fbpx

ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ(ଓଡ଼ିଶା ଭାସ୍କର): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି । କଟକ ଚଣ୍ଡି ରୋଡ ସ୍ଥିତ ବାସଭବନରେ ଝରଣା ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୮୨ ବର୍ଷ ବୟସରେ ବିଳମ୍ବିତ ରାତିରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଝରଣା ।

ତେବେ ଝରଣା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକ। ଭ।ବରେ ମଧ୍ୟ କାମ କରିଥିଲେ । ଝରଣା ଦାସଙ୍କ ଜନ୍ମ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ ।

ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।

୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ଲୋକପ୍ରିୟତା ହାସଲ କରିପାରିଥିଲେ । ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ସେଠାରେ ଥିବା ବେଳେ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ ।

Get real time updates directly on you device, subscribe now.