ଟ୍ରେନ୍‌ରୁ ଓହ୍ଲାଉଥିଲେ, ପ୍ଲାଟ୍‌ଫର୍ମରେ ଶିଶୁକନ୍ୟା ଜନ୍ମକଲେ ମହିଳା

ମୟୂରଭଞ୍ଜ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌। ଟ୍ରେନ୍‌ରେ ଅସମ୍ଭାଳ ଭିଡ଼ ଥିଲା। ତାହାରି ଭିତରେ ଯାତ୍ରା କରୁଥିଲେ ଜଣେ ପ୍ରସୂତୀ।

ଭୁବନେଶ୍ୱର: ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌ରେ ଖଚାଖଚ୍ ଭିଡ଼ ଥିଲା। ଲୋକମାନେ ଭୁବନେଶ୍ୱର ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଦୌଡ଼ୁଥିଲେ। ପ୍ଲାଟ୍‌ଫର୍ମ କୋଳାହଳମୟ ଥିଲା। ଠିକ୍ ସେତିିକିବେଳେ ପ୍ଲାଟ୍‌ଫର୍ମରେ ଶୁଭିଲା କୁଆଁ କୁଆଁ ରାବ। ଟ୍ରେନ୍‌ରୁ ଓହ୍ଲାଇଲା ବେଳେ ମହିଳା ଜଣକ ପ୍ରସବ କରିଥିଲେ। ଏହା ଦେଖି ସହାୟତାର ହାତ ବଢ଼ାଇଥିଲା ଟ୍ରେନ୍ ଯାତ୍ରୀ ଓ ରେଳ ବିଭାଗ। ମାଆ ଓ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ମୟୂରଭଞ୍ଜ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌। ଟ୍ରେନ୍‌ରେ ଅସମ୍ଭାଳ ଭିଡ଼ ଥିଲା। ତାହାରି ଭିତରେ ଯାତ୍ରା କରୁଥିଲେ ଜଣେ ପ୍ରସୂତୀ। ହେଲେ ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ହଠାତ୍ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଦେହର କଷ୍ଟକୁ ଅନୁଭବ କରୁଥିଲେ। ହେଲେ କାହାକୁ କହିପାରୁନଥିଲେ। ତେବେ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବା ପରେ ମହିଳାଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା।

ଟ୍ରେନ୍‌ରୁ ଓହ୍ଲାଇଲା ବେଳେ ମହିଳା ଜଣକ ସେହି ପ୍ଲାଟଫର୍ମରେ ପ୍ରସବ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ସହାୟତାର ହାତ ବଢ଼ାଇବା ସହିତ ଆର୍‌ପିଏଫ୍‌କୁ ସୂଚନା ଦେଇଥିଲେ। ଆରପିଏଫ୍ ଓ ‘ମେରି ସହେଲୀ’ ଟିମ ସଙ୍ଗେସଙ୍ଗେ ତତ୍ପରତା ଦେଖାଇଥିଲେ। ମାଆ ଓ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
ପ୍ରସବ ପରେ ମାଆ ଓ ଶିଶୁକନ୍ୟାଙ୍କୁ ରେଳ ବିଭାଗ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସହାୟତାରେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମାଆ ଓ ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି।