fbpx

ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ଶ୍ରୀଗୁଣ୍ଡିଚା ସମ୍ମୁଖରେ ଲାଗିଥିଲା । ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ୱଜ, ୫ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକିଥିଲା । ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ଶ୍ରୀଜୀଉମାନେ ଗୋଟି ପହଣ୍ଡି ସାରିବା ପରେ ଜନ୍ମବେଦୀକୁ ଗମନ କରିବେ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବା ପରେ ତିନି ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଜିଠାରୁ କାଳିଆ ସାଆନ୍ତ ଆଡ଼ପ ମଣ୍ଡପରୁ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେବେ । ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନ କଲେ ଯେଉଁ ପୂଣ୍ୟପ୍ରାପ୍ତ ହୁଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେହି ଫଳପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ମାତ୍ର ଦୁଃଖର କଥା, କରୋନା ପାଇଁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ତେବେ ଭକ୍ତ ଓ ଭଗବାନଙ୍କ ସାକ୍ଷାତ ହୋଇ ନପାରିଲେ ମଧ୍ୟ ଭକ୍ତମାନଙ୍କୁ ଆଡ଼ପ ଅବଢ଼ା ମିଳିବ ବୋଲି କୁହାଯାଇଛି ।

ଆଜି ଜଗମୋହନ, ଭୋଗ ମଣ୍ଡପ, ନାଟ ମଣ୍ଡପର ଲେଜର ସ୍କାନିଂ କରାଯିବାକୁ ଥିବାବେଳେ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇନାହିଁ । ସ୍କାନି ପରେ ଯଦି କୌଣସି ତ୍ରୁଟି ଜଣାପଡ଼େ, ତେବେ ତା’ର ମରାମତି କରାଯିବ । ମହାପ୍ରଭୁ ଏବେ ଜନ୍ମବେଦୀକୁ ଗମନ କରିଥିବାରୁ ଆଜିଠାରୁ ଏଏସଆଇ ବୈଷୟିକ କମିଟିଙ୍କ ପରାମର୍ଶ ଅନୁଯାୟୀ ମରାମତି ଓ ଲେଜର ସ୍କାନିଂ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.