ପ୍ରଥମ କି ଦ୍ଵିତୀୟ ନୁହେଁ ତୃତୀୟ ଆସନ ପାଇଁ ଲଢ଼ିବ ବିଜେଡ଼ି; ଶ୍ରୀମୟୀଙ୍କ ପୋଷ୍ଟ ଲଗେଇଲା ନିଆଁ, ଜଳିପୋଡ଼ି ପାଉଁଶ ହେଇଯିବ କି ବିଜେଡି ?

ନୂଆପଡ଼ା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ମଧ୍ୟରେ ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି।

ଭୁବନେଶ୍ୱର: ନୂଆପଡ଼ା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ମଧ୍ୟରେ ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି। ସିଧା କଥାରେ ସେ ନିର୍ବାଚନକୁ ନେଇ ହେଇଥିବା ଡ଼ିଲ ବିଷୟରେ ବର୍ଣ୍ଣନା କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ପ୍ରମାଣିତ ହେଲା କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍‌’

ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି । ଯେଉଁ ନେତ୍ରୀଙ୍କୁ ବିଜେଡି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କହିଛି ସେ ଗତ ମାସରେ କହ୍ନେଇଙ୍କୁ ନବୀନବାବୁଙ୍କ ‘ମାନସ ପୁତ୍ର’ କହିବା ପରେ ହିଁ ତାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦବୀରେ ପୁରସ୍କୃତ କରାଯାଇଥିଲା । ଯେଉଁ ମହିଳା ନିଜ ଦଳର ନେତ୍ରୀଙ୍କୁ ଅପମାନିତ ହେବାର ଦେଖି ଚୁପ୍ ରହିଥିଲେ ଓ ପାଣ୍ଡିଆନଙ୍କ ଚାପରେ ବାରମ୍ବାର ବୟାନ ବଦଳାଇଥିଲେ ଏବେ ତାଙ୍କୁ ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କରାଯାଇଛି ।

ବରଗଡ଼ର ଏହି ନେତ୍ରୀ ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ । ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜେଡି କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା ।

ଦଳର କୋର ଟିମ୍ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ? ଯେଉଁ ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହେଲା, ତାକୁ କେତେଦିନ ସହିବେ ବିଜେଡିର ନେତାମାନେ, ସେ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି । ବାସ ଏତିକି କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି ।

ସୂଚନାମୁତାବକ ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସେହିଭଳି ବିଜେପିରୁ ଜୟ ଢୋଲକିଆ ଏବଂ ବିଜେଡ଼ିରୁ ସ୍ନେହାଙ୍ଗିନୀ ଛୁରିଆ ଲଢ଼ିବେ ।କିନ୍ତୁ ଶ୍ରୀମୟୀ ଙ୍କ କଥା ଏହା ସୂଚିତ କରୁଛି ଯେପରି ବିଜେଡ଼ି ପ୍ରଥମ କି ଦ୍ଵିତୀୟ ନୁହେଁ ତୃତୀୟ ସ୍ଥାନ ପାଇଁ ଲଢ଼ିବ । ସେପଟେ ପ୍ରାର୍ଥୀ ନାମ ଘୋଷଣା ପରେ ରାଜନୈତକ ମହଲରେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଶ୍ରୀମୟୀଙ୍କ ଆକଳନ ହୁଏତ ସଠିକ ହେଇପାରେ ।