fbpx

ବିବାଦରେ ‘ଆଦିପୁରୁଷ’: ଟ୍ରୋଲ୍ ପରେ ନୀରବତା ଭାଙ୍ଗିଲେ ଡାଇରେକ୍ଟର, କହିଲେ ରିଆକ୍ସନ ଦେଖି ହୋଇନାହିଁ ଆଶ୍ଚର୍ଯ୍ୟ…

ମୁମ୍ବାଇ: ୨ ଅକ୍ଟୋବରରେ ପ୍ରଭାସ, ସୈଫ୍ ଅଲୀ ଖାନ୍ ଏବଂ କ୍ରୀତି ସାନନଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷର ଟିଜର୍ ରିଲିଜ୍ ହୋଇଥିଲା । କିନ୍ତୁ ଏହାକୁ ଦର୍ଶକ ପସନ୍ଦ କରିବା ପରିବର୍ତ୍ତେ ଫିଲ୍ମର ଟିଜରକୁ ନେଇ ଏବେ ବିବାଦ ଉପୁଜିଛି । ଫିଲ୍ମ ଚରିତ୍ରଙ୍କର ଲୁକ୍ ଠାରୁ ଆରମ୍ଭ କରି ସିଜିଆଇ-ଭିଏଫଏକ୍ସ ପର୍ଯ୍ୟନ୍ତ ସବୁଥିରେ ଟ୍ରୋଲ କରାଯାଉଛି । ମଙ୍ଗଳବାର ଆଦିପୁରୁଷ ଟିଜରର ୩ଡି ସ୍କ୍ରିନିଂ ରଖାଯାଇଥିଲା । ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ଟିଜରର ଟ୍ରୋଲକୁ ନେଇ ନୀରବତା ଭାଙ୍ଗିଛନ୍ତି ।

ଓମ ରାଉତ କହିଛନ୍ତି ଯେ ଆଦିପୁରୁଷକୁ ମିଳିଥିବା ନେଗେଟିଭ୍ ରିଆକ୍ସନ ତାଙ୍କୁ ବ୍ୟଥିତ କରିଛି । କିନ୍ତୁ ସେ ଏହି ମନ୍ତବ୍ୟକୁ ନେଇ ଆଶ୍ଚର୍ଯ୍ୟ ନୁହଁନ୍ତି । ସେ କହିଥିଲେ ଯେ ମତେ ଲାଗୁଥିଲା ଟ୍ରୋଲିଂ ହୋଇପାରେ । ଏକ ରିପୋର୍ଟ ଅନୂଯାୟୀ ଓମ ରାଉତ କହିଥିଲେ ଯେ ଫିଲ୍ମ ବଡ଼ ପରଦା ପାଇଁ ତିଆରି ହୋଇଛି । ଆପଣ ଏହାକୁ କିଛିମାତ୍ରାରେ କମ୍ କରିପାରିବେ କିନ୍ତୁ ମୋବାଇଲ ଫୋନ୍ ପର୍ଯ୍ୟନ୍ତ ଆଣିପାରିବେ ନାହିଁ । ସେ କହିଥିଲେ ଯେ ସେ ଏହାକୁ ୟୁଟ୍ୟୁବରେ ଆଣିବାକୁ ଚାହୁନଥିଲେ କିନ୍ତୁ ଆବଶ୍ୟକତା ଥିବାରୁ ୟୁଟ୍ୟୁବରେ ଅପଲୋଡ୍ କରିବାକୁ ପଡ଼ିଥିଲା । ଫଳରେ ଯେପରି ଅଧିକରୁ ଅଧିକ ଲୋକେ ଏହାକୁ ଦେଖିପାରିବେ ।

ସେ କହିଛନ୍ତି ଯେ ଏହି ଫିଲ୍ମକୁ ଅଧିକରୁ ଅଧିକ ଦର୍ଶକଙ୍କ ଆବଶ୍ୟକତା ରହିଛି । ଯେଉଁମାନେ ସିନେମାଘରକୁ କମ୍ ଆସିଥାନ୍ତି । ଖାସକରି ବରିଷ୍ଠ ନାଗରିକମାନେ ଯେଉଁମାନେ ଥିଏଟରକୁ କମ୍ ଆସିଥାନ୍ତି, ଯେଉଁମାନେ ଅପହଞ୍ଚ ଅଞ୍ଚଳରେ ରହୁଛନ୍ତି, ଯେଉଁମାନେ ଥିଏଟର ପର୍ଯ୍ୟନ୍ତ ପହଞ୍ଚିପାରୁନାହାଁନ୍ତି । ଆମେ ଚାହୁଛୁ ସେହି ଲୋକମାନେ ସିନେମା ଦେଖିବାକୁ ଆସନ୍ତୁ । କାରଣ ଏହା ରାମାୟଣ । ଆମକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାର ଅଛି । ସେମାନଙ୍କୁ ଉତ୍ସାହିତ କରିବାର ଅଛି ।

ସୂଚନାଯୋଗ୍ୟ, ଆଦିପୁରୁଷ ଫିଲ୍ମ ୧୨ ଜାନୁଆରୀ ୨୦୨୩ ରେ ରିଲିଜ୍ ହେବ । ଭୂଷଣ କୁମାର ଏବଂ କୃଷ୍ଣା କୁମାର ଏହାର ପ୍ରଡ୍ୟୁସରଙ୍କ ମଧ୍ୟରେ ରହିଛନ୍ତି । ଏହା ପୌରାଣିକ କଥା ବସ୍ତୁ ଉପରେ ନିର୍ମିତ । ଫିଲ୍ମରେ ପ୍ରଭାସ ରାମଙ୍କ ଚରିତ୍ରରେ, କ୍ରୀତି ସାନନ ସୀତାଙ୍କ ଚରିତ୍ରରେ, ସନୀ ସିଂହ ଲକ୍ଷ୍ମଣ ଏବଂ ସୈଫ୍ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ନଜର ଆସିବେ । ଏହା ଏକ ପାନ୍ ଇଣ୍ଡିଆ ଫିଲ୍ମ ଯାହା ବିଭିନ୍ନ ଭାଷାରେ ରିଲିଜ୍ ହେବ ।

Get real time updates directly on you device, subscribe now.