ଜନ୍ମଦିନର ଦିନକ ପୂର୍ବରୁ ଆଖି ବୁଜିଲେ ପୂର୍ବତନ ଦ୍ରୁତ ବୋଲର ସାପୁର ଜାଦ୍ରାନ
ସାପୁର ଜାଦ୍ରାନ ଆଫଗାନିସ୍ତାନର ସେହି ପ୍ରାରମ୍ଭିକ ଖେଳାଳିମାନଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ଦେଶର କ୍ରିକେଟକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ
ନୂଆଦିଲ୍ଲୀ: ଆଫଗାନିସ୍ତାନ କ୍ରିକେଟ ଟିମ୍ର ପୂର୍ବତନ ଦ୍ରୁତ ବୋଲର ସାପୁର ଜାଦ୍ରାନଙ୍କର ମଙ୍ଗଳବାର ଭାରତରେ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ‘ହେମୋଫାଗୋସିଟିକ ଲିମ୍ଫୋହିଷ୍ଟିଓସାଇଟୋସିସ୍’ (ଏଚ୍ଏଲଏଚ୍) ନାମକ ଏକ ବିରଳ ରୋଗରେ ପୀଡ଼ିତ ଥିଲେ। ଗ୍ରେଟର ନୋଏଡାର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଧବାର ତାଙ୍କର ୩୯ତମ ଜନ୍ମଦିନ ଥିଲା।
ସାପୁର ଜାଦ୍ରାନଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଆଫଗାନିସ୍ତାନ କ୍ରିକେଟ ବୋର୍ଡ। ବୋର୍ଡ ସୋସିଆଲ ମିଡିଆରେ କହିଛି ଯେ, ଏହି ପୂର୍ବତନ ଦ୍ରୁତ ବୋଲରଙ୍କ ବିୟୋଗରେ ଆଫଗାନ କ୍ରିକେଟ ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କୁ ହରାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।
ସାପୁର ଜାଦ୍ରାନ ଆଫଗାନିସ୍ତାନର ସେହି ପ୍ରାରମ୍ଭିକ ଖେଳାଳିମାନଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ଦେଶର କ୍ରିକେଟକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ।
ନିଜର ଦ୍ରୁତ ବାମହାତୀ ବୋଲିଂ ଓ ଆକ୍ରମଣାତ୍ମକ ଶୈଳୀ ପାଇଁ ପରିଚିତ ସାପୁର ୨୦୦୯ ରୁ ୨୦୨୦ ମଧ୍ୟରେ ଆଫଗାନିସ୍ତାନ ପାଇଁ ୮୦ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏଥିମଧ୍ୟରେ ୪୪ଟି ଦିନିକିଆ ଓ ୩୬ଟି ଟି-୨୦ ମ୍ୟାଚ ରହିଛି। ସେ ଆଫଗାନିସ୍ତାନକୁ ଏକ ଆସୋସିଏଟ ଦଳରୁ ଆନ୍ତର୍ଜାତୀୟ କ୍ରିକେଟର ମୁଖ୍ୟ ମଞ୍ଚ ପର୍ୟ୍ୟନ୍ତ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ଏହା ସହିତ ଦଳକୁ ଆଇସିସି ଦିନିକିଆ ବିଶ୍ୱକପ ଓ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରାଇବାରେ ମଧ୍ୟ ତାଙ୍କର ବଡ଼ ଅବଦାନ ରହିଥିଲା।


