ଅମେଠୀରେ ବଦଳିଲା ରାଜନୈତିକ ସମୀକରଣ; ବିଜେପିରେ ମିଶିଲେ ସମାଜବାଦୀ ପାର୍ଟିର ୩ ଯୁଦ୍ଧା!

ସନାତନ ବିରୋଧୀ ଆଚରଣ, ନିଯୁକ୍ତିରେ ପକ୍ଷପାତିତା ଓ ଚାଟୁକାରିତାକୁ ପ୍ରୋତ୍ସାହନ ଦେବା ଭଳି ଅଭିଯୋଗ ଆଣି ସେ ସପାକୁ ଘେରିଛନ୍ତି।

ଅମେଠୀ: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଲାଗିଛି ଶକ୍ତ ଝଟକା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସାଇକେଲ୍ ଛାଡ଼ି ପଦ୍ମ ଧରିଲେ ଅମେଠୀର ୩ ଲୋକପ୍ରିୟ ନେତା। ବିଧିବଦ୍ଧ ଭାବେ ଆଜି ବିଜେପିରେ ଯୋଗଦେଲେ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ବିନୋଦ ଚତୁର୍ବେଦୀ। ସ୍ମୃତି ଇରାନୀ ଓ ରାଜ୍ୟ ବିଜେପି ସଭାପତି ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ତିନି ନେତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିରେ ସାମିଲ ହେବା ପରେ ଅଭୟ ସିଂହ ସମାଜବାଦୀ ପାର୍ଟି (ସପା) ଉପରେ ଜୋରଦାର ଅଭିଯୋଗ ଆଣିଛନ୍ତି।

ସନାତନ ବିରୋଧୀ ଆଚରଣ, ନିଯୁକ୍ତିରେ ପକ୍ଷପାତିତା ଓ ଚାଟୁକାରିତାକୁ ପ୍ରୋତ୍ସାହନ ଦେବା ଭଳି ଅଭିଯୋଗ ଆଣି ସେ ସପାକୁ ଘେରିଛନ୍ତି।
‘ଭାରତ ମାତା କି ଜୟ’ ସ୍ଲୋଗାନରୁ ନିଜ ଭାଷଣ ଆରମ୍ଭ କରିଥିବା ଅଭୟ ସିଂହ କହିଛନ୍ତି; ସମାଜବାଦୀ ପାର୍ଟିର ଆଚରଣ ସନାତନ ବିରୋଧୀ ଥିଲା। ରାମଚରିତମାନସ ଚିରିବା ଭଳି ଘଟଣାକୁ ଉଲ୍ଲେଖ କରି ସେ ସପାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ଦଳର ଶାସନ ସମୟରେ ନିଯୁକ୍ତି କ୍ଷେତ୍ରରେ ପକ୍ଷପାତିତା ହେଉଥିବା ସେ ଅଭିଯୋଗ କରିଛନ୍ତି।

ଅଭୟ ସିଂହଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଚାଟୁକାରିତା କରୁଥିବା ଲୋକଙ୍କୁ ଚାକିରିରେ ଅଧିକ ସୁଯୋଗ ମିଳୁଥିଲା। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ଉଠାଇ ସେ ବିଜେପି ଓ ସପାର ରାଜନୈତିକ ଆଭିମୁଖ୍ୟ ତୁଳନା କରିଥିଲେ।

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ମଧ୍ୟ ଅଭୟ ସିଂହ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ଆନ୍ଦୋଳନ ବିଦେଶୀ ଅର୍ଥ ସହାୟତା ପାଇଁ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ସେ କହିଛନ୍ତି, ଯେଉଁ ଘୋଟାଲା ହୋଇଛି, ସେଥିରେ ଜଡ଼ିତ ଲୋକଙ୍କ ଗିରଫଦାରୀ ହେଉଛି।

୨୦୨୪ ଲୋକସଭା ନିର୍ବାଚନରେ ଅଯୋଧ୍ୟାର ଜନତାଙ୍କୁ ଭ୍ରମିତ କରି ସାଂସଦ ହେବାର ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି। ଆଗାମୀ ନିର୍ବାଚନରେ ଅଯୋଧ୍ୟାର ଭୋଟର ଲକ୍ଷାଧିକ ଭୋଟରେ ଏହାର ଜବାବ ଦେବେ ବୋଲି ଅଭୟ ସିଂହ ଦାବି କରିଛନ୍ତି। ଶେଷରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ସେ ନିଜ ଭାଷଣ ଶେଷ କରିଥିଲେ।