ନାରୀ ଅସୁରକ୍ଷିତ, ପୁରୁଷ ନିରୁପାୟ, ଯୁବପିଢ଼ି ନିରାଶ.. କେବେ ମିଳିବ ପ୍ରକୃତ ସ୍ୱାଧୀନତା?

୮୦ତମ ସ୍ୱାଧୀନତା ଦିବସର ଆହ୍ୱାନ: ଉତ୍ସବରୁ ଉତ୍ତରଦାୟିତ୍ୱ ଆଡ଼କୁ

ଓଡ଼ିଶା ଭାସ୍କର ଡେସ୍କ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶିକୁଳି ଭାଙ୍ଗି ଏକ ନୂତନ ସୂର୍ଯ୍ୟୋଦୟ ଦେଖିଥିଲା। ଆଜି ଆମେ ଆମ ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ। ଚାରିଆଡ଼େ ତ୍ରିରଙ୍ଗା ପତାକାର ସୌନ୍ଦର୍ଯ୍ୟ, ଦେଶାତ୍ମବୋଧକ ସଙ୍ଗୀତର ସ୍ୱର ଏବଂ ସରକାରୀ ସ୍ତରରେ ନାନାଦି ଆଡ଼ମ୍ବର। ମାତ୍ର ଏହି ଉତ୍ସବର କୋଳାହଳ ଭିତରେ ଗୋଟିଏ ନିଶବ୍ଦ ପ୍ରଶ୍ନ ଆଜି ପ୍ରତ୍ୟେକ ସଚେତନ ନାଗରିକଙ୍କ ଅନ୍ତରାତ୍ମାକୁ ଆନ୍ଦୋଳିତ କରୁଛି, “ଆମେ ସତରେ ସ୍ୱାଧୀନ ହୋଇଛୁ କି?”

ଦେଶ ସ୍ୱାଧୀନ ହୋଇଛି, ସୀମା ସୁରକ୍ଷିତ ହୋଇଛି, ମାତ୍ର ଦେଶ ଭିତରେ ବାସ କରୁଥିବା ରକ୍ତ-ମାଂସର ମଣିଷଟି ଆଜି ବି ଅମୁକ୍ତ। ସେ ପୁଅ ହେଉ କି ଝିଅ, ଶିଶୁ ହେଉ କି ବୃଦ୍ଧ, କେହି ଜଣେ ହେଲେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ମୁକ୍ତ ମନେକରିପାରୁନାହାନ୍ତି।

ନାରୀ ସୁରକ୍ଷାର ବିଫଳତା: ୮୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଜଣେ ଝିଅ ଆଜି ରାସ୍ତାଘାଟରେ ସୁରକ୍ଷିତ ନୁହେଁ। ନିର୍ଭୟାଠାରୁ ଆରମ୍ଭ କରି ଆଜିର ପ୍ରତ୍ୟେକ କନ୍ୟା ସମାଜର କଳୁଷିତ ଦୃଷ୍ଟି ଏବଂ ଭୟ ଭିତରେ ଜୀବନ ବିତାଉଛନ୍ତି। ଯେଉଁ ଦେଶରେ ନାରୀକୁ ‘ଦେବୀ’ ଭାବେ ପୂଜା କରାଯାଏ, ସେଠାରେ ତା’ର ସ୍ୱାଧୀନ ଭାବେ ବଞ୍ଚିବାର, ନିର୍ଭୟରେ ବିଚରଣ କରିବାର ଅଧିକାର ପ୍ରତିଦିନ କ୍ଷୁଣ୍ଣ ହେଉଛି।

ପୁରୁଷର ଗୁପ୍ତ ବେଦନା ଓ ସାମାଜିକ ଅବହେଳା: ଅନ୍ୟପଟେ, ସମାଜରେ କେବଳ ନାରୀ ନୁହନ୍ତି, ଜଣେ ପୁଅ ମଧ୍ୟ ସୁରକ୍ଷିତ ନୁହେଁ। ଆଜିର ଆଇନଗତ ଓ ସାମାଜିକ ବ୍ୟବସ୍ଥାରେ ଅନେକ ସମୟରେ ଜଣେ ପୁରୁଷ ଛଳନାମୟୀ ସ୍ତ୍ରୀ କିମ୍ବା ମିଥ୍ୟା ଅଭିଯୋଗର ଶିକାର ହୋଇ ନିଜ ଆତ୍ମସମ୍ମାନ ଓ ଜୀବନ ହରାଉଛି। ତା’ର ବ୍ୟଥା ଶୁଣିବାକୁ କୌଣସି ଶକ୍ତ ମଞ୍ଚ ନାହିଁ। ଜଣେ ପୁରୁଷକୁ ନିଜର ଦୁଃଖ ପ୍ରକାଶ କରିବାର ସ୍ୱାଧୀନତା ମଧ୍ୟ ଏ ସମାଜ ଦେଇନାହିଁ।

ଯୁବପିଢ଼ି ଓ ଶିକ୍ଷା ବ୍ୟବସ୍ଥାର ଶୋଷଣ: ଜଣେ ନିଷ୍ଠାପର ଛାତ୍ର ଆଜି ଶିକ୍ଷା କ୍ଷେତ୍ରରେ ନିଜର ସ୍ୱପ୍ନ ପୂରଣ କରିପାରୁନାହିଁ। ଶିକ୍ଷାର ବ୍ୟବସାୟୀକରଣ, ପ୍ରଶ୍ନପତ୍ର ପ୍ରକାଶନରେ ଅନିୟମିତତା, ଏବଂ ଦୁର୍ନୀତି ଯୋଗୁଁ ଯୋଗ୍ୟତା ଥାଇ ମଧ୍ୟ ସାଧାରଣ ବର୍ଗର ଛାତ୍ରଟିଏ ପଛରେ ପଡ଼ିଯାଉଛି। କଠିନ ପରିଶ୍ରମ ପରେ ମଧ୍ୟ ଭବିଷ୍ୟତକୁ ନେଇ ସେ ଆଶଙ୍କିତ। ଯେଉଁ ଦେଶର ଭବିଷ୍ୟତ ଶିକ୍ଷାରେ ସ୍ୱାଧୀନ ନୁହେଁ, ସେ ଦେଶର ବିକାଶ କେବଳ ଏକ ମରୀଚିକା।

ନୈତିକତାର ଅବକ୍ଷୟ, ଅସହାୟ ପିତାମାତା: ସବୁଠାରୁ ହୃଦୟବିଦାରକ ଦୃଶ୍ୟ ହେଉଛି ବୃଦ୍ଧ ପିତାମାତାଙ୍କ ସ୍ଥିତି। ନିଜର ସମସ୍ତ ସମ୍ପତ୍ତି ଓ ଜୀବନକୁ ସନ୍ତାନର ଭବିଷ୍ୟତ ପାଇଁ ଉତ୍ସର୍ଗ କରିଥିବା ବାପା-ମାଆ ଆଜି ସ୍ୱାର୍ଥପର ଓ ଲୋଭୀ ସନ୍ତାନଙ୍କ ଅତ୍ୟାଚାରରେ ବୃଦ୍ଧାଶ୍ରମରେ ଦିନ କାଟୁଛନ୍ତି। ବୃଦ୍ଧାବସ୍ଥାରେ ଶାନ୍ତିରେ ଜୀବନ ବିତାଇବାର ସ୍ୱାଧୀନତା ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ନିଆଯାଉଛି।

ପ୍ରକୃତ ସ୍ଵାଧିନତା କେବେ: ୮୦ତମ ସ୍ୱାଧୀନତା ଦିବସରେ ଆମକୁ ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଇଂରେଜମାନେ ଦେଶ ଛାଡ଼ି ଚାଲିଗଲେ ସତ, ମାତ୍ର ଆମେ ନିଜେ ନିଜର ଶୋଷକ ସାଜିଛୁ। କେବଳ ଭୌଗୋଳିକ ସୀମା ମୁକ୍ତ ହେଲେ ଦେଶ ସ୍ୱାଧୀନ ହୁଏନାହିଁ। ଯେଉଁଦିନ ଦେଶର ପ୍ରତ୍ୟେକ ନାଗରିକ ଭୟମୁକ୍ତ ହୋଇ ଜୀବନ ଜିଇଁପାରିବେ, ନାରୀ ସୁରକ୍ଷା ପାଇବ, ପୁରୁଷ ନ୍ୟାୟ ପାଇବ, ଛାତ୍ର ଉପଯୁକ୍ତ ଅଧିକାର ପାଇବ, ଏବଂ ବାପା-ମାଆ ସମ୍ମାନ ପାଇବେ, ସେହିଦିନ ହିଁ ପ୍ରକୃତ ଅର୍ଥରେ ଭାରତ ସ୍ୱାଧୀନ ହେବ।

ଏହି ୮୦ତମ ସ୍ୱାଧୀନତା ଦିବସରେ କେବଳ ଉତ୍ସବ ନମାନି, ନିଜ ଭିତରର କଳୁଷତାକୁ ଦୂର କରି ଏକ ସୁରକ୍ଷିତ ଓ ମାନବୀୟ ସମାଜ ଗଢ଼ିବାର ସଂକଳ୍ପ ନେବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ।