ବୟସ ମାତ୍ର ୯୯, ହେଲେ ସାହସ ଯୁବକଙ୍କ ଭଳି! ବିମାନ ଡେଣା ଉପରେ ଠିଆ ହୋଇ ଗଢ଼ିଲେ ବିଶ୍ୱ ରେକର୍ଡ
ବୟସକୁ ଖାତିର ନକରି ୯୯ ବର୍ଷ ବୟସରେ ଏକ ବିମାନର ଡେଣା ଉପରେ ଠିଆ ହୋଇ ଉଡ଼ାଣ ଭରିଲେ ହେଲଗା ଡଫି।
ନୂଆଦିଲ୍ଲୀ: ବୟସ ବଢ଼ିବା ସହ ସବୁ ଲୋକ ଆରାମରେ ଜୀବନ ବିତାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ୯୯ ବର୍ଷୀୟା ହେଲଗା ଡଫି ଏହାକୁ ପ୍ରମାଣ କରି ଦେଖାଇଛନ୍ତି।
ଜର୍ମାନୀରେ ଜନ୍ମଗ୍ରହଣ କରି ଇଂଲଣ୍ଡରେ ରହୁଥିବା ହେଲଗା ୯୯ ବର୍ଷ ବୟସରେ ଏକ ବିମାନର ଡେଣା ଉପରେ ଠିଆ ହୋଇ ଆକାଶରେ ଉଡ଼ିଛନ୍ତି। ଏହି ସାହସିକ କାରନାମା ପାଇଁ ସେ ବିଶ୍ୱର ସବୁଠାରୁ ବୟସ୍କା ‘ୱିଙ୍ଗ୍ ୱାକର୍’ ଭାବେ ରେକର୍ଡ କରିଛନ୍ତି।
ତାଙ୍କର ଏହି ଅସାଧାରଣ ସଫଳତା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରିନାହିଁ, ବରଂ ବୟସ ବଢ଼ିବା ସହ ନିଜ ସ୍ୱପ୍ନକୁ ଭୁଲିଯାଉଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।
ଟିଭିରେ ଅନ୍ୟ ମହିଳାଙ୍କ ଦେଖି ଇଚ୍ଛା ହେଲା: ରିପୋର୍ଟ ଅନୁଯାୟୀ, ହେଲଗା ଡଫିଙ୍କୁ ଏହି ଅସାଧାରଣ କାମ କରିବାକୁ ପ୍ରେରଣା ମିଳିଥିଲା ଟିଭିରେ ଆଉ ଜଣେ ବୟସ୍କା ମହିଳାଙ୍କୁ ଦେଖି। ସେ ୯୭ ବର୍ଷୀୟା ବେଟି ବ୍ରୋମେଜଙ୍କୁ ୱିଙ୍ଗ୍ ୱାକିଂ କରୁଥିବାର ଦେଖିଥିଲେ।
ଏହା ପରେ ହେଲଗାଙ୍କ ମନରେ ମଧ୍ୟ କିଛି ଭିନ୍ନ ଓ ସ୍ମରଣୀୟ କରିବାର ଇଚ୍ଛା ଜାଗିଥିଲା। ସେ ନିଷ୍ପତ୍ତି ନେଇଥିଲେ ଯେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବେ ଏବଂ ବୟସକୁ ନିଜ ରାସ୍ତାରେ ବାଧା ହେବାକୁ ଦେବେ ନାହିଁ।
ବିମାନର ଡେଣା ଉପରେ ଠିଆ ହୋଇ ଉଡାଣ ଭରିଲେ: ବର୍ତ୍ତମାନ ହେଲଗା ୱିଲ୍ଟସାୟାରର ଡେଭାଇଜେସ୍ସ୍ଥିତ ଏକ କେୟାର ହୋମ୍ରେ ରହୁଛନ୍ତି। ଏହା ପୂର୍ବରୁ ସେ ସମରସେଟ୍ର ଫ୍ରମ୍ ସହରରେ ଦୀର୍ଘ ବର୍ଷ ବିତାଇଥିଲେ। ନିଜର ଏହି ସ୍ୱପ୍ନ ପୂରଣ କରିବା ପାଇଁ ସେ ଗ୍ଲୋଷ୍ଟରସାୟାରର ସିରେନସେଷ୍ଟରସ୍ଥିତ ଆରଏଫସି ରେଣ୍ଡକମ୍ବ ଏୟାରଫିଲ୍ଡରେ ପହଞ୍ଚିଥିଲେ।
ସେଠାରେ ଏକ ଛୋଟ ବିମାନର ଡେଣା ଉପରେ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ବାନ୍ଧି ଦିଆଯାଇଥିଲା। ଏହା ପରେ ବିମାନଟି ଆକାଶକୁ ଉଡ଼ାଣ ଭରିଥିଲା। ଏହି ଅନୁଭୂତି ବିଷୟରେ କହିବାକୁ ଯାଇ ହେଲଗା ଏହାକୁ ଅଜବ, କିନ୍ତୁ ରୋମାଞ୍ଚକର ବୋଲି କହିଥିଲେ।
ବିବିସି ସହ କଥା ହୋଇ ସେ କହିଥିଲେ ଯେ ତାଙ୍କୁ ଭୟ ଲାଗୁନଥିଲା। କାରଣ ମନରେ ଉତ୍ସାହ ଏତେ ଅଧିକ ଥିଲା ଯେ ଡରିବାକୁ ସୁଯୋଗ ହିଁ ମିଳିନଥିଲା। ୯୯ ବର୍ଷ ବୟସରେ ତାଙ୍କର ଏହି ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ରୁ ମିଳିଲା ସ୍ୱୀକୃତି: ହେଲଗାଙ୍କ ଏହି ଅସାଧାରଣ ସଫଳତାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ମଧ୍ୟ ସ୍ୱୀକୃତି ଦେଇଛି। ଅଧିକାରୀମାନେ ତାଙ୍କୁ ରେକର୍ଡର ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ।
ସାତ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ହେଲଗା ନିଜ ବାପାଙ୍କୁ ମନେ ପକାଇ କହିଥିଲେ ଯେ ଆଜି ସେ ଯଦି କେଉଁଠି ଥାଆନ୍ତେ, ତେବେ ନିଜର ବଡ଼ ଝିଅକୁ ନେଇ ନିଶ୍ଚିତ ଗର୍ବ କରିଥାଆନ୍ତେ।
ତାଙ୍କ ବାପା ସବୁବେଳେ ପିଲାମାନଙ୍କଠାରୁ ଭଲ କାମ ଆଶା କରୁଥିଲେ। ଏହି କାରଣରୁ ସେ ମଧ୍ୟ ସବୁବେଳେ କିଛି ଭଲ କରିବାକୁ ଚେଷ୍ଟା କରିଆସିଛନ୍ତି।
ହେଲଗାଙ୍କ ସାହସକୁ ନେଇ ଗର୍ବିତ ପରିବାର: ହେଲଗାଙ୍କ ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ଦୁଇ ଝିଆରୀ ଜ୍ୟାକି ରୋଜ୍ ଓ ଜୁଲି ପ୍ରିସ୍ ମଧ୍ୟ ଉପସ୍ଥିତ ଥିଲେ। ଜ୍ୟାକି ତାଙ୍କୁ ଜଣେ ଆତ୍ମନିର୍ଭରଶୀଳ ଓ ନିଜ କଥା ସ୍ପଷ୍ଟ ଭାବେ କହିପାରୁଥିବା ମହିଳା ବୋଲି ବର୍ଣ୍ଣନା କରିଥିଲେ।
ତାଙ୍କ କହିବା ଅନୁସାରେ, ହେଲଗା ଦୀର୍ଘ ସମୟ ଧରି କିଛି ଭିନ୍ନ କରିବାକୁ ଚାହୁଁଥିଲେ। ୯୯ ବର୍ଷ ବୟସରେ ମଧ୍ୟ ମଣିଷ ନିଜ ଭିତରର ଉତ୍ସାହ ଓ ସାହସକୁ ଜୀବିତ ରଖିପାରେ ବୋଲି ସେ ସାରା ଦୁନିଆକୁ ଦେଖାଇବାକୁ ଚାହୁଁଥିଲେ।
ରେକର୍ଡ ସହ ଚାରିଟିକୁ ଦାନ: ହେଲଗା ଡଫି ନିଜର ଏହି କାରନାମା ଜରିଆରେ କେବଳ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିନାହାନ୍ତି, ବରଂ ୱିଲ୍ଟସାୟାର ଆଣ୍ଡ ବାଥ୍ ଏୟାର ଆମ୍ବୁଲାନ୍ସ ଚାରିଟି ପାଇଁ ୧,୩୦୦ ପାଉଣ୍ଡରୁ ଅଧିକ ଅର୍ଥ ମଧ୍ୟ ସଂଗ୍ରହ କରିଛନ୍ତି।
ଏହି ସଂସ୍ଥା ସହ ତାଙ୍କ ପରିବାରର ଭାବନାତ୍ମକ ସମ୍ପର୍କ ରହିଛି। କାରଣ ତାଙ୍କ ଝିଆରୀମାନଙ୍କ ମାଆ ଜୀବନର ଶେଷ ସମୟରେ ଏୟାର ଆମ୍ବୁଲାନ୍ସର ସହାୟତା ନେଇଥିଲେ।
ଚାରିଟି ସଂସ୍ଥା ସହ ଜଡ଼ିତ ସାମ୍ କନୱେ ହେଲଗାଙ୍କୁ ଜଣେ କିମ୍ବଦନ୍ତୀ ବୋଲି କହିଛନ୍ତି। ଅନ୍ୟପଟେ ପୂର୍ବରୁ ଏହି ରେକର୍ଡ କରିଥିବା ବେଟି ବ୍ରୋମେଜ୍ ମଧ୍ୟ ହେଲଗାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ମଜାଳିଆ ଢଙ୍ଗରେ ସେ କହିଛନ୍ତି ଯେ ହେଲଗା ୧୦୦ ବର୍ଷରେ ପାଦ ଦେଲେ ସେ ପୁଣିଥରେ ୱିଙ୍ଗ୍ ୱାକିଂ କରି ରେକର୍ଡକୁ ନିଜ ନାମରେ କରିନେବେ।
ହେଲଗା ଡଫିଙ୍କ ଏହି କାହାଣୀ ପ୍ରମାଣ କରୁଛି ଯେ ସ୍ୱପ୍ନ ଦେଖିବା ଓ ତାହାକୁ ପୂରଣ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ମନରେ କିଛି ନୂଆ କରିବାର ଆଗ୍ରହ ଓ ସାହସ ଥିଲେ, ୯୯ ବର୍ଷ ବୟସରେ ମଧ୍ୟ ଆକାଶକୁ ଛୁଇଁବା ସମ୍ଭବ।


