fbpx

ନମ୍ବି ଇଫେକ୍ଟକୁ ନେଇ ଆସୁଛି ଆର୍. ମାଧବନଙ୍କ ଫିଲ୍ମ- ‘ରକେଟ୍ରି’; କିଏ ସେ ନମ୍ବି ନାରାୟଣନ୍ ଓ କ’ଣ ତାଙ୍କର କାହାଣୀ

ନୂଆଦିଲ୍ଲୀ, ୧୬ା୪: ୧୯୪୧ ଡିସେମ୍ବର ମାସ ୧୨ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିବା ନମ୍ବି ନାରାୟଣନ ୨୦୧୯ରେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ପିଏସଏଲଭି ରକେଟ ଇଞ୍ଜିନ ବିକାଶ କରିବାକୁ ସକ୍ଷମ ହୋଇଥିଲା । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର କେତେଜଣ ଏଜେଣ୍ଟ ଓ ଭାରତୀୟ ପୋଲିସର ମିଳିତ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ସେ । ମିଥ୍ୟା ଗୁପ୍ତଚର ମାମଲାରେ ଫସିବା ଯୋଗୁଁ ପଦ ଓ ଗାରିମା ହରାଇଥିଲେ ଏହି ପୂର୍ବତନ ବୈଜ୍ଞାନିକ । ତାଙ୍କର କଠିନ ସମୟର ଦାରୁଣ କାହାଣୀକୁ ସେ ଆତ୍ମଜୀବନୀ ‘ଓର୍ମାକଲୁଡେ ଭ୍ରମଣପଥମ୍’ରେ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକକୁ ନେଇ ନିର୍ମିତ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍. ନମ୍ବି ନାରାୟଣନଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାର ତଦନ୍ତ କରିବ ସିବିଆଇ । ଏଥିସହ ସିବିଆଇ ୩ ମାସ ମଧ୍ୟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବ । ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ନମ୍ବି ନାରାୟଣନ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ।

୧୯୯୪ ଅକ୍ଟୋବର ମାସରେ ଇସ୍ରୋର ରକେଟ ଇଞ୍ଜିନର ଡ୍ରଇଂକୁ ଚୋରି କରି ପାକିସ୍ତାନକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ସେତେବେଳେ କ୍ରାୟୋଜେନିକ ପ୍ରକଳ୍ପର ନିର୍ଦ୍ଦେଶକ ଥିବା ନମ୍ବି ନାରାୟଣଙ୍କ ସହ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଭାରତର ମହାକାଶ କାର୍ଯ୍ୟକ୍ରମର ଗୋପନୀୟ ଦସ୍ତାବିଜ ନମ୍ବି ନାରାୟଣନ ବିଦେଶକୁ ପଠାଉଥିବା ସେତେବେଳେ ଖବର ଶିରୋନାମା ପାଲଟିଥିଲା । ମାତ୍ର ଅଢ଼େଇ ବର୍ଷ ତଦନ୍ତ ପରେ ସିବିଆଇ ନମ୍ବି ନାରାୟଣଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ୧୯୯୮ରେ ସେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ୫୦ ଦିନ ଜେଲରେ ରହିଥିଲେ । ୨୦୧୮ରେ ସୁପ୍ରିମକୋର୍ଟ ନାରାୟଣଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାରାୟଣଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ତାଙ୍କର ସ୍ୱାଧୀନତା ଓ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛି ବୋଲି ଖଣ୍ଡପୀଠ କହିଛନ୍ତି ।

Get real time updates directly on you device, subscribe now.