ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ, ଚର୍ଚ୍ଚାରେ ଦୁଇ ଯୁବତୀଙ୍କ କାହାଣୀ

ସଂପର୍କରେ ଭଉଣୀ ଥିବା ଦୁଇ ଯୁବତୀ ପରସ୍ପରକୁ କଲେ ବିବାହ

ବିହାର : ବିବାହ କେବଳ ଦୁଇଜଣ ବ୍ୟକ୍ତିଙ୍କ ମିଳନ ନୁହେଁ, ବରଂ ଏହା ଦୁଇଟି ପରିବାର, ବିଶ୍ୱାସ ଏବଂ ଜୀବନସାରା ପାଳନ କରିବାକୁ ଥିବା ପ୍ରତିଜ୍ଞାର ଏକ ପବିତ୍ର ବନ୍ଧନ। ଏହା କୌଣସି ମଜାକ କିମ୍ବା ବୁଝାମଣା ନୁହେଁ, ବରଂ ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଓ ଗମ୍ଭୀର ସମ୍ପର୍କ। କିନ୍ତୁ ଆଜିକାଲି କିଛି ଲୋକ ଏହାକୁ ମଜାକ ବନେଇ ଦେଇଛନ୍ତି। ବିହାରର ଜମୁଇ ଜିଲ୍ଲାରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦୁଇ ଭଉଣୀ ପରସ୍ପରକୁ ବିବାହ କରିଛନ୍ତି, ସେଥିମଧ୍ୟରୁ ଜଣେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଜର ଲିଙ୍ଗ ପରିବର୍ତ୍ତନ (Gender Change) ମଧ୍ୟ କରିଛନ୍ତି।

ବିହାରର ଜମୁଇ ଜିଲ୍ଲାରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ସମ୍ପର୍କରେ ଭଉଣୀ ଲାଗୁଥିବା ଦୁଇଜଣ ଯୁବତୀ, ବିପିଏସ୍‌ସି (BPSC) ଶିକ୍ଷୟିତ୍ରୀ ନୟନଶ୍ରୀ ଏବଂ ତାଙ୍କ ଫୁଫେଇ ଭଉଣୀ ରାଖୀ ପରସ୍ପରର ପ୍ରେମରେ ପଡ଼ିଯାଇଥିଲେ। ଉଭୟ ଝିଅ ହୋଇଥିବାରୁ, ରାଖୀ ନିଜର ଲିଙ୍ଗ ପରିବର୍ତ୍ତନ (Gender Change) କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ୮ ଲକ୍ଷ ଟଙ୍କାର ଋଣ ନେଇ ଅସ୍ତ୍ରୋପଚାର ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରାଇଥିଲେ ଏବଂ ଶେଷରେ ପରସ୍ପରକୁ ବିବାହ କରିଥିଲେ।

ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ନୟନଶ୍ରୀ ଏବଂ ରାଖୀ ପିଲାଦିନରୁ ଏକାଠି ବଢ଼ିଛନ୍ତି। ଉଭୟ ଏକାଠି ପାଠ ପଢ଼ୁଥିଲେ, ଯାହାଫଳରେ ସେମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଗଢ଼ି ଉଠିଥିଲା। କୁହାଯାଉଛି ଯେ, ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେମାନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ସେମାନେ ବିବାହ କରିବାକୁ ଯୋଜନା କରିଥିଲେ। ନୟନଶ୍ରୀ ବିହାର ଲୋକ ସେବା ଆୟୋଗ (BPSC) ଦ୍ୱାରା ନିଯୁକ୍ତ ଜଣେ ଶିକ୍ଷୟିତ୍ରୀ ଏବଂ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ନିଜ ଚାକିରି ବଞ୍ଚାଇବା ପାଇଁ ନୟନଶ୍ରୀ ରାଖୀର ଲିଙ୍ଗ ପରିବର୍ତ୍ତନ କରାଇବାକୁ ନିଷ୍ପତ୍ତି ନେଇଥିଲେ।

ରାଖୀ ପ୍ରାୟ ଛଅ ମାସ ପୂର୍ବେ ଦିଲ୍ଲୀ ଏମ୍ସ (AIIMS)ରେ ଲିଙ୍ଗ ପରିବର୍ତ୍ତନର ପ୍ରକ୍ରିୟା ଶେଷ କରିଥିଲେ। ଏହାପରେ ସେ ନିଜ ନାମ ବଦଳାଇ ‘ରାହୁଲ’ ରଖିଥିଲେ। ଅପରେସନ୍ ସମୟରେ ସେ ପ୍ରାୟ ଏକ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏଥିପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୩୧ ମେ’ ସକାଳେ ରାଖୀ (ଏବେ ରାହୁଲ) ନୟନଶ୍ରୀଙ୍କ ସହ ଏକ ମନ୍ଦିରରେ ବିବାହ କରିଛନ୍ତି। ଏହି ବିବାହର ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏବଂ ଉଭୟଙ୍କ ପରିବାର ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ନିଜ ଜୀବନ ବଞ୍ଚାଇବା ପାଇଁ ରାହୁଲ ଏବଂ ନୟନଶ୍ରୀ ଘର ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ବର୍ତ୍ତମାନ ସେମାନେ କେଉଁଠାରେ ଅଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।