ଗୋଆରେ ତୃତୀୟ ମୋର୍ଚ୍ଚାର ଗନ୍ଧ! AAP-GFP ମେଣ୍ଟରେ ବିଜେପି-କଂଗ୍ରେସକୁ ଟକ୍କର

ପୋଷ୍ଟରରେ ଲେଖାଯାଇଛି; ‘Congress & BJP cheated you twice. Don't let them cheat you the 3rd time.’ ଅର୍ଥାତ୍, କଂଗ୍ରେସ ଓ ବିଜେପି ଗୋଆବାସୀଙ୍କୁ ଦୁଇଥର ଠକିଛନ୍ତି

ପାଣାଜୀ: ୨୦୨୭ରେ ହେବାକୁ ଯାଉଛି ଗୋଆ ବିଧାନସଭା ନିର୍ବାଚନ। ତା’ପୂର୍ବରୁ ଗୋଆ ରାଜନୀତି ଚଳଚଞ୍ଚଳ ହେଲାଣି। କ୍ଷମତାରେ ଥିବା ବିଜେପି ଓ ବିରୋଧୀ ଦଳରେ ଥିବା କଂଗ୍ରେସକୁ ଚକ୍‌ମା ଦେବା ପାଇଁ ତୃତୀୟ ମେଣ୍ଟ ମୁଣ୍ଡ ଟେକିବାକୁ ଯାଉଛି। ଗତ ନିର୍ବାଚନରେ ମୈଦାନକୁ ଲମ୍ଫ ମାରିଥିବା ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ଏଥିର ଗୋଆ ଫରୱାର୍ଡ ପାର୍ଟି(ଜିଏଫ୍‌ପି) ସହିତ ମେଣ୍ଟ କରିବାକୁ ଯାଇଥିବା ଚର୍ଚ୍ଚା ହେଉଛି। ତା’ପୂର୍ବରୁ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ଆଲୋଚନା।

ପୋଷ୍ଟରରେ ଲେଖାଯାଇଛି; ‘Congress & BJP cheated you twice. Don’t let them cheat you the 3rd time.’ ଅର୍ଥାତ୍, କଂଗ୍ରେସ ଓ ବିଜେପି ଗୋଆବାସୀଙ୍କୁ ଦୁଇଥର ଠକିଛନ୍ତି। ତୃତୀୟ ଥର ଏଭଳି କରିବାକୁ ସୁଯୋଗ ଦିଅନ୍ତୁ ନାହିଁ। ଏହି ବାର୍ତ୍ତା ମାଧ୍ୟମରେ ଆପ୍ ଓ ଜିଏଫ୍‌ପି ଗୋଆର ଭୋଟରଙ୍କ ସାମ୍ନାରେ ଏକ ପ୍ରଶ୍ନ ରଖିବାକୁ ଚାହୁଁଛନ୍ତି। ପ୍ରତିଥର କାହିଁକି କେବଳ ବିଜେପି କିମ୍ବା କଂଗ୍ରେସ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିବ? ଗୋଆ ପାଇଁ କ’ଣ ଏକ ଶକ୍ତିଶାଳୀ, ସ୍ଥାନୀୟ ଓ ଉଭୟ ଦଳଠାରୁ ଅଲଗା ରାଜନୈତିକ ବିକଳ୍ପ ହୋଇପାରିବ ନାହିଁ?

ଗୋଆର ରାଜନୀତିରେ ବିଜେପି ଓ କଂଗ୍ରେସ ଦୀର୍ଘଦିନ ଧରି କ୍ଷମତାରେ ରହିଛନ୍ତି। କିନ୍ତୁ ଗତ କିଛି ନିର୍ବାଚନରେ ଆଞ୍ଚଳିକ ଦଳ ସହ ଆପ୍ ଭଳି ନୂଆ ରାଜନୈତିକ ଶକ୍ତି ଏହି ସମୀକରଣକୁ ପ୍ରଭାବିତ କରିଛି। ୨୦୨୨ ବିଧାନସଭା ନିର୍ବାଚନରେ ଆପ୍ ଦୁଇଟି ଆସନ ଜିତିଥିଲା। ପ୍ରାୟ ୬.୭୭ ପ୍ରତିଶତ ଭୋଟ୍ ପାଇଥିଲା। ବର୍ତ୍ତମାନ ବିଧାନସଭାରେ ମଧ୍ୟ ଦଳର ଦୁଇଜଣ ବିଧାୟକ ଅଛନ୍ତି। ଅନ୍ୟପଟେ ଗୋଆ ଫରୱାର୍ଡ ପାର୍ଟିର ସଭାପତି ବିଜୟ ସରଦେସାଇ ଫାତୋର୍ଡା ଆସନରୁ ବିଧାୟକ ଅଛନ୍ତି।

ଆପ୍ ଓ ଜିଏଫ୍‌ପି ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ସମୀକରଣର ସବୁଠାରୁ ବଡ଼ ଦିଗ ହେଉଛି ଦକ୍ଷିଣ ଗୋଆ। ଆପ୍‌ର ଉଭୟ ବିଧାୟକ ଦକ୍ଷିଣ ଗୋଆରୁ ଆସିଥିବା ବେଳେ ଜିଏଫ୍‌ପି ମୁଖ୍ୟ ବିଜୟ ସରଦେସାଇ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହାସହ ଆପ୍ ଉତ୍ତର ଗୋଆରେ ମଧ୍ୟ ନିଜ ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ କରୁଛି।

ବିଜେପି ଓ କଂଗ୍ରେସଠାରୁ ସମଦୂରତା ରଖି ରାଜନୈତିକ ବିକଳ୍ପ ତିଆରି କରିବା ଆପ୍ ଓ ଜିଏଫ୍‌ପି ରାଜନୀତିର ଏକ ପ୍ରମୁଖ ଦିଗ। ଆପ୍ ପକ୍ଷରୁ ରୋଜଗାର, ପରିବେଶ, ଜମି ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଭଳି ପ୍ରସଙ୍ଗ ଉଠାଯାଉଛି। ସେପଟେ ଆପ୍ ସହିତ ଜିଏଫ୍‌ପି ଯଦି ମେଣ୍ଟ କରେ, ତାହାହେଲେ ଭୋଟ୍‌ର ସମୀକରଣ ଉପରେ ପ୍ରଭାବ ପଡ଼ିପାରେ।

୨୦୨୭ ନିର୍ବାଚନ ପୂର୍ବରୁ ଆପ୍ ଓ ଜିଏଫ୍‌ପି ମିଳିତ ପୋଷ୍ଟର କେବଳ ଏକ ନିର୍ବାଚନୀ ବାର୍ତ୍ତା ନା ଆଗାମୀ ଦିନରେ ଏକ ବଡ଼ ରାଜନୈତିକ ମେଣ୍ଟର ସଙ୍କେତ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଯଦି ଏହି ଦୁଇ ଦଳ ନିର୍ବାଚନ ପୂର୍ବରୁ ଆସନ ବୁଝାମଣା ଓ ମିଳିତ ରଣନୀତିରେ ସହମତ ହୁଅନ୍ତି, ତେବେ ଗୋଆର ପାରମ୍ପରିକ ‘ବିଜେପି ବନାମ କଂଗ୍ରେସ’ ଲଢ଼େଇ ଏଥର ତୃତୀୟ ମେଣ୍ଟ ହେବାର ସମ୍ଭାବନା ରହିଛି।