ନିର୍ବାଚନ ପୂର୍ବରୁ ଛାତ୍ରନେତା ନିଖୋଜ! ଫୋନ୍‌ରେ କହିଥିଲେ, ମୋ ଜୀବନ ପ୍ରତି ବିପଦ ଅଛି

ଯାଜପୁର ଏନ୍‌ସି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ବିଶ୍ୱଜିତ ସାହୁ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ

ଯାଜପୁର: କଲେଜରେ ନିର୍ବାଚନୀ ଉତ୍ସାହ, ଚାଲିଥିଲା ପ୍ରଚାର। ଦିନକ ପରେ ହେବାକୁ ଥିଲା ଛାତ୍ର ସଂସଦ ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ହଠାତ୍ ନିଖୋଜ ହୋଇଗଲେ ଜଣେ ଛାତ୍ରନେତା। ନିଖୋଜ ହେବା ପୂର୍ବରୁ ମାଆଙ୍କୁ ଫୋନ୍ କରି ସେ କହିଥିଲେ, “ମୋ ଜୀବନ ପ୍ରତି ବିପଦ ଅଛି।” ଏହି ଫୋନ୍ କଲ୍‌କୁ ନେଇ ଏବେ ଯାଜପୁରରେ ଚର୍ଚ୍ଚା ଜୋର୍ ଧରିଛି। ଛାତ୍ରନେତାଙ୍କୁ ଅପହରଣ କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବାବେଳେ, ଘଟଣାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ଯାଜପୁର ଏନ୍‌ସି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ବିଶ୍ୱଜିତ ସାହୁ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ପାଇଁ ସେ ପ୍ରଚାର ମଧ୍ୟ କରୁଥିଲେ। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ନିଜ ମାଆଙ୍କୁ ଫୋନ୍ କରିଥିଲେ।

ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଫୋନ୍‌ରେ ବିଶ୍ୱଜିତ କହିଥିଲେ ଯେ ତାଙ୍କ ପାଖରେ ଜଣେ ‘ଭାଇ’ ବସିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି। ନିର୍ବାଚନରୁ ଓହରି ନଗଲେ ବିପଦ ହୋଇପାରେ ବୋଲି ତାଙ୍କୁ କୁହାଯାଉଥିବା ବିଶ୍ୱଜିତ ଫୋନ୍‌ରେ ଜଣାଇଥିବା ଅଭିଯୋଗ ହୋଇଛି।

ଏହା ପରେ ବିଶ୍ୱଜିତ ଉକ୍ତ ବ୍ୟକ୍ତିଙ୍କ ସହ ଯାଉଥିବା କହିଥିଲେ। କିଛି ସମୟ ପରେ ଫୋନ୍ କଟି ଯାଇଥିଲା। ସେବେଠାରୁ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ସେ ହଷ୍ଟେଲକୁ ମଧ୍ୟ ଫେରିନାହାନ୍ତି। ପରିବାର ଲୋକେ ଓ ପରିଚିତମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନାହାନ୍ତି।

ଏହାକୁ ନେଇ ବିଶ୍ୱଜିତଙ୍କ ବାପା ଯାଜପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରି ପୁଅକୁ ଶୀଘ୍ର ଖୋଜି ବାହାର କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ପକ୍ଷ ତାଙ୍କ ପୁଅକୁ ଅପହରଣ କରିଥାଇପାରନ୍ତି ବୋଲି ସେ ସନ୍ଦେହ କରୁଛନ୍ତି।

ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସତ୍ତ୍ୱେ ବିଶ୍ୱଜିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା କୁହାଯାଉଛି। ତାଙ୍କୁ କିଏ ନେଇଗଲା? ଫୋନ୍‌ରେ ସେ ଯାହାଙ୍କୁ ‘ଭାଇ’ ବୋଲି କହିଥିଲେ, ସେ କିଏ? ନିର୍ବାଚନରୁ ଓହରିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିବା ବ୍ୟକ୍ତି କିଏ? ଏସବୁ ପ୍ରଶ୍ନର ଉତ୍ତର ଏବେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।