୮ମ ବେତନ କମିଶନକୁ ନେଇ ପୁଣି ଆସିଲା ନୂଆ ଅପଡେଟ୍, ବର୍ଷକୁ ବଢ଼ିବ ୫% ଦରମା, ଜାଣନ୍ତୁ ଫିଟମେଣ୍ଟ ଫ୍ୟାକ୍ଟର

୮ମ ବେତନ କମିଶନକୁ ନେଇ ପୁଣି ଆସିଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମନରେ ୮ମ ବେତନ ଆୟୋଗକୁ ନେଇ ଆଶା ବଢ଼ିବାରେ ଲାଗିଛି। ବିଭିନ୍ନ କର୍ମଚାରୀ ସଂଗଠନ ନିଜର ଦାବିଗୁଡ଼ିକୁ ଆୟୋଗ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ରେଳବାଇର ଟେକ୍ନିକାଲ୍ ସୁପରଭାଇଜରମାନେ ମଧ୍ୟ ବେତନ ବୃଦ୍ଧିକୁ ନେଇ ଏକ ବଡ଼ ପ୍ରସ୍ତାବ ଆଣିଛନ୍ତି।

ଇଣ୍ଡିଆନ୍ ରେଲୱେ ଟେକ୍ନିକାଲ୍ ସୁପରଭାଇଜର୍ସ ଆସୋସିଏସନ୍ (IRTSA) ପକ୍ଷରୁ ଦାବି କରାଯାଇଛି ଯେ କର୍ମଚାରୀଙ୍କ ବାର୍ଷିକ ବେତନ ବୃଦ୍ଧିକୁ ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୩ ପ୍ରତିଶତରୁ ବଢ଼ାଇ ୫ ପ୍ରତିଶତ କରାଯାଉ। ଏହାବ୍ୟତୀତ ସଂଗଠନ ବିଭିନ୍ନ ପେ-ଲେଭଲ୍ ପାଇଁ ୨.୯୨ ରୁ ୪.୩୮ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ପରାମର୍ଶ ଦେଇଛି।

IRTSA ର ପ୍ରମୁଖ ଦାବିଗୁଡ଼ିକ:

ବାର୍ଷିକ ଇକ୍ରିମେଣ୍ଟ:କର୍ମଚାରୀଙ୍କ ବାର୍ଷିକ ବେତନ ବୃଦ୍ଧିକୁ ୩% ରୁ ବଢ଼ାଇ ୫% କରାଯାଉ।

ଭିନ୍ନ ଭିନ୍ନ ଫିଟମେଣ୍ଟ ଫ୍ୟାକ୍ଟର: ସମସ୍ତ କର୍ମଚାରୀଙ୍କ ପାଇଁ ଗୋଟିଏ ଫିଟମେଣ୍ଟ ଫ୍ୟାକ୍ଟର ରଖିବା ବଦଳରେ ପେ-ଲେଭଲ୍ ଅନୁଯାୟୀ ଏହାକୁ ସ୍ଥିର କରାଯାଉ:

  • ଲେଭଲ୍ ୧ ରୁ ୩: ୨.୯୨
  • ଲେଭଲ୍ ୪ ରୁ ୮: ୩.୫୦
  • ଲେଭଲ୍ ୯ ରୁ ୧୩: ୩.୮୦
  • ଲେଭଲ୍ ୧୪ ରୁ ୧୬: ୪.୦୯
  • ଲେଭଲ୍ ୧୭ ରୁ ୧୮: ୪.୩୮

ସର୍ବନିମ୍ନ ବେତନ: ସଂଗଠନ ପକ୍ଷରୁ ସର୍ବନିମ୍ନ ବେତନ ୫୨,୬୦୦ ଟଙ୍କା ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି।

କେବେ ଆସିବ ଚୂଡ଼ାନ୍ତ ରିପୋର୍ଟ: ସୂଚନାଯୋଗ୍ୟ ଯେ ୮ମ କେନ୍ଦ୍ରୀୟ ବେତନ ଆୟୋଗ ଗତ ୩ ନଭେମ୍ବର ୨୦୨୫ରେ ଗଠିତ ହୋଇଥିଲା ଏବଂ ଏହାକୁ ରିପୋର୍ଟ ଦାଖଲ ପାଇଁ ୧୮ ମାସର ସମୟ ଦିଆଯାଇଛି। ଏହି ଆକଳନ ଅନୁଯାୟୀ, ଆୟୋଗର ରିପୋର୍ଟ ୨୦୨୭ ମେ’ ମାସ ଆଡ଼କୁ ଆସିବାର ସମ୍ଭାବନା ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ଏବଂ ଆୟୋଗର ସୁପାରିଶ ଉପରେ ନିର୍ଭର କରିବ।