fbpx

୫ଟି ରେ ଆଉ ଏକ ଟି ଯୋଡ଼ିଲେ ମୁଖ୍ୟମନ୍ତ୍ରୀ, ସ୍ବଚ୍ଛତା ରଖିବା ଏବଂ ବିବାଦରେ ନ ପଡ଼ିବାକୁ ମନ୍ତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ୱର(ଓଡିଶା ଭାସ୍କର): ‘ମୋ ସରକାର’ ଅଧୀନରେ ଚାଲିଥିବା ୫-ଟି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଆଉ ଏକ ‘ଟି’ ଯୋଡ଼ିଛନ୍ତି। ଆଉ ଏହି ନୂତନ ‘ଟି’ ହେଉଛି ‘ଟୁର’। ଅର୍ଥାତ୍ ବିଭିନ୍ନ ଅଞ୍ଚଳକୁ ଯାଇ କାର୍ଯ୍ୟ ତଦାରଖ କରିବା। ନବୀନ ତାଙ୍କର ନୂଆ ଟିମ୍ ଗଠନ କରିବା ପରେ ନୂତନ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ରବିବାର ଅପରାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମନ୍ତ୍ରୀମଣ୍ଡଳରେ ସାମିଲ କରି ସେମାନଙ୍କ ଉପରେ ଭରସା କରିଥିବାରୁ ଶପଥ ନେଇଥିବା ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଏଥିସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ। ୨୦୧୯ ନିର୍ବାଚନ କାଳରେ ବିଜେଡି ପକ୍ଷରୁ ଘୋଷିତ ନିର୍ବାଚନ ଇସ୍ତାହାର ପ୍ରତିଶୃତି ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ବିଭାଗରେ ୫-ଟି ଯେପରି ଯଥାରୀତି ପାଳିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ। ସେହିପରି କେବଳ ରାଜଧାନୀରେ ନ ରହି ମନ୍ତ୍ରୀମାନେ କିଭଳି ଲୋକଙ୍କ ନିକଟତର ହେବେ ଓ ସ୍ଵଚ୍ଛତାର ସହ ଲୋକଙ୍କ ପାଇଁ କାମ କରିବାକୁ କହିଛନ୍ତି। ଲୋକଙ୍କୁ ଅଧିକ ସମୟ ଦେବା ସହ ବିଭାଗର ବକେୟା କାମ ସାରିବାକୁ ନିର୍ଦେଶ ଦେଇଛନ୍ତି।

ମନ୍ତ୍ରୀମାନେ ପ୍ରତ୍ୟେକ ଜିଲା ସହ ବିଭିନ୍ନ ବ୍ଲକ, ତହସିଲ୍ ଓ ପଞ୍ଚାୟତ ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଦଳୀୟ ସୁପ୍ରିମୋ ନିର୍ଦେଶ ଦେଇଛନ୍ତି। ଲୋକଙ୍କୁ କିଭଳି ସେବା ମିଳୁଛି ତାହା ତଦାରଖ କରିବା, ବିଭିନ୍ନ ଅଞ୍ଚଳ ଗସ୍ତ କାଳରେ ଲୋକଙ୍କ ସମସ୍ୟା ବୁଝିବା ସହ ତା’ର ସମାଧାନ ଲାଗି କାମ କରିବା, କାର୍ଯ୍ୟରେ ସ୍ବଚ୍ଛତା ରଖିବା ଏବଂ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.