‘ହଁ, ମୁଁ ଜୁଲାଇ ୫ରେ ବିବାହ କରୁଛି’, ଗୌରୀଙ୍କ ସହ ବାହାଘରକୁ ନେଇ ମୁହଁ ଖୋଲିଲେ ଆମିର ଖାନ୍

ଅଭିନେତା ଅରଶଦ ୱାରସିଙ୍କ ସିରିଜ୍ 'ପ୍ରୀତମ ଆଣ୍ଡ ପେଡ୍ରୋ'ର ସ୍କ୍ରିନିଂ ସମୟରେ ବଲିଉଡ୍ ସୁପରଷ୍ଟାର ଆମିର ଖାନ୍ ତାଙ୍କ ପାର୍ଟନର ଗୌରୀ ସ୍ପ୍ରାଟ୍‌ଙ୍କ ସହ ବିବାହ କରିବା କଥା ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଆମିର ଖାନ୍ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ୫ ଜୁଲାଇ ୨୦୨୬ ରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍‌ଙ୍କ ସହ ନୂଆ ଜୀବନ ଆରମ୍ଭ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି। ଅଭିନେତା ଅରଶଦ ୱାରସିଙ୍କ ଏକ ନୂଆ ସିରିଜ୍‌ର ସ୍କ୍ରିନିଂ ସମୟରେ ଗଣମାଧ୍ୟମ ସହ କଥା ହେବାବେଳେ ଆମିର କହିଛନ୍ତି ଯେ, ଏହି ବିବାହ ବହୁତ ଧୂମଧାମରେ ନୁହେଁ ବରଂ ଘରୋଇ ଭାବେ କେବଳ ଦୁଇ ପରିବାର ଲୋକଙ୍କ ଗହଣରେ ହେବ। ଏହି ଖୁସି ସମୟରେ ସେ ତାଙ୍କ ପ୍ରଶଂସକମାନଙ୍କ ଭଲପାଇବା ଓ ଆଶୀର୍ବାଦ ମାଗିଛନ୍ତି। ଜୁଲାଇ ୫ ତାରିଖରେ ମୁମ୍ବାଇରେ ଥିବା ତାଙ୍କ ନିଜ ଘରେ କେବଳ ପରିବାର ଓ କିଛି ବାଛିବାଛି ସାଙ୍ଗସାଥୀଙ୍କ ଉପସ୍ଥିତିରେ ସେମାନେ କୋର୍ଟ ମ୍ୟାରେଜ୍ (ରଜିଷ୍ଟର ମ୍ୟାରେଜ୍) କରିବେ।

ନିଜ ପୁଅ ଜୁନେଦ୍ ଖାନ୍‌ଙ୍କ ସହ ପ୍ରେସ ସାମ୍ନାକୁ ଆସି ଆମିର କହିଛନ୍ତି, “ହଁ, ଜୁଲାଇ ୫ ରେ ମୋର ବିବାହ ହେଉଛି। ଏହା ବହୁତ ଛୋଟ ଉତ୍ସବଟିଏ ହେବ। ଆମେ ଦୁଇ ପରିବାର ମିଶି ଘରେ ହିଁ ଏହା କରୁଛୁ। ଏହା ଆମ ପାଇଁ ବହୁତ ବଡ଼ ଦିନ। ଆମେ ସମସ୍ତଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଚାହୁଁଛୁ। ଆପଣମାନେ ପ୍ରାର୍ଥନା କରନ୍ତୁ ଯେମିତି ଆମେ ଖୁସିରେ ରହିବୁ ଏବଂ ଆମର ଆଗାମୀ ଦିନଗୁଡ଼ିକ ଭଲରେ କଟିବ।”

ଖବର ଅନୁସାରେ, ଏହି ବିବାହର ଖାଦ୍ୟ ତାଲିକା (ମେନୁ) କୁ ନେଇ ଏକ ମଜାଦାର କଥା ସାମ୍ନାକୁ ଆସିଛି। ବିବାହରେ କେଉଁ ସବୁ ଖାଦ୍ୟ ପରସା ଯିବ, ତାହା ସମ୍ପୂର୍ଣ୍ଣ ଭାବେ ଆମିର ଓ ଗୌରୀଙ୍କ ପିଲାମାନେ ସ୍ଥିର କରିଛନ୍ତି। ଏହି ପୂରା ବିବାହ ଉତ୍ସବରେ ପିଲାମାନେ ହିଁ ସବୁ କାମ ତଦାରଖ କରୁଛନ୍ତି। ଆମିର ପୂର୍ବରୁ ମଧ୍ୟ କହିଥିଲେ ଯେ ସେ ବିବାହକୁ ବହୁତ ସାଧାରଣ ରଖିବାକୁ ଚାହାନ୍ତି। ସେ କହିଥିଲେ, “ଏହା ଘରେ ହେବାକୁ ଥିବା ଏକ ସିମ୍ପଲ୍ ବିବାହ, ଯେଉଁଥିରେ ଅଧିକ ଭିଡ଼ ହେବନାହିଁ। ଆମେ ଦୁହେଁ ଏହାକୁ ବହୁତ ସାଧାରଣ ରଖିବାକୁ ପସନ୍ଦ କରିଛୁ।”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆମିର ଖାନ୍ ପୂର୍ବରୁ କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଆଜାଦ୍ ନାମରେ ଏକ ପୁଅ ଅଛି। ସେହିପରି ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ସହ ଦୁଇଟି ସନ୍ତାନ ଜୁନେଦ୍ ଓ ଇରା ଅଛନ୍ତି। ଅନ୍ୟପଟେ, ଗୌରୀଙ୍କର ମଧ୍ୟ ତାଙ୍କ ପୂର୍ବ ବିବାହରୁ ଏକ ପୁଅ ଅଛି। ମୂଳତଃ ବେଙ୍ଗାଲୁରୁର ବାସିନ୍ଦା ଗୌରୀ ସ୍ପ୍ରାଟ୍ ଫ୍ୟାଶନ ଏବଂ ବ୍ୟବସାୟ ଦୁନିଆ ସହ ଜଡ଼ିତ। ସେ ଲଣ୍ଡନରୁ ପାଠ ପଢ଼ି ସାରିବା ପରେ ଏବେ ‘ଆମିର ଖାନ୍ ପ୍ରୋଡକ୍ସନ୍ସ’ ସହିତ ମିଶି କାମ କରୁଛନ୍ତି।