏହି ଭୟଙ୍କର ଦୁର୍ଘଟଣା ବ୍ୟସ୍ତବହୁଳ ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା।
