ନିର୍ବାଚନ ଇତିହାସରେ ବିଜେପିର ଅଜବ ରେକର୍ଡ, ରାଜସ୍ଥାନରେ ମିଳିଲା ମାତ୍ର ‘୧’ ଭୋଟ୍!

ଗୋଟିଏ ଭୁଲ୍ ପାଇଁ ହାସ୍ୟାସ୍ପଦ ହେଲେ ବିଜେପି ପ୍ରାର୍ଥୀ, ଖାତାରେ ପଡ଼ିଲା ଗୋଟିଏ ମାତ୍ର ଭୋଟ, ଦୁର୍ଭାଗ୍ୟରୁ ନିଜେବି ନିଜକୁ ଦେଇପାରିଲେଣି ଭୋଟ!

ଜୟପୁର: ନିର୍ବାଚନ ମଇଦାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି! ସାରା ଦେଶରେ ବିଜେପିର ପ୍ରଭାବ ବଜାୟ ରହିଥିବା ବେଳେ, ରାଜସ୍ଥାନ ପୌର ନିର୍ବାଚନର ଏକ ନିର୍ଦ୍ଦିଷ୍ଟ ୱାର୍ଡର ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି।

ଏଠାରେ ବିଜେପି ପ୍ରାର୍ଥୀ କୈଳାଶଚାନ୍ଦ ମାତ୍ର ଗୋଟିଏ ଭୋଟ୍ ପାଇଥିଲେ! ଫଳାଫଳ ଘୋଷଣା ହେବା ପରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜସ୍ଥାନର ଦିଦୱାନା-କୁଚାମନ ଜିଲ୍ଲା ଅନ୍ତର୍ଗତ ପର୍ବତସର ପୌରପାଳିକାର ୱାର୍ଡ ନଂ ୧୩ ପାଇଁ ବିଜେପି କୈଳାଶଚାନ୍ଦଙ୍କୁ ନିଜର ପ୍ରାର୍ଥୀ କରିଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ହିନା ଖାନମ୍ ୩୭୬ଟି ଭୋଟ୍ ପାଇ ଏହି ଆସନ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ରସିଦ୍ ଖାନ୍ ୧୯୫ଟି ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ତେବେ ବିଜେପି ପ୍ରାର୍ଥୀଙ୍କ ଭୋଟ୍ ସଂଖ୍ୟା ଥିଲା ମାତ୍ର ‘ଗୋଟିଏ’! ତାଙ୍କୁ କାହିଁକି ମାତ୍ର ଗୋଟିଏ ଭୋଟ୍ ମିଳିଲା? ଏହାର ପ୍ରକୃତ କାରଣ ସାମ୍ନାକୁ ଆସିଛି!

ଏହି ଅଦ୍ଭୁତ ଫଳାଫଳ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୈଳାଶଚାନ୍ଦ ବୁଝାଇଥିଲେ ଯେ ସେ ୱାର୍ଡ ନଂ ୧୨ର ଜଣେ ପଞ୍ଜୀକୃତ ଭୋଟର ଥିଲେ। ତଥାପି, ତାଙ୍କ ଦଳ (ବିଜେପି) ତାଙ୍କୁ ପଡ଼ୋଶୀ ୱାର୍ଡ ନଂ ୧୩ରୁ ପ୍ରାର୍ଥୀ କରିଥିଲା।

ନିଜର ୱାର୍ଡ ଅଲଗା ହୋଇଥିବାରୁ ସେ ନିଜ ପାଇଁ ଭୋଟ୍ ଦେଇପାରିନଥିଲେ, ଫଳସ୍ୱରୂପ ତାଙ୍କ ଭୋଟ୍ ସଂଖ୍ୟା ମାତ୍ର ଗୋଟିଏରେ ସୀମିତ ରହିଯାଇଥିଲା।

ଉଲ୍ଲେଖନୀୟ ଯେ, ପର୍ବତସର ପୌରପାଳିକାର ମୋଟ ୨୫ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଦଳ ୧୩ଟି ୱାର୍ଡ ଜିତିଥିବା ବେଳେ ବିଜେପି ୧୨ଟି ଆସନ ହାସଲ କରିଥିଲା।

ରାଜସ୍ଥାନର ୩୦୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ୧୦,୦୦୦ରୁ ଅଧିକ କାଉନସିଲର ଆସନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ କୈଳାଶଚାନ୍ଦଙ୍କ ‘ଗୋଟିଏ ଭୋଟ୍’ର କାହାଣୀ ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।