ପଶ୍ଚିମବଙ୍ଗରେ ବୁଲଡୋଜର ଗର୍ଜନ! ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଫିସ୍‌ କୁ ଧୂଳିସାତ କଲା ପ୍ରଶାସନ, ଗରମ ହେଲା ରାଜନୀତି

ପଶ୍ଚିମବଙ୍ଗରେ ବୁଲଡୋଜର ଗର୍ଜନ! ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଫିସ୍‌ କୁ ଧୂଳିସାତ କଲା ପ୍ରଶାସନ

ଓଡ଼ିଶା ଭାସ୍କର ଡେସ୍କ: ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ‘ବୁଲଡୋଜର ଆକ୍ସନ୍’ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ପ୍ରଶାସନ ବୁଲଡୋଜର ଚଲାଇଛି ।

ଅମତାଲା-ବାରୁଇପୁର ରୋଡ୍‌ରେ ଅବସ୍ଥିତ ଏହି କାର୍ଯ୍ୟାଳୟକୁ ପ୍ରଶାସନ ପକ୍ଷରୁ ‘ବେଆଇନ ଭାବେ ନିର୍ମିତ’ ବୋଲି ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସକାଳୁ ସକାଳୁ ପ୍ରଶାସନିକ ଟିମ୍ ବୁଲଡୋଜର ସହ ଘଟଣାସ୍ଥଳରେ ପହଞ୍ଚି ଏହି ୫ ମହଲା ବିଶିଷ୍ଟ ବିଲ୍ଡିଂର ବେଆଇନ ଅଂଶକୁ ଭାଙ୍ଗି ଦେଇଛନ୍ତି ।

ନୋଟିସ୍‌ର ଜବାବ ନଦେବାରୁ କାର୍ଯ୍ୟାନୁଷ୍ଠାନ: ସୂଚନା ଅନୁଯାୟୀ, ଦକ୍ଷିଣ ୨୪ ପ୍ରଗଣାରେ ଥିବା ଡାଇମଣ୍ଡ ହାର୍ବରର ସାଂସଦ ଅଭିଷେକ ବାନାର୍ଜୀଙ୍କ ଏହି ଅଫିସ୍ ଉପରେ ପୂର୍ବରୁ ପ୍ରଶାସନ ପକ୍ଷରୁ ଏକ ନୋଟିସ୍ ଲଗାଯାଇଥିଲା । ଏହି ଅଫିସ୍ ବିଲ୍ଡିଂଟି କୌଣସି ସରକାରୀ ମଞ୍ଜୁରୀ ବା ବୈଧ ଅନୁମତି ବିନା ନିର୍ମାଣ କରାଯାଇଥିଲା ।

Uttarakhand Govt.

ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସାଂସଦ କିମ୍ବା ତାଙ୍କ କାର୍ଯ୍ୟାଳୟ ତରଫରୁ ଏହାର କୌଣସି ଜବାବ ଦିଆଯାଇନଥିଲା ଏବଂ କାର୍ଯ୍ୟାଳୟର କୌଣସି ବୈଧ ଦସ୍ତାବିଜ୍ ମଧ୍ୟ ଉପସ୍ଥାପନ କରାଯାଇପାରିନଥିଲା । ଯାହା ପରେ ଶନିବାର ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସୁରକ୍ଷା ବ୍ୟବସ୍ଥା: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ବାହିନୀ ମୁତୟନ କରାଯାଇଥିଲା ।

ଟିଏମସିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଥିଲା: ଏହି ଅଫିସ୍‌ଟି ତୃଣମୂଳ କଂଗ୍ରେସର ଏକ ପ୍ରମୁଖ ରାଜନୈତିକ କାର୍ଯ୍ୟାଳୟ ଥିଲା, ଯେଉଁଠାରେ ପ୍ରାୟତଃ ବଡ଼ ବଡ଼ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା । ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଏହି କାର୍ଯ୍ୟାଳୟଟି ବନ୍ଦ ରହିଥିଲା ଏବଂ ସେ ସ୍ଥାନ ସମ୍ପୂର୍ଣ୍ଣ ଖାଲି ପଡ଼ିଯାଇଥିଲା ।

ଏହି ବୁଲଡୋଜର ଆକ୍ସନ୍ ପରେ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ହଠାତ୍ ଗରମ ହୋଇଯାଇଛି । ସାଂସଦଙ୍କ ଅଫିସ୍ ଭଙ୍ଗାଯିବାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଚପଟାଚପଟି ଆରମ୍ଭ ହୋଇଯାଇଛି ।