fbpx

ଦୁନିଆର ସବୁଠାରୁ ବଡ଼ ଆତ୍ମହତ୍ୟା: ଏକସଙ୍ଗେ ଜୀବନ ହାରିଥିଲେ ୯୦୦ରୁ ଅଧିକ ଲୋକ

୨୦୧୮ ମସିହାରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଦିଲ୍ଲୀର ବୁରାରୀରେ ରହୁଥିବା ଏକ ପରିବାରର ୧୧ ଜଣ ସଦସ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସୁଇସାଇଡ୍ କରିଥିଲେ । ଏହି ଘଟଣାଟି ସେତେବେଳେ ରହସ୍ୟ ଘେରରେ ରହିଥିଲା । କିନ୍ତୁ ଆପଣମାନେ ହୁଏତ ଏକଥା ଜାଣିନଥିବେ ଯେ, ଅନ୍ଧବିଶ୍ୱାସ କାରଣରୁ ଏକାଥରକେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ଆମେରିକାର ଗୁୟାନାର ଜୋନ୍ସଟାଉନରେ ଏହିପରି ଏକ ବଡ଼ଧରଣର ମୃତ୍ୟୁର ବାଦଲ ଛାଇ ଯାଇଥିଲା ।

ଆଜିକୁ ୪୨ ବର୍ଷ ପୂର୍ବେ ଏପରି ଏକ ଘଟଣା ଘଟିଥିଲା । ଏହି ଘଟଣାକୁ ଦୁନିଆର ସବୁଠାରୁ ବଡ଼ ଆତ୍ମହତ୍ୟା ବୋଲି ଗ୍ରହଣ କରାଯାଉଛି । ୧୯୭୮ ମସିହା ନଭେମ୍ବର ମାସ ୧୮ ତାରିଖରେ ୯୦୦ରୁ ଅଧିକ ଲୋକ ବିଷପାନ କରି ଏକସଙ୍ଗରେ ଆତ୍ମହତ୍ୟା କରିଥିଲେ । ଯେଉଁମାନେ ବିଷ ପିଇବାକୁ ଅନିଚ୍ଛୁକ ଥିଲେ, ସେମାନଙ୍କୁ ବଳପୂର୍ବକ ବିଷପାନ କରାଯାଇଥିଲା । ଏହି ଘଟଣା ପଛରେ ଜିମ ଜୋନ୍ସ ନାମକ ଜଣେ ଧର୍ମଗୁରୁଙ୍କର ହାତ ଥିଲା । ଲୋକଙ୍କୁ ସାହାଯ୍ୟ କରିବା ନାମରେ ୧୯୫୬ରେ ଜୋନ୍ସ ‘ପିପୁଲ୍ସ ଟେମ୍ପଲ୍’ ନାମକ ଏକ ଚର୍ଚ୍ଚ ଗଠନ କରିଥିଲେ । ତା’ପରେ ସେ ନିଜର ଧର୍ମବାଣୀ ଓ ଅନ୍ଧବିଶ୍ୱାସ ଦ୍ୱାରା ହଜାର ହଜାର ଲୋକଙ୍କୁ ନିଜର ଅନୁଗାମୀ କରିପାରିଥିଲେ । ଜୋନ୍ସ କମ୍ୟୁନିଷ୍ଟ ବିଚାରବାଦୀ ଥିଲେ, ଯାହାକି ଆମେରିକା ସରକାରଙ୍କଠାରୁ ଭିନ୍ନ ଥିଲା । ସେଥିପାଇଁ ସେ ନିଜର ଅନୁଗାମୀଙ୍କ ସହ ଗୁୟାନାର ଜଙ୍ଗଲକୁ ଚାଲିଯାଇ ସେଠାରେ ଏକ ଗ୍ରାମ ସ୍ଥାପନ କରିଥିଲେ । କିଛିଦିନ ପରେ ଜୋନ୍ସଙ୍କର ଅସଲି ପରିଚୟ ଲୋକଙ୍କ ସାମନାକୁ ଆସିଥିଲା । ଆମେରିକା ସରକାର ଜୋନ୍ସଙ୍କ ବିଷୟରେ ସବୁକିଛି ଜାଣିପାରିଥିଲେ । ଏକଥା ଜାଣିପାରି ଜୋନ୍ସ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ ଯେ, ‘ସରକାର ଆମ୍ଭମାନଙ୍କୁ ମାରିବାକୁ ଚାହୁଁଛନ୍ତି । ସେମାନେ ଆମ୍ଭମାନଙ୍କୁ ପଶୁପକ୍ଷୀଙ୍କ ପରି ବ୍ୟବହାର କରିବେ । ମହିଳାମାନଙ୍କୁ ଦୁଷ୍କର୍ମ କରିବା ସହ ଶିଶୁମାନଙ୍କୁ ନିର୍ଯାତନା ଦେବେ । ତେଣୁ ଏ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ସମସ୍ତେ ପବିତ୍ର ଜଳ ପାନ କରିବା ନିହାତି ଦରକାର ।’

ଜୋନ୍ସ ପୂର୍ବରୁ ଏକ ବଡ଼ ଟବରେ ବିଷ ମିଶାଇ ପାନୀୟ ପ୍ରସ୍ତୁତ କରି ରଖିଥିଲେ । ଏହାପରେ ସମସ୍ତଙ୍କୁ ବିଷ ପାନୀୟ ଦିଆଯାଇଥିଲା । ଯିଏ ମନା କରିଥିଲା, ତାକୁ ଜବରଦସ୍ତ ପିଆଇ ଦିଆଯାଇଥିଲା । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ୯୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ୩୦୦ରୁ ଅଧିକ ଶିଶୁ ସାମିଲ ଥିଲେ । ଏହି ଘଟଣାକୁ ଦୁନିଆର ସବୁଠାରୁ ବଡ଼ ନରସିଂହାର ଭାବେ ବିବେଚନା କରାଯାଇଥାଏ । ତେବେ ଲୋକମାନେ ମରିବା ପରେ ଜୋନ୍ସଙ୍କର ଶବ ମଧ୍ୟ ଏକ ସ୍ଥାନରୁ ମିଳିଥିଲା । ଜୋନ୍ସ ନିଜକୁ ନିଜେ କିମ୍ବା ଆଉ କାହା ଗୁଳିର ଶିକାର ହୋଇଥିଲେ ବୋଲି କୁହାଯାଉଛି ।

Get real time updates directly on you device, subscribe now.