fbpx

ଭୂତପ୍ରେତ ସହିତ କଟୁଛି ରାତି: ସଇତାନ ସାଙ୍ଗରେ ବିତୁଛି ଜୀବନ, ଇଏ କି ପ୍ରେମ?

ଭୂତ, ପ୍ରେତ, ଆତ୍ମା ଆଉ ସଇତାନକୁ ନେଇ ଅନେକ କାହାଣୀ ଶୁଣାଯାଏ । ଆଈମା’ର ଗପ ପେଡିରେ ଭରି ରହିଥାଏ ଏଭଳି ପିଶାଚୀ ଆଉ ଡାହାଣୀମାନଙ୍କ କଥା । ପିଲାବେଳେ ଏହା ଶୁଣିବାକୁ ଯେତିକି ମଜା ଲାଗିଥାଏ, ତା’ଠୁ ବେଶୀ ଭୟଙ୍କର ଲାଗେ ପ୍ରେତାତ୍ମାର ଅଜବ କାରନାମା ଶୁଣିଲେ । ଦେହରେ ଲୋମ ଟାଙ୍କୁରି ଉଠେ ଆଉ ଆଈମା’ କୋଳ ଭିତରେ ଡରେ ଲୁଚିଯାଏ ଛୋଟ ଛୁଆ । ଭୂତ-ପିଶାଚ କଥା ଶୁଣିଲେ ଯଦି ଏତେ ଭୟ ଥରେ ଚିନ୍ତା କରନ୍ତୁ ଯଦି ଏହା ସହ ମୁହାଁମୁହିଁ ହୁଏ, ତେବେ ପରିସ୍ଥିତି କ’ଣ ହେବ! ବୋଧହୁଏ ହାର୍ଟ ଅଟାକରେ ଜଣେ ବ୍ୟକ୍ତି ପ୍ରାଣ ରାଇ ଦେଇପାରେ । କିନ୍ତୁ ଜଣେ ବ୍ୟକ୍ତି ଏହି ଭୂତପ୍ରେତଙ୍କ ସହ ରହୁଛନ୍ତି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ନୁହେଁ, ବୋଧହୁଏ ଆପଣଙ୍କୁ ହସ ଲାଗୁଥିବ । କିନ୍ତୁ ଏହା ଏକଦମ ସତ ।

ଅଧିକାଂଶ ଲୋକ ଭୂତପ୍ରେତ ନାଁରେ ଥରି ଉଠୁଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ସହ ରହି ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି । କେବଳ ସେତିକି ନୁହେଁ, ପ୍ରତିଦିନ ଆତ୍ମା ଏବଂ ପିଶାଚଙ୍କ ସହ ହିସାବ-କିତାବ ମଧ୍ୟ କରୁଛନ୍ତି । କାରଣ ତାଙ୍କ ଘରେ ହିଁ ରହୁଛନ୍ତି ଏହି ଭୂତ, ପ୍ରେତ ଆଉ ସଇତାନ । କବର ଖୋଳିବା କାମ କରୁଥିବା ଜଣେ ମାର୍କ କକ୍ସ ଏକ ବର୍ମିଂହାମର ସର୍ବଶ୍ରେଷ୍ଠ କବରସ୍ତାନ ନିକଟରେ ରହୁଛନ୍ତି । ତେବେ ସେ ଏହି ଘରେ ଏକା ରହୁ ନାହାନ୍ତି । ବରଂ ତାଙ୍କ ସହ ରହୁଛି ଜଣେ ମହିଳାଙ୍କ ଭୂତ, ସେ ବି ଗତ ୨୩ ବର୍ଷ ହେଲା । ଜଣେ ମହିଳାଙ୍କ ଆତ୍ମାକୁ ଅତିଥି କରି ତାଙ୍କ ସହ ଜୀବନ ବିତାଉଛନ୍ତି ମାର୍କ କକ୍ସ । ତେବେ ଏହି ଅତିଥି ପ୍ରେତାତ୍ମା ପାଇଁ କୌଣସି ସମସ୍ୟାର ସାମ୍ନା କରୁନଥିବା ପ୍ରକାଶ କରିଛନ୍ତି ।

ମାର୍କ କକ୍ସ ହେଉଛନ୍ତି ଜଣେ ପୂର୍ବ ସୈନିକ । କବରସ୍ତାନ ପାଖରେ ଏକ ଶୂନଶାନ ଘରେ ସେ ରହୁଛନ୍ତି । ଏହି ଘର ଛାଡିବା କଥା ସେ ଚିନ୍ତା କରୁନାହାନ୍ତି, କିନ୍ତୁ ସେ ନିଜଠୁ ଅଧିକ ତାଙ୍କ ଘରେ ରହିଥିବା ଭୂତକୁ ନେଇ ଚିନ୍ତା କରୁଛନ୍ତି । ଏହି ଆତ୍ମା ତାଙ୍କ ଘର ଝରକା ପାଖରେ ଥିବାର ପ୍ରଥମେ ଦେଖିଥିଲେ ମାର୍କ । ଏହାପରେ କିଛି ଲୋକଙ୍କୁ ମାର୍କ କହିଥିଲେ ଯେ, ସେ ଘରେ ଏକା ରହୁଛନ୍ତି । କିନ୍ତୁ ଏହି କଥାରେ କିଛି ଲୋକ ତାଙ୍କୁ ଝରକାରେ କିଏ ବୋଲି ପ୍ରଶ୍ନ କରିଥିଲେ ।

ଏହି କଥା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘ ୨୩ ବର୍ଷରୁ ସେ ଏହି ମହିଳାଙ୍କ ଭୂତ ସହିତ ରହି ଆସୁଛନ୍ତି, କିନ୍ତୁ ଏହି ଭୂତ ପାଇଁ ତାଙ୍କର କୌଣସି ସମସ୍ୟା ହୋଇନାହିଁ । ଏହି ମହିଳାଙ୍କ ଭୂତ ମଧ୍ୟ ତାଙ୍କର କୌଣସି କ୍ଷତି କରିନାହିଁ । ତାଙ୍କ ଅନୁସାରେ, ସେହି ଭୂତ ଏଠାରେ ରହି ତାଙ୍କର ଯତ୍ନ ନେଉଛି । କବରସ୍ତାନକୁ ନିଜ ଘର ବୋଲି ଭାବି ନେଇଛନ୍ତି ମାର୍କ କକ୍ସ । ବରଂ ସେହି ଭୂତ ସହିତ ସେ ଶାନ୍ତିରେ ଜୀବନ କାଟୁଥିବା ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.