fbpx

ଡିଏମକେ ପ୍ରତି ମହିଳାଙ୍କ ଅହେତୁକ ପ୍ରେମ, ନିର୍ବାଚନ ଜିତିବ ବୋଲି ମନ୍ଦିରରେ ବଳି ପକାଇଲେ ଜିଭ

ଚେନ୍ନାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ସେମାନଙ୍କ ଇଚ୍ଛା ପୁରଣ ହେବା ଲକ୍ଷ୍ୟ ନେଇ ଭଗବାନଙ୍କ ପାଖରେ ମାନସିକ ରଖନ୍ତି । ଆଉ ମାନସିକ ପୂରଣ ପରେ ଭଗବାନଙ୍କ ପାଖରେ ତାଙ୍କ ମନପସନ୍ଦର ଜିନିଷକୁ ଭୋଗ ଚଢ଼ାନ୍ତି ବା ଅର୍ପଣ କରନ୍ତି । ହେଲେ ମାନସିକରେ ଶରୀରର କୌଣସି ଅଙ୍ଗକୁ ବଳି ପକାଇବା ଦେଖିଛନ୍ତି ? ହଁ କଥାଟା ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ତାମିଲନାଡୁର ଜଣେ ମହିଳା ନିଜ ଦଳକୁ ଏତେ ଭଲ ପାଆନ୍ତି ଯେ, ନିର୍ବାଚନ ଜିତିବା ପାଇଁ ଭଗବାନଙ୍କ ପାଖରେ ଜିଭ କାଟିଦେବେ ବୋଲି ମାନସିକ ରଖିଥିଲେ । ଆଉ ସତକୁ ସତ ଦଳ ଜିତିବା ପରେ ନିଜ ଜିଭକୁ କାଟି ଦେଇଛନ୍ତି ।

ସୁଚନା ଅନୁସାରେ, ତାମିଲନାଡୁର ଜଣେ ୩୨ ବର୍ଷିୟ ମହିଳା ବନିତା ଡିଏମକେକୁ ସପୋର୍ଟ କରନ୍ତି । ଖାଲି ସପୋର୍ଟ କରନ୍ତି ନି ବରଂ ସେ ତାଙ୍କ ଦଳ ପ୍ରତି ଖୁବ୍ ବିଶ୍ୱସ୍ତ ମଧ୍ୟ । ତେବେ ଗତକାଲି ଅର୍ଥାତ୍ ମେ ୨ ତାରିଖରେ ତାମିଲନାଡୁରେ ଭୋଟ ଗଣତି ଚାଲିଥିଲା । ତେବେ ବନିତା ଗଣତି ପୂର୍ବରୁ ମନ୍ଦିରରେ ମାନସିକ କରିଥିଲେ ଯେ, ଡିଏମକେ ଯଦି ନିର୍ବାଚନ ଜିତେ ତେବେ ସେ ତାଙ୍କ ଜିଭକୁ ବଳି ଦେବେ । ଆଉ କାଲି ଭୋଟ ଗଣତିରେ ଡିଏମକେ ହିଁ ବହୁମତ ହାସଲ କରିପାରିଥିଲା । ଆଉ ଏହାପରେ ମାନସିକ ଅନୁସାରେ ସେ ମନ୍ଦିରକୁ ଯାଇଥିଲେ ଜିଭ ବଳି ପକାଇବାକୁ । ହେଲେ କୋଭିଡ୍ କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ ମନ୍ଦିର ଗେଟ୍ ପାଖରେ ହିଁ ନିଜ ଜିଭକୁ କାଟି ସେଠାରେ ପକାଇ ଦେଇଥିଲେ । ଏହାପରେ ଲୋକ ମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସୁଚନାଯୋଗ୍ୟ, ତାମିଲନାଡୁରେ ଗତକାଲି ନିର୍ବାଚନରେ ବହୂମତ ହାତେଇଛି ଡିଏମକେ । ନିଜ ଚୀରଶତ୍ରୁ ଏଆଇଡିଏମକେକୁ ହରାଇ ୧୫୧ ସିଟ୍ ରେ ବିଜୟ ହାସଲ କରିଛି । ତେବେ ନିର୍ବାଚନ ଜିତିବା ପରେ ଏବେ ତାମିଲନାଡୁର ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ଏମକେ ଷ୍ଟାଲିନ୍ ମେ ୭ ତାରିଖରେ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.