fbpx

‘ଆହାର’ ପାଇଁ ଅଡୁଆ ଖୁଚୁରା? ଖାଦ୍ୟ ବଦଳରେ ମିଳିଲା ମାଡ଼

ବାଲେଶ୍ୱର(ଓଡ଼ିଶା ଭାସ୍କର): ଆହାର ମିଳିଲାନି ବରଂ ମୁଠେ ଖାଇବାକୁ ଯାଇ ମିଳିଲା ମାଡ଼ । ଭୋକର ଦାଉରେ ପୁଣି ମାଡ଼ର ଯନ୍ତ୍ରଣା । ଆଉ ଏହାରି ପଛରେ ଥିବା କାରଣ ହେଉଛି ଖୁଚୁରା । ଅଭିଯୋଗ ଅନୁସାରେ ଆହାର କେନ୍ଦ୍ର ନେଉନି ଖୁଚୁରା । ଫଳରେ ଅସହାୟ ଓ ବେସାହାରା ଲୋକେ ମୁଠେ ଖାଇବାକୁ ଦହଗଞ୍ଜ ହେଉଛନ୍ତି। ଏଭଳି କଥାକୁ କେନ୍ଦ୍ରକରି ଦୁଇ ଆଗନ୍ତୁକ ମଧ୍ୟରେ ହୋଇଗଲା ଝଗଡ଼ା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆହାର କେନ୍ଦ୍ରରେ ।

ଦୁଃଖିରଙ୍କି ଓ ଦୀନଦରିଦ୍ରଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ଲୋକପ୍ରିୟ ଯୋଜନା ‘ଆହାର କେନ୍ଦ୍ର’ ଅନେକ ସ୍ଥାନରେ ବାଟବଣା ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି । ମହାମାରୀ କରୋନା ପାଇଁ ସବୁଠି ହା ହା କାର ପରିସ୍ଥିତି ଉପୁଜିଥିବାବେଳେ ମୁଠାଏ ଦାନା ପାଇଁ ଅନେକ ଲୋକ ଡହଳ ବିକଳ ହେଉଛନ୍ତି । ଅନ୍ୟର ହାତଟେକାକୁ ନିର୍ଭର କରି ଚଳୁଥିବା ଅନେକ ଅସହାୟ ଓ ବେସାହାରା ଲୋକଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଇଛି । କିନ୍ତୁ ଖୁଚୁରା ଟଙ୍କା ସବୁଠି ପ୍ରଚଳିତ ହେଉଥିବା ବେଳେ ଉକ୍ତ ଆହାର କେନ୍ଦ୍ରରେ ଖୁଚୁରା ଗ୍ରହଣ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ, ଭୋକ ବିକଳରେ ଭିକ୍ଷା ସଂଗ୍ରହ କରିଥିବା ଅର୍ଥରୁ ଖୁଚୁରା ୫ ଟଙ୍କା ଦେଇ ଆହାର କେନ୍ଦ୍ରରୁ ଜଣେ ବ୍ୟକ୍ତି ତଡ଼ା ଖାଇବା ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗରିବ-ଅସହାୟ ଓ ଯାଜାବର ଜୀବନ ଜୀଉଁଥିବା ଲୋକଙ୍କ ପାଇଁ ହୋଇଥିବା ସରକାରୀ ଆହାର କେନ୍ଦ୍ରରେ କେତେକ କର୍ମଚାରୀ ମନମୁଖି କାରବାର ଚଳାଉଥିବାରୁ ଲୋକେ ଖାଦ୍ୟ ବଦଳରେ ମାଡ଼ ଖାଇବାକୁ ପଡୁଛି ବୋଲି କୁହାଯାଉଛି ।

Aahar Kendra Soro Baleswar

ଏଠାରେ ପ୍ରଶ୍ନ ଉଠୁଛି- ଆହାର କେନ୍ଦ୍ରରେ ଏ କି ନିୟମ? କାହା ନିର୍ଦ୍ଦେଶରେ ଗ୍ରହଣ କରାଯାଇଉନି ଖୁଚୁରା ଟଙ୍କା । ଜଣେ ଭୋକିଲା ମଣିଷ ଖାଦ୍ୟ ନପାଇ ମାଡ଼ ଖାଇବା ପାଇଁ କିଏ ଦାୟୀ? ବିଭାଗୀୟ ପ୍ରଶାସନ ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ଆହାର କେନ୍ଦ୍ର କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.