fbpx

ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପିବ ଓ ପରେ ମଣିଷଙ୍କୁ ସଂକ୍ରମିତ ହେବ

ୱାଶିଂଟନ୍:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ । ଯେଉଁ ସମୟରେ କରୋନା ଭାଇରସ୍ ଆତଙ୍କରୁ ବିଶ୍ୱକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ସେହି ସମୟରେ ହୁ ପ୍ରମୁଖଙ୍କ ଏହି ଚେତାବନୀ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା ଭାଇରସରେ ବହୁ ଲୋକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଭାବଶାଳୀ ବୈଶ୍ୱିକ ତନ୍ତ୍ରର ଆବଶ୍ୟକତା ରହିଛି ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ସ୍ଥିତିକୁ ସାମନା କରିପାରିବ । ସେ ସତର୍କ କରାଇ ଦେଇ କହିଛନ୍ତି ଯେ, ଯେତେବେଳେ ଆଗାମୀ ମହାମାରୀ ଦସ୍ତକ ଦେବା ଆରମ୍ଭ କଲାଣି ସେତେବେଳେ ଆମେ ସମସ୍ତେ ନିର୍ଣ୍ଣାୟକ ରୂପରେ ଏହାକୁ ସାମ୍ନା କରିବାକୁ ଶକ୍ତି ଏକଜୁଟ କରିବା ଉଚିତ । ସେ କହିଛନ୍ତିି ଗତ ୩ ବର୍ଷ ଧରି ଏହି ମହାମାରୀ ପୁରା ବିଶ୍ୱକୁ ପ୍ରଭାବିତ କରି ରଖିଛି । ଏହି ମହାମାରୀରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏଣୁ ଆମକୁ ଆଗକୁ ନୂଆ ମହାମାରୀର ସାମ୍ନା କରିବାକୁ ସତର୍କ ହୋଇ ରହିବାକୁ ପଡିବ ।
ତାଙ୍କର ଏହି ଟିପ୍ପଣୀ ପରେ ହୁର ୱ୍ୱେବସାଇଟ୍ରେ ଉପଲବ୍ଧ ପ୍ରାୟୋରିଟି ଡିଜିଜ୍ ଲିଷ୍ଟ ଉପରେ ଲୋକଙ୍କ ଧ୍ୟାନ ନିବଦ୍ଧ ହୋଇଛି । ପ୍ରାୟୋରିଟି ଡିଜିଜ୍ ଲିଷ୍ଟରେ ସେହିସବୁ ରୋଗର ନାମ ରହିଛି ଯାହା ଆଗାମି ଘାତକ ମହାମାରୀର କାରଣ ପାଲଟିପାରେ । ଏହା ମଧ୍ୟରୁ ଅଧିକାଂଶ ରୋଗ ବିଷୟରେ ଆମେ ଜାଣିଛୁ । ଯେପରିକି ଇବୋଲା, ସାର୍ସ ଓ ଜିକା ଭାଇରସ୍ । ଏହି ଲିଷ୍ଟରେ ଆଉ ଏକ ନାମ ରହିଛି । ଏହା ହେଉଛି ଡିଜିଜ୍ ଏକ୍ସ । ଏହି ନାମକୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି । ତେବେ ଡିଜିଜ୍ ଏକ୍ସ ଏକ ରୋଗ ନୁହେଁ ଏକ ଟର୍ମ । ଏହା ସବୁଠାରୁ ଭୟାନକ ରୋଗ ହୋଇପାରେ । ହୁ ପକ୍ଷରୁ ଡିଜିଜ୍ ଏକ୍ସ ଟର୍ମର ଉପଯୋଗ ଏକ ପ୍ଲେସ୍ ହୋଲ୍ଡର ରୂପରେ ଏପରି ଏକ ରୋଗର ବର୍ଣ୍ଣନା ଲାଗି କରାଯାଇଥାଏ ଯାହା ମାନବ ସଂକ୍ରମଣ କାରଣରୁ ସୃଷ୍ଟି ହୋଇଥାଏ ଓ ମେଡିକାଲ୍ ସାଇନ୍ସ ପାଇଁ ଅଜଣା ।

ସରଳ ଭାଷାରେ କହିଲେ ଡିଜିଜ୍ ଏକ୍ସ ଏପରି ଏକ ରୋଗ ହୋଇପାରିବ ଯାହା ଭୟାନକ ମହାମାରୀରେ ବଦଳି ଯାଇପାରେ । କିନ୍ତୁ ବୈଜ୍ଞାନିକଙ୍କୁ ଏ ବିଷୟରେ କୌଣସି ସୂଚନା ନ ଥିବ । ଉଦାହରଣ ସ୍ୱରୂପ କରୋନା ଭାଇରସ୍ ବି ପୂର୍ବରୁ ଡିଜିଜ୍ ଏକ୍ସ ଥିଲା । ହୁ ୨୦୧୮ରେ ପ୍ରଥମ ଥର ଡିଜିଜ୍ ଏକ୍ସ ଟର୍ମର ଉପଯୋଗ କରିଥିଲା । ପରେ ଏହି ଡିଜିଜ୍ ଏକ୍ସକୁ କୋଭିଡ୍ ୧୯କୁ ପରିବର୍ତ୍ତନ କରିଥିଲା । ଆଗାମୀ ଦିନରେ ମଧ୍ୟ କୌଣସି ମହାମାରୀ ବିଷୟରେ ସଠିକ୍ ସୂଚନା ମିଳିଲେ ଏହି ଡିଜିଜ୍ ଏକ୍ସର ନାମକୁ ବଦଳାଇ ଦିଆଯିବ ।

ଯେତେବେଳେ କରୋନା ଆସିଥିଲା ସେତେବେଳେ ଏହାର ଚିକିତ୍ସା ଲାଗି କୌଣସି ମେଡିସିନ୍ କିମ୍ବା ଟୀକା ନ ଥିଲା । ଠିକ୍ ସେହିପରି ଡିଜିଜ୍ ଏକ୍ସକୁ ନେଇ ବି କୌଣସି ମେଡିସିନ୍ ନାହିଁ । ଏହି ଡିଜିଜ୍ ଏକ୍ସ କୌଣସି ଭାଇରସ୍, ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ୍ ହୋଇପାରେ ଓ ଏଥିପାଇଁ କୌଣସି ଉପଚାର ବି ଉପଲବ୍ଧ ନ ଥିବ । ରିପୋର୍ଟ ଅନୁସାରେ ଡିଜିଜ୍ ଏକ୍ସ ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପି ପରେ ମଣିଷଙ୍କୁ ସଂକ୍ରମିତ ହେବ । ବୈଜ୍ଞାନିକଙ୍କ ମତ ଆଗାମୀ ଡିଜିଜ୍ ଏକ୍ସ ଜୁନୋଟିକ୍ ହେବ ଅର୍ଥାତ୍ ଏହା ଜଙ୍ଗଲୀ ଓ ଗୃହପାଳିତ ପଶୁଙ୍କ ଠାରୁ ବ୍ୟାପିବ । ଇବୋଲା, ଏଚଆଇଭି, ଏଡସ୍ ଓ କୋଭିଡ୍ ୧୯ ଜୁନୋଟିକ୍ ପ୍ରକୋପ ଥିଲେ ।

Get real time updates directly on you device, subscribe now.