୮ମ ବେତନକୁ ନେଇ ଆସିଲା ବଡ଼ ଅପଡେଟ୍: ୨୦୨୭ ସୁଦ୍ଧା ଆସିବ ରିପୋର୍ଟ, ୬୯ ହଜାର ହେବ ସର୍ବନିମ୍ନ ଦରମା

କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର! ଜୋରସୋରରେ ଚାଲିଛି ୮ମ ବେତନ ଆୟୋଗର ବୈଠକ

ଓଡ଼ିଶା ଭାସ୍କର ଡେସ୍କ: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ ବିତିଯାଇଥିବା ବେଳେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କର୍ମଚାରୀଙ୍କ ଦରମା ଏବଂ ପେନସନରେ କେବେ ବୃଦ୍ଧି ଘଟିବ? ସରକାର ବେତନ ଆୟୋଗର ସମସ୍ତ ସୁପାରିଶକୁ ଗ୍ରହଣ କରିବେ କି ନାହିଁ? ଆସନ୍ତୁ ଜାଣିବା ଏହାକୁ ନେଇ ବର୍ତ୍ତମାନର ବଡ଼ ଅପଡେଟ୍ ।

କେବେ ଆସିବ ଫାଇନାଲ୍ ରିପୋର୍ଟ: ଆଶା କରାଯାଉଛି ଯେ, ୮ମ ବେତନ ଆୟୋଗ ୨୦୨୭ ମଧ୍ୟଭାଗ ସୁଦ୍ଧା ନିଜର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବେ । ରିପୋର୍ଟ ମିଳିବା ପରେ ସରକାର ଏହାର ସୁପାରିଶଗୁଡ଼ିକୁ ତର୍ଜମା କରିବେ ଏବଂ ଏହାକୁ ଲାଗୁ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

କେବେଠୁ ହେବ ଲାଗୁ: ସରକାର ଏହି ସୁପାରିଶଗୁଡ଼ିକୁ ଲାଗୁ କରିବା ପାଇଁ ଆଇନଗତ ଭାବେ ବାଧ୍ୟ ନୁହନ୍ତି । ଦେଶର ଆର୍ଥିକ ସ୍ଥିତି ଏବଂ ରାଜକୋଷ ଉପରେ ପଡ଼ିବାକୁ ଥିବା ବୋଝକୁ ଦେଖି ସରକାର ନିଷ୍ପତ୍ତି ନେଇଥାନ୍ତି । ତେବେ କର୍ମଚାରୀମାନେ ଆଶା ରଖିଛନ୍ତି ଯେ, ଏହି ଆୟୋଗର ସୁପାରିଶ ଗତ ୧ ଜାନୁଆରୀ ୨୦୬ ରୁ ହିଁ ଲାଗୁ କରାଯିବ ।

ଘନ ଘନ ବସୁଛି ବୈଠକ: କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ବେତନ ଆୟୋଗ ବର୍ତ୍ତମାନ ଖୁବ୍ ସକ୍ରିୟ ଅଛନ୍ତି । ଏପ୍ରିଲ୍ ମାସରୁ ଆରମ୍ଭ ହୋଇଥିବା ବୈଠକ ପ୍ରକ୍ରିୟା ଏବେ ବେଶ୍ ଆଗକୁ ବଢ଼ିଲାଣି । ଆୟୋଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରାୟ ୯ଟି ପର୍ଯ୍ୟାୟର ଆଲୋଚନା ଶେଷ କରିଛନ୍ତି ।

Uttarakhand Govt.

ସମ୍ପ୍ରତି ଶେଷ ପର୍ଯ୍ୟାୟ ବୈଠକ ଜୁଲାଇ ୯ ଏବଂ ୧୦ ତାରିଖରେ କୋଲକାତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଗୁଡ଼ିକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ସହ ଆଲୋଚନା କରି ଦରମା ବୃଦ୍ଧି, ପେନସନ, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପରେ ମତାମତ ଲୋଡ଼ାଯାଉଛି ।

କେବେ ହୋଇଥିଲା ଗଠନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୨୦୨୫ ରେ ୮ମ ବେତନ ଆୟୋଗକୁ ମଞ୍ଜୁରୀ ଦେଇଥିଲେ । ଏହାପରେ ୩ ନଭେମ୍ବର ୨୦୨୫ ରେ ଏହାର ଆନୁଷ୍ଠାନିକ ଗଠନ ହୋଇଥିଲା ।

ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆୟୋଗକୁ ମୋଟ ୧୮ ମାସ ସମୟ ଦିଆଯାଇଛି, ଯେଉଁଥିରୁ ୯ ମାସ ବିତିଯାଇଛି ଏବଂ ଆଉ ପ୍ରାୟ ୯ ରୁ ୧୦ ମାସ ବାକି ଅଛି । ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୭୦ ଲକ୍ଷ ପେନସନଭୋଗୀ ସିଧାସଳଖ ଉପକୃତ ହେବେ ।

ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ କ’ଣ ରହିଛି ଦାବି: କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ସରକାରଙ୍କ ସାମ୍ନାରେ କିଛି ବଡ଼ ଦାବି ରଖାଯାଇଛି, ଯେଉଁଥିରେ ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ ଏବଂ ଅଧିକ ଘରଭଡ଼ା ଭତ୍ତା ସାମିଲ ଅଛି । କିନ୍ତୁ ସବୁଠାରୁ ବଡ଼ ଦାବି ହେଉଛି ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ । କର୍ମଚାରୀ ସଂଘ ପକ୍ଷରୁ ୩.୮୩ ଫିଟମେଣ୍ଟ ଫ୍ୟାକ୍ଟର ପାଇଁ ଦାବି କରାଯାଉଛି ।

ଯଦି ଆୟୋଗ ଏହି ୩.୮୩ ଗୁଣା ଫିଟମେଣ୍ଟ ଫ୍ୟାକ୍ଟରକୁ ସୁପାରିଶ କରନ୍ତି ଏବଂ ସରକାର ଏହାକୁ ଗ୍ରହଣ କରିନିଅନ୍ତି, ତେବେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ବର୍ତ୍ତମାନର ୧୮,୦୦୦ ଟଙ୍କାରୁ ସିଧାସଳଖ ବୃଦ୍ଧି ପାଇ ୬୯,୦୦୦ ଟଙ୍କା ହୋଇଯିବ । ଏହା କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ପ୍ରାୟ ୨୮୩ ପ୍ରତିଶତର ଏକ ବଡ଼ ଧରଣର ବୃଦ୍ଧି ସାବ୍ୟସ୍ତ ହେବ ।